ବୀରୁଙ୍କ ଖେଳ ଜୀବନକୁ ବଡ଼ ମୋଡ଼ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବୀରେନ୍ଦ୍ର ସେହବାଗଙ୍କୁ ଏବେ ବି ଭାରତର ସଫଳ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ର ମାନ୍ୟତା ମିଳୁଛି। ନିଜ ଖେଳ ଜୀବନର ବିଭିନ୍ନ ଭାଗରେ ସେ ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକରଙ୍କ ସହ ବ୍ୟାଟିଂ କରିଥିଲେ। ପ୍ରଥମ ବଲ୍‌ରୁ ବୋଲରଙ୍କ ଲୟ ବିଗାଡ଼ିବା ସହିତ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସଚିନଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଦିନିକିଆରେ ଦ୍ବିଶତକ ଏବଂ ପ୍ରଥମ ଭାରତୀୟ ଭାବେ ଟେଷ୍ଟ୍‌ରେ ତ୍ରିଶତକ ହାସଲ କରିଥିଲେ। କିନ୍ତୁ ସେହବାଗଙ୍କୁ ଏତେ ସବୁ ସଫଳତା ମିଳିବା ପଛରେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଯୋଗଦାନ ରହିଥିଲା। ଖେଳ ଜୀବନର ପ୍ରାରମ୍ଭରେ ସେହବାଗ ମଧ୍ୟକ୍ରମରେ ଖେଳୁଥିଲେ। ଏହି ସ୍ଥାନରେ ଖେଳିଥିଲେ ନିଶ୍ଚିତ ଭାବେ ତାଙ୍କୁ ଅଧିକ ଦିନ କିମ୍ବା ଅଧିକ ସଫଳତା ମିଳି ପାରି ନଥାଆନ୍ତା। କାରଣ ସେତେବେଳେ ଭାରତର ମଧ୍ୟକ୍ରମ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଭିଭିଏସ୍ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡ଼ଙ୍କୁ ନେଇ ରୁଦ୍ଧିମନ୍ତ ଥିଲା।

ସେହବାଗଙ୍କୁ ଏମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁଥିଲା, ବିଶେଷ କରି ଟେଷ୍ଟ୍‌ କ୍ରିକେଟ୍‌ରେ। ଗାଙ୍ଗୁଲି କିନ୍ତୁ ତାଙ୍କୁ ପାଳି ଆରମ୍ଭ କରିବା ଲାଗି ଦେଇଥିବା ସ‌ୁଯୋଗ ବୀରେନ୍ଦ୍ର ସେହବାଗଙ୍କୁ ଭିନ୍ନ ଏକ ଖେଳାଳି ଭାବେ ଗଢ଼ି ତୋଳିଥିଲା। ଏହି କଥା ଉପରୁ ପରଦା ହଟାଇଛନ୍ତି କେକେଆର୍‌ର ପୂର୍ବତନ ନ‌ିର୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ। ‘ଯୁବରାଜଙ୍କୁ ଦେଖନ୍ତୁ, ସେହବାଗଙ୍କୁ ବି ଦେଖନ୍ତୁ’। ସେହବାଗଙ୍କ ପାଇଁ ଗାଙ୍ଗୁଲି କ’ଣ କରିଥିଲେ ବିଚାର କରନ୍ତୁ। ବୀରୁଙ୍କୁ ଦିନେ ଦାଦା କହିଥିଲେ ‘ମଧ୍ୟକ୍ରମ ଜାମ ଅଛି, ତୁମକୁ ଯଦି ଭାରତ ପାଇଁ ଲମ୍ବା ଖେଳିବାର ଅଛି ତେବେ ପାଳି ଆରମ୍ଭ କରିବାକୁ ପଡ଼ିବ। ମଧ୍ୟକ୍ରମରେ ମୁଁ, ତେନ୍ଦୁଲକର, ଲକ୍ଷ୍ମଣ, ଦ୍ରାବିଡ଼…ପ୍ରମୁଖ ରହିଛନ୍ତି। ତୁମକୁ କେଉଁଠି ସ‌ୁଯୋଗ ମିଳିବ? ଯୁବରାଜ ସିଂହ ମଧ୍ୟ ଏହି କାରଣରୁ ପାଳି ଆରମ୍ଭ ସୁଯୋଗ ପାଇପାରୁନାହାନ୍ତି।’ ଗାଙ୍ଗୁଲିଙ୍କ ଏହି କିଛି କଥା ପରେ ପାଳି ଆରମ୍ଭ କରିବାକୁ ହଁ ଭରିଥିବା ସେହବାଗ ୨୫୧ ଦିନିକିଆ ଖେଳି ୧୫ ଶତକ ସହିତ ୮,୨୭୩ ରନ୍ କରିଥିଲେ। ସେହ‌ିଭଳି ୧୦୪ ଟେଷ୍ଟରୁ ୨୩ ଶତକ ବଳରେ ୮,୫୮୬ ରନ୍ କରିଥିଲେ। ବିଶ୍ବ କ୍ରିକେଟ୍‌ରେ ଅନ୍ୟତମ ସଫଳ ବିଧ୍ବଂସୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ବିବେଚିତ ହୋଇଥିଲେ। ୨୦୦୧ରେ କଲମ୍ବୋରେ ପ୍ରଥମ ଥର ଦିନିକିଆ ପାଳି ଆରମ୍ଭ କରିଥିବା ସେହବାଗ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରବର୍ତୀ ମ୍ୟାଚ୍‌ରେ କିନ୍ତୁ ଗାଙ୍ଗୁଲି ତାଙ୍କୁ ପୁଣି ପାଳି ଆରମ୍ଭ କରିବାକୁ ସୁଯୋଗ ଦେଇଥିଲେ। ଯେଉଁଠି ସେହବାଗ ପ୍ରଥମ ଦିନିକିଆ ଶତକ ହାସଲ କରି ନେଇଥିଲେ।

ସମ୍ବନ୍ଧିତ ଖବର