ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌କୁ ନୂଆ ମୋଡ଼ ଦେଇଥିଲେ: ଜାଫର

ଗାଙ୍ଗୁଲିଙ୍କୁ କେକେଆର୍‌ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ ବୁକାନନ: ଆକାଶ ଚୋପ୍ରା‌

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ତାଙ୍କ ଟେଷ୍ଟ୍ ଜୀବନର ଅଧିକାଂଶ ମ୍ୟାଚ୍ ରାହୁଲ ଦ୍ରାବିଡ଼ଙ୍କ ଅଧିନାୟକତ୍ବରେ ଖେଳିଛନ୍ତି। ସେ ଖେଳିଥିବା ୩୧ ଟେଷ୍ଟ୍ ଭିତରୁ ୧୫ ଟେଷ୍ଟ୍ ଦ୍ରାବିଡ଼ଙ୍କ ନେତୃତ୍ବରେ ଖେଳିଥିଲା ବେଳେ ମାତ୍ର ପାଞ୍ଚଟି ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଖେଳିଥିଲେ। ତଥାପି ସେ ଯେଉଁସବୁ ଅଧିନାୟକଙ୍କ ଅଧୀନରେ ଖେଳିଛନ୍ତି, ଗାଙ୍ଗୁଲି ସେମାନଙ୍କ ମଧ୍ୟରୁ ‌ଶ୍ରେଷ୍ଠ ବୋଲି ଜାଫର ଖୋଲାଖୋଲି ଭାବେ କହିଛନ୍ତି। ସେହିଭଳି ଆଜି ଭାରତୀୟ ଦଳ ସଫଳତାର ଯେଉଁ ସ୍ତର ଛୁଇଁଛି, ତାର ମୂଳଦୁଆ ଗାଙ୍ଗୁଲି ହିଁ ୨୦୦୦ ମସିହା ପରେ ପକାଇଥିଲେ ବୋଲି ମତ ଦେଇଛନ୍ତି। ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ଭଳି ଖେଳାଳିଙ୍କ ଖେଳ ଜୀବନ ଗଢ଼ିବାର ଶ୍ରେୟ ମଧ୍ୟ ସେ ଗାଙ୍ଗୁଲିଙ୍କୁ ଦେଇଛନ୍ତି। ‘‘ ସୌରଭ ଗାଙ୍ଗୁଲି ହିଁ ସେହି ଲୋକ ଯିଏ ୨୦୦୦ ମସିହା ପରେ ଭାରତୀୟ କ୍ରିକେଟ୍‌କୁ ନୂଆ ମୋଡ଼ ଦେଇଥିଲେ। ତାଙ୍କ ପାଖରେ କିଛି ନୂଆ କରିବାର ଭାବନା ଓ ଦୃଢ଼ ସଙ୍କଳ୍ପ ଥିଲା। ଯୁବ ଖେଳାଳିଙ୍କୁ ଦୃଢ଼ ସମର୍ଥନ କରିବା ସହ ଗାଙ୍ଗୁଲି ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳିବାର ସୁଯୋଗ ଦେଇଥିଲେ’’ ବୋଲି ଜାଫର କହିଛନ୍ତି। ଜାଫର ୨୦୦୦ ମସିହାର ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ସେହି ଶୃଙ୍ଖଳା କିନ୍ତୁ ଫିକ୍ସିଂ କେଳେଙ୍କାରୀ ପାଇଁ ବେଶ୍ ବିବାଦୀୟ ହୋଇଥିଲା।

ଏହା ପରେ ଭାରତୀୟ କ୍ରିକେଟ୍‌ରେ ବ୍ୟାପକ ପରିବର୍ତ୍ତନ ହେବା ସହ ଗାଙ୍ଗୁଲିଙ୍କୁ ଭାରତୀୟ ଦଳର ନେତୃତ୍ବ ମିଳିଥିଲା। ସେ ନୂଆ କରି ଭାରତୀୟ ଦଳକୁ ଗଢ଼ିବା ଆରମ୍ଭ କରିଥିଲେ। ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଜାହିର ଖାନ୍ ଓ ହରଭଜନ ସିଂହଙ୍କ ଭଳି ଖେଳାଳିଙ୍କୁ ଭାରତୀୟ ଦଳକୁ ଆଣିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗାଙ୍ଗୁଲି ମଧ୍ୟ ସେହବାଗଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ଖେଳାଇବାର ସାହାସ ଦେଖାଇଥିଲେ ବୋଲି ଜାଫର ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଗାଙ୍ଗୁଲି ୧୪୬ ଦିନିକିଆରେ ଭାରତର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ସେଥିମଧ୍ୟରୁ ଭାରତ ୭୬ ମ୍ୟାଚ୍ ଜିତିବା ସହ ୬୫ ମ୍ୟାଚ୍ ହାରିଥିଲା। ଅଧିନାୟକ ଦାୟିତ୍ବ ତୁଲାଇଥିବା‌ ୪୯ ଟେଷ୍ଟ୍‌ରୁ ଗାଙ୍ଗୁଲି ୨୧ ବିଜୟ, ୧୩ ପରାଜୟ ଓ ୧୫ ଅମୀମାଂସିତ ପାଇଥିଲେ। ବ୍ୟକ୍ତିଗତ ଭାବେ ୧୧୩ ଟେଷ୍ଟ୍ ଓ ୩୧୧ ଦିନିକିଆ ଖେଳି ସେ ଯଥାକ୍ରମେ ୭୨୧୨ ଓ ୧୧୩୬୩ ରନ୍ କରିଥିଲେ। ୨୨ ଶତକ ଅର୍ଜନ କରିଥିବା ଗାଙ୍ଗୁଲି ଦିନିକିଆରେ ସର୍ବାଧିକ ରନ୍ କରିଥିବା ଭାରତୀୟଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ନୂଆଦିଲ୍ଲୀ: ଆଇପିଏଲ୍‌ର ପ୍ରଥମ କିଛି ବର୍ଷରେ କୋଲକାତା ନାଇଟ୍ ରାଇଡର୍ସ (‌କେକେଆର୍‌)ର ପୂର୍ବତନ ପ୍ରଶିକ୍ଷକ ଜନ୍ ବୁକାନନ ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସଂପର୍କରେ ଥିବା ତିକ୍ତତା କଥା ଊଣା ଅଧିକେ ସମସ୍ତଙ୍କୁ ଜଣା। ୨୦୦୮ ମସିହାର ପ୍ରଥମ ସଂସ୍କରଣରେ ଉଭୟଙ୍କ ମଧ୍ୟରେ ଭଲ ତାଳମେଳ ଥିଲା। ୨୦୦୯ ଆସୁଆସୁ କିନ୍ତୁ ଜଣକ ଛାଇ ପଡ଼ିଲେ ଅନ୍ୟ ଜଣକର ନାହି ‌ଡେଉଁଥିଲା। ଗାଙ୍ଗୁଲି ଓ ବୁକାନନଙ୍କ ସଂପର୍କରେ କାହିଁକି ଓ କିଭଳି ଭାବେ ଫାଟ ସୃଷ୍ଟି ହେଲା, ସେହି ଘଟଣା ଉପରୁ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ପରଦା ଉଠାଇଛନ୍ତି। ‘‘ ଆ‌ଇପିଏଲ୍‌ର ପ୍ରଥମ ବର୍ଷରେ କେକେଆର୍‌ରେ ଜନ୍ ବୁକାନନ୍ ଥିଲେ। ରିକି ପଣ୍ଟିଂ ମଧ୍ୟ ଏହି ଦଳରୁ ଖେଳୁଥିଲେ। ସୌରଭ ଗାଙ୍ଗୁଲି ଅଧିନାୟକ ଦାୟିତ୍ବ ତୁଲାଉଥିଲେ। ଗାଙ୍ଗୁଲି-ବୁକାନନଙ୍କ ତିକ୍ତ ସଂପର୍କକୁ ମୁଁ ଅତି ନିକଟରୁ ଦେଖିଛି। ପ୍ରାରମ୍ଭରେ ସେମାନଙ୍କ ସଂପର୍କ ଭଲ ଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ବହୁତ ଖରାପ ହୋଇଯାଇଥିଲା’’ ବୋଲି ଆକାଶ ନିଜ ୟୁ-ଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି। ଗାଙ୍ଗୁଲି ଓ ବୁକାନନଙ୍କ ସଂପର୍କ ଖରାପ ହେବାର କାରଣ ବୁକାନନଙ୍କ କାର୍ଯ୍ୟକରିବାର ଶୈଳୀ ଥିଲା ବୋଲି ଆକାଶ ଉନ୍ମୋଚନ କରିଛନ୍ତି।

ସେ କହିଛନ୍ତି ଯେ ବୁକାନନଙ୍କ କାର୍ଯ୍ୟକରିବା ଶୈଳୀ ଭିନ୍ନ ଥିଲା। ସୌରଭଙ୍କ ସ୍ବଭାବ ମଧ୍ୟ ଅଲଗା ଥିଲା। ଶେଷରେ ସେ ଗାଙ୍ଗୁଲିଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ। ଦ୍ବିତୀୟ ସଂସ୍କରଣରେ ଏହା ହିଁ ଘଟିଥିଲା। କାରଣ କେକେଆର୍‌ ଆଇପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣରେ ଷଷ୍ଠ ସ୍ଥାନରେ ରହିଥିଲା। କେକେଆର୍‌ ୨୦୦୯ରେ ଗାଙ୍ଗୁଲିଙ୍କଠାରୁ ଅଧିନାୟକ ପଦ କାଢ଼ି ନେଇ ନ୍ୟୁଜିଲାଣ୍ଡ୍‌ ତାରକା ବ୍ରେଣ୍ଡନ ମ୍ୟାକଲମଙ୍କୁ ଦେଇଥିଲା। ହେଲେ ଦଳ ଆହୁରି ଖରାପ ପ୍ରଦର୍ଶନ କରି ସବାଶେଷ ଅର୍ଥାତ୍ ଅଷ୍ଟମ ସ୍ଥାନରେ ରହିଥିଲା। ଏହା ପରେ ୨୦୧୦ରେ ବୁକାନନ ବିଦା ହେବା ସହ ଗାଙ୍ଗୁଲି ପୁଣି ଅଧିନାୟକ ପଦକୁ ଫେରିଥିଲେ। ‘‘ବୁକାନନଙ୍କୁ ପ୍ରଶିକ୍ଷକ ପଦ ଛାଡ଼ିବାକୁ ପଡ଼ିଥିଲା। ତେବେ ତାଙ୍କୁ ନେଇ କିଛି କଥାକୁ ଅତିରଞ୍ଜିତ କରି ପ୍ରକାଶ କରାଯାଇଥିଲା। ସେ ତିନି ଜଣ ଅଧିନାୟକ ନିଯୁକ୍ତ କରିବାକୁ ଚାହୁଁଥିବା ଖବରରେ ମଧ୍ୟ ସତ୍ୟତା ନଥିଲା। ହେଲେ ତାଙ୍କର ଗୋଟିଏ କଥା ମୋତେ ଆଦୌ ପସନ୍ଦ ନଥିଲା। ସେ ନିଜ ବନ୍ଧୁ, ପରିବାରବର୍ଗ ସମସ୍ତଙ୍କୁ କେକେଆର୍‌ରେ ସାମିଲ କରିଦେଇଥିଲେ। ଗୋଟିଏ ପଟେ‌ ସେ ଖେଳାଳି ବାଛିବାରେ ଦୁନିଆ ଯାକର ସର୍ତ୍ତ ରଖୁଥିଲେ। ହେଲେ ସହକାରୀ ଅଧିକାରୀ ଭାବେ ତାଙ୍କ ପୂରା ପରିବାର ଦଳ ସହ ଯାତ୍ରା କରୁଥିଲା। ଏହା ମଧ୍ୟ ଗାଙ୍ଗୁଲି ଓ ତାଙ୍କ ସଂପର୍କ ଖରାପ ହେବାର ଅନ୍ୟତମ କାରଣ ଥିଲା। କେକେଆର୍‌ ଇତିହାସରେ ଏହା ଏକ କଳା ଦାଗ ଭଳି’’ ବୋଲି ଆକାଶ ମତ ରଖିଥିଲେ।

ସମ୍ବନ୍ଧିତ ଖବର