ଧୋନିଙ୍କୁ ୱିକେଟ୍‌ରକ୍ଷକ କରିବା ଲାଗି ଗାଙ୍ଗୁଲିଙ୍କୁ ୧୦ ଦିନ ବୁଝାଇବାକୁ ପଡ଼ିଥିଲା: ମୋରେ

ନୂଆଦିଲ୍ଲୀ, ୫ା୬: ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍‌ରକ୍ଷଣ ଦକ୍ଷତା, କୌଶଳ ଏବଂ ଚମତ୍କାରିତା କଥା କାହାକୁ ଅଛପା ନାହିଁ। ୱିକେଟ୍ ପଛରେ ରହି ବିଜୁଳି ଗତିରେ ପ୍ରତିପକ୍ଷଙ୍କୁ ରନ୍‌ଆଉଟ୍ କରିବାରେ ସେ ଯେମିତି ପୂରା ସିଦ୍ଧହସ୍ତ। ହେଲେ ଏକଦା ଧୋନିଙ୍କୁ ବି ଏହି ୱିକେଟ୍‌ରକ୍ଷକ ସ୍ଥାନ ପାଇଁ ଢେର ସଂଘର୍ଷ କରିବାକୁ ପଡ଼ିଥିଲା। ଏହି ଘଟଣା ୨୦୦୩-୦୪ ମସିହାର ଦଲୀପ ଟ୍ରଫିରେ ଘଟିଥିଲା। ସେତେବେଳେ ଉଭୟ ଧୋନି ଏବଂ ପୂର୍ବତନ ଭାରତୀୟ କ୍ରିକେଟର୍‌ ଦୀପ ଦାସଗୁପ୍ତା ପୂର୍ବାଞ୍ଚଳ ଦଳରେ ଥିଲେ, ଆଉ ସୌରଭ ଗାଙ୍ଗୁଲି ଏହି ଦଳର ନେତୃତ୍ବ ନେଉଥିଲେ।

ଉତ୍ତରାଞ୍ଚଳ ବିପକ୍ଷ ଦଲୀପ ଟ୍ରଫି ଫାଇନାଲ୍‌ରେ ଧୋନିଙ୍କୁ ୱିକେଟ୍ ରକ୍ଷଣ କରିବାକୁ ସୁଯୋଗ ଦେବା ଲାଗି ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଅନ୍ତର୍ଜାତୀୟ ୱିକେଟ୍‌ରକ୍ଷକ କିରଣ ମୋ‌ରେଙ୍କୁ ଦୀର୍ଘ ୧୦ ଦିନ କାଳ ଗାଙ୍ଗୁଲିଙ୍କୁ ବୁଝାଶୁଝା କରିବାକୁ ପଡ଼ିଥିଲା। ଏକଥା ନିଜେ ମୋରେ ଏକ ଅନଲାଇନ୍ ଆଲୋଚନାଚକ୍ରରେ ଯୋଗ ଦେଇ କହିଛନ୍ତି। ସେହି ମ୍ୟାଚ୍‌ରେ ଦାସଗୁପ୍ତାଙ୍କ ବଦଳରେ ଧୋନି ୱିକେଟ୍‌ରକ୍ଷଣ କରି ପ୍ରଥମ ପାଳିରେ ୨୧ ଓ ଦ୍ବିତୀୟରେ ୪୭ ବଲ୍‌ରୁ ୬୦ ରନ୍ କରିଥିଲେ। ଏହା ପରେ ଭାରତୀୟ ଏ’ ଦଳରେ ସ୍ଥାନ ପାଇ କେନିଆରେ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିଥିଲେ। ପାକିସ୍ତାନ ଏ’ ଓ କେନିଆ ଏ’ ଅନ୍ୟ ଦୁଇ ଦଳ ଥିବା ଏହି ଶୃଙ୍ଖଳାରେ ଧୋନି ପୁଣି ଥରେ ୱିକେଟ୍‌ରକ୍ଷଣ କରିବାର ସୁଯୋଗ ପାଇଥିଲା। ଯାହାର ପୂରା ଫାଇଦା ଉଠାଇ ସେ ବ୍ୟକ୍ତିଗତ ଭାବେ ୬୦୦ ରନ୍ କରିଥିଲେ। ଏହା ପରେ ଯାହା ଘଟିଲା ତାହା ଇତିହାସ।

ଧୋନି ଭାରତୀୟ ଦଳରେ ସ୍ଥାନ ପାଇବା ସହ ବିଶ୍ବ କ୍ରିକେଟ୍‌ର ସବୁଠାରୁ ଦାମୀ କ୍ରିକେଟର୍‌ ହୋଇପାରିଥିଲେ। ସେ ମଧ୍ୟ ଏକ ଛୋଟ ସହରରୁ ଯାଇ ଭାରତୀୟ ଦଳର ଅନ୍ୟତମ ସଫଳତମ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ। ଏଣୁ ଖେଳାଳିଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ଠିକ୍ ସମୟରେ ସୁଯୋଗ ଦେବା ଉପରେ ମୋରେ ଜୋର ଦେଇଥିଲେ। ଧୋନିଙ୍କ ଅସାଧାରଣ ୱିକେଟ୍‌ରକ୍ଷଣ କଳା ଓ ବଡ଼ ସଟ୍ ଖେଳିବାର ଦକ୍ଷତା କିଭଳି ତାଙ୍କ ନଜରକୁ ଆସିଲା? ସେ ପ୍ରଶ୍ନର ଉତ୍ତର ଦେଇ ମୋରେ କହିଥିଲେ ଯେ ଧୋନିଙ୍କ ବିଷୟରେ ମୁଁ ମୋର ଜଣେ ବନ୍ଧୁଙ୍କଠାରୁ ଅନେକ କିଛି ଶୁଣିଥିଲି। ବ୍ୟକ୍ତିଗତ ଭାବେ ତାଙ୍କୁ ଖେଳୁଥିବାର ଦେଖିବାକୁ ଚାହୁଥିଲି। ରାହୁଲ ଦ୍ରାବିଡ଼ କାମଚଳା ୱିକେଟ୍‌ରକ୍ଷକ ଭାବେ ଭାରତ ପକ୍ଷରୁ ୭୫ ଦିନିକିଆ ଖେଳି ସାରିଥିଲେ। ସେ ମଧ୍ୟ ବିଶ୍ବକପ୍‌ରେ ୱିକେଟ୍‌ରକ୍ଷଣ କରିଥିଲେ। ଏସବୁକୁ ଆଖି ଆଗରେ ରଖି ଆମେ ଜଣେ ବିଶେଷଜ୍ଞ ୱିକେଟ୍‌ରକ୍ଷକ ସନ୍ଧାନରେ ଥିଲୁ। ଧୋନି ଏହାର ଫାଇଦା ପାଇଥିଲେ। ଏପରିକି ଧୋନିଙ୍କ ଖେଳ ଦେଖିବାକୁ ମୁଁ ସ୍ବତନ୍ତ୍ର ଭାବେ ଯାଇଥିଲି। ସୌଭାଗ୍ୟ ବଶତଃ ଧୋନି ସେହି ମ୍ୟାଚ୍‌ରେ ୧୩୦ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ଦଳ କିନ୍ତୁ କେବଳ ୧୭୦ ରନ୍ କରିଥିଲା। ଏହା ପରେ ଦଲୀପ ଟ୍ରଫି ଫାଇନାଲ୍‌ରେ ତାଙ୍କୁ ୱିକେଟ୍‌ରକ୍ଷଣ କରିବାର ସୁଯୋଗ ଦେବା ଲାଗି ଗାଙ୍ଗୁଲିଙ୍କ ସହ ୧୦ ଦିନ ଧରି ବିଚାରବିମର୍ଶ କରିଥିଲି। ଶେଷରେ ଦୀପ ଦାସଗୁପ୍ତାଙ୍କ ସ୍ଥାନରେ ଧୋନିଙ୍କୁ ୱିକେଟ୍‌ରକ୍ଷଣ କରିବାର ସୁଯୋଗ ଦେଇଥିଲେ ଗାଙ୍ଗୁଲି। ଏହା ପରେ ଭାରତୀୟ କ୍ରିକେଟ୍‌ର ଭାଗ୍ୟ ବି ବଦଳି ଯାଇଥିଲା। ଦାସଗୁପ୍ତା ଅବଶ୍ୟ ଭାରତ ପାଇଁ ଖେଳିଥିଲେ। ହେଲେ ଧୋନିଙ୍କ ଭଳି ସଫଳ ହୋଇ ପାରି ନଥିଲେ।

ସମ୍ବନ୍ଧିତ ଖବର