ନୂଆଦିଲ୍ଲୀ: ୟୁଏଇରେ ଜୈବ ସୁରକ୍ଷା ମଧ୍ୟରେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ପ୍ରସ୍ତୁତି ତଦାରଖ କରିବା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଦୁବାଇରେ ପହଞ୍ଚିଛନ୍ତି। ‘‘ଆଇପିଏଲ୍ ପାଇଁ ପ୍ରାୟ ୬ ମାସ ପରେ ପ୍ରଥମ ଥର ବିମାନ ଯାତ୍ରା କରୁଛି ଏବଂ ପାଗଳପ୍ରାୟ ଜୀବନ ବଦଳିଯାଇଛି’’ ବୋଲି ଗାଙ୍ଗୁଲି ଏକ ଫଟୋ ସହ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ରେ ପୋଷ୍ଟ କରିଛନ୍ତି। ଫଟୋରେ କରୋନା ମହାମାରୀ ଜନିତ ବିମାନଯାତ୍ରର କଟକଣାକୁ ନେଇ ଜାରି ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)ର ଅଂଶବିଶେଷ ଭାବେ ଗାଙ୍ଗୁଲି ମାସ୍କ ପିନ୍ଧି ଏବଂ ମୁହଁକୁ ଘୋଡ଼ାଇ ଥିବାର ଦୃଶ୍ୟ ରହିଛି। ଏହା ପୂର୍ବରୁ ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ଦୁବାଇରେ ଅବସ୍ଥାନ କରୁଛନ୍ତି। କଡ଼ା ସ୍ବାସ୍ଥ୍ୟ ସୁରକ୍ଷା ପଦକ୍ଷେପ ସତ୍ତ୍ବେ ଆଇପିଏଲ୍ ପୂର୍ବରୁ ଦୁଇ ଜଣ ଖେଳାଳିଙ୍କ ସମେତ ୧୩ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଏହି ସମସ୍ତ କରୋନା ପଜିଟିଭ୍ ଚେନ୍ନାଇ ସୁପର କିଙ୍ଗ୍ସର। ପଜିଟିଭ୍ ପରେ ସମସ୍ତ ୧୩ ଜଣ ଯାକ ସଂଗରୋଧରେ ରହିଥିଲେ।
ଏଠାରେ ସୂଚନାଯୋଗ୍ୟ, ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ୧୯ ତାରିଖ ଦିନ ଉଦ୍ଘାଟନୀ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରତିଯୋଗିତା ଆରମ୍ଭରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଅନୁମତି ଦିଆଯାଉନଥିଲା ବେଳେ କରୋନା ସ୍ଥିତି ସମୀକ୍ଷା ପରେ ଦ୍ବିତୀୟାର୍ଧ ବେଳକୁ କିଛି ଦର୍ଶକଙ୍କୁ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାର ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି। ଏଥର ଆଇପିଏଲ୍ ୟୁଏଇର ତିନିଟି ଭେନ୍ୟୁ ଦୁବାଇ, ଆବୁଧାବି ଓ ସାର୍ଜାରେ ଖେଳାଯିବ। ଯଦି କରୋନା ଯୋଗୁଁ ଆଇପିଏଲ୍ ସ୍ଥଗିତ ରହିଥା’ନ୍ତା ତାହାଲେ ବିସିସିଆଇ ପ୍ରାୟ ୪୦୦୦ କୋଟି ଟଙ୍କାର କ୍ଷତି ସହିଥା’ନ୍ତା।