କ୍ରୀଡ଼ାରେ କରୋନା: ଗାଙ୍ଗୁଲିଙ୍କ ରିପୋର୍ଟ ନେଗେଟିଭ୍, ବାର୍ସିଲୋନା କିଂବଦନ୍ତି ହର୍ନାଣ୍ଡେଜ୍‌ ପଜିଟିଭ୍

୩ ଦକ୍ଷିଣ ଆଫ୍ରିକୀୟ ମହିଳା କ୍ରି‌କେଟର୍‌ଙ୍କୁ କରୋନା

କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସାଂପ୍ରତିକ ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସକଙ୍କୁ ଶନିବାର ଏକ ବଡ଼ ଖୁସି ଖବର ମିଳିଛି। ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଅର୍ଥାତ୍ ତାଙ୍କୁ କରୋନା ସଂକ୍ରମଣ ହୋଇନି। କିଛି ଦିନ ତଳେ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା‌ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଫଳରେ ଗାଙ୍ଗୁଲି (ସୌରଭ) ଗତ ଏକ ସପ୍ତାହ ହେବ ସଙ୍ଗରୋଧରେ ଥିଲେ। ସଂପ୍ରତି ସେ ନିଜ ବୃଦ୍ଧ ପିତା ମାତାଙ୍କ ସହ କୋଲକାତାସ୍ଥିତ ପୈତୃକ ବାସଭବନରେ ରହୁଛନ୍ତି। ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଆଗୁଆ ନିଜର ପରୀକ୍ଷା କରାଇ ‌ନେଇଥିଲେ। ପରୀକ୍ଷାରୁ ଗାଙ୍ଗୁଲି (ସୌରଭ) ନେଗେଟିଭ୍ ଥିବା ସ୍ପଷ୍ଟ ହୋଇଛି। ସେପଟେ ବେଙ୍ଗଲ କ୍ରିକେଟ୍ ସଂଘର ସଂପାଦକ ଥିବା ସ୍ନେହାଶିଷ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି। କିଛି ଦିନ ଭିତରେ ସେ ଘରକୁ ଫେରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ସ୍ନେହାଶିଷଙ୍କ ସହ ତାଙ୍କ ପତ୍ନୀ, ଶାଶୁ, ଶ୍ବଶୁର ଏବଂ ଘରୋଇ ପରିଚାରିକାଙ୍କୁ ମଧ୍ୟ କରୋନା ହୋଇଥିଲା। ସମସ୍ତେ ଏବେ ଚିକିତ୍ସାଧୀନ ରହିଛନ୍ତି।

୩ ଦକ୍ଷିଣ ଆଫ୍ରିକୀୟ ମହିଳା କ୍ରି‌କେଟର୍‌ଙ୍କୁ କରୋନା
ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ୩ ଜଣ ସଦସ୍ୟଙ୍କୁ କରୋନା ସଂକ୍ରମଣ ହୋଇଛି। ଇଂଲଣ୍ଡ ଗସ୍ତ ପାଇଁ ଆୟୋଜିତ ହେବାକୁ ଥିବା‌ ପ୍ରଶିକ୍ଷଣ ଶିବିରର ଠିକ୍ ପୂର୍ବରୁ ଏକଥା ଜଣାପଡ଼ିଛି। ପ୍ରଶିକ୍ଷଣ ଶିବିର ଚଳିତ ମାସ ୨୭ ତାରିଖରୁ ପ୍ରିଟୋରିଆଠାରେ ଆରମ୍ଭ ହେବାର ଥିଲା। ତେବେ ୩ ଜଣ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ନିର୍ଦ୍ଧାରିତ ସମୟରେ ଏହା ଆରମ୍ଭ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ରିପୋର୍ଟ ପଜିଟିଭ୍ ଆସିଥିବା ଖେଳାଳିମାନେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହି‌ବେ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା କହିଛି। ମୋଟ ୩୪ ଜଣ ଖେଳାଳିଙ୍କ ପରୀକ୍ଷା କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନେଗେଟିଭ୍ ଅଛନ୍ତି।

ବାର୍ସିଲୋନା କିଂବଦନ୍ତି ହର୍ନାଣ୍ଡେଜ୍‌ ପଜିଟିଭ୍
ପ୍ୟାରିସ୍: ସ୍ପେନ୍ ଓ ବାର୍ସିଲୋନା ଦଳର ପୂର୍ବତନ ରକ୍ଷଣଭାଗ ଖେଳାଳି ତଥା ଅଲ୍-ସା‌ଦ୍ ଦଳର ପ୍ରଶିକ୍ଷକ ଜାଭି ହର୍ନାଣ୍ଡେଜ୍‌ଙ୍କୁ କରୋନା ହୋଇଛି। ଶରୀରରେ କୌଣସି ଲକ୍ଷଣ ଦେଖା ଯାଇ ନଥିଲେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଫଳରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ ସଙ୍ଗରୋଧରେ ରହିବେ ବୋଲି ହର୍ନାଣ୍ଡେଜ୍ ଘୋଷଣା କରିଛନ୍ତି। ଏହା ପୂର୍ବରୁ କରୋନା ମହାମାରୀ ସଙ୍କଟ ପାଇଁ କାତାର ଷ୍ଟାର୍ସ ଫୁଟବଲ୍ ଲିଗ୍ ମାର୍ଚ ମାସରୁ ସ୍ଥଗିତ ରହିଥିଲା। ଗତ ଶୁକ୍ରବାର ହିଁ ଏହା ପୁଣି ଥରେ ଆରମ୍ଭ ହୋଇଥିଲା। ଲିଗ୍‌ର ପଏଣ୍ଟ୍‌ ଟେବୁଲରେ ଅଲ ସାଦ୍ ଦଳ ଏବେ ତୃତୀୟ ସ୍ଥାନରେ ରହିଛି। ହର୍ନାଣ୍ଡେଜ୍ ଚଳିତ ମାସ ୫ ତାରିଖରେ ହିଁ କାତାରର ଘରୋଇ କ୍ଲବ୍ ଅଲ-ସାଦର ପ୍ରଶିକ୍ଷକ ଭା‌ବେ ନିଜ ଚୁକ୍ତିକୁ ନବୀକରଣ କରିଥିଲେ।

ସମ୍ବନ୍ଧିତ ଖବର