ଭାରତୀୟ କ୍ରିକେଟ୍‌ର ସଫଳତା ଲାଗି ଗାଙ୍ଗୁଲି-ଦ୍ରାବିଡ଼ ଭାଗୀଦାରି ଗୁରୁତ୍ବପୂର୍ଣ୍ଣ: ଲକ୍ଷ୍ମଣ

ନୂଆଦିଲ୍ଲୀ: କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଯଦି ଭାରତ ସଫଳ ହେବାକୁ ଚାହେଁ, ତାହାଲେ ଦେଶର ଦୁଇ ପୂର୍ବତନ ମହାନ ଖେଳାଳି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ଙ୍କ ଭାଗୀଦାରି ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଗାଙ୍ଗୁଲି ସଂପ୍ରତି ବିସିସିଆଇର ସଭାପତି ଥିଲା ବେଳେ ଦ୍ରାବିଡ଼ ଜାତୀୟ କ୍ରିକେଟ୍ ଏକାଡେମି (ଏନସିଏ)ର ମୁଖ୍ୟ ଅଛନ୍ତି। ଗତ ଅକ୍ଟୋବରରେ ଗାଙ୍ଗୁଲି ବିସିସିଆଇର ୩୯ତମ ସଭାପତି ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ଦ୍ରାବିଡ଼ ଗତବର୍ଷ ଜୁଲାଇରେ ଏନସିଏ ମୁଖ୍ୟ ପଦ ଗ୍ରହଣ କରିଛନ୍ତି। ଯାହାକୁ ସ୍ବାଗତ କରି ଲକ୍ଷ୍ମଣ କହିଛନ୍ତି ଯେ ବିସିସିଆଇ ସଭାପତି ପଦରେ ଗାଙ୍ଗୁଲି ଏବଂ ଏନସିଏ ମୁଖ୍ୟ ପଦରେ ଦ୍ରାବିଡ଼ ରହିବା ଭାରତୀୟ କ୍ରିକେଟ୍ ପାଇଁ ବହୁତ ଭଲ କଥା। ଭାରତୀୟ କ୍ରିକେଟ୍ ଦଳ ଯଦି ସବୁ ଫର୍ମାଟରେ ସଫଳ ହେବାକୁ ଚାହୁଁଛି, ତାହାଲେ ଏହି ଭାଗୀଦାରି ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଏହି ଦୁଇ ପୂର୍ବତନ ଅଧିନାୟକ ଭାରତୀୟ କ୍ରିକେଟ୍‌ର ଦୁଇଟି ମହତ୍ବପୂର୍ଣ୍ଣ ପଦରେ ଅଛନ୍ତି। ଏଣୁ ଭାରତୀୟ କ୍ରିକେଟ୍‌ର ସର୍ବାଙ୍ଗୀନ ଉନ୍ନତି ଲାଗି ସେମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ନିହାତି ଦରକାର। ମୁଁ ଭାବୁଛି ଦଳୀୟ ଅଧିନାୟକ, ଏନସିଏ ମୁଖ୍ୟ ଓ ବିସିସିଆଇ ସଭାପତି ସମସ୍ତେ ଗୁରୁତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ ଯେ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ୧୯୯୬ ମସିହାରେ ଏକତ୍ର ଐତିହାସିକ ଲର୍ଡସ ପଡ଼ିଆରେ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ଗାଙ୍ଗୁଲି ଏଥିରେ ଶତକ ହାସଲ କରିଥିଲା ବେଳେ ଦ୍ରାବିଡ଼ ୯୫ ରନ୍‌ର ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର