ମୁହଁ ଖୋଲିଲେ ଗାଙ୍ଗୁଲି: କୋହଲିଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ

ଅଜାଡ଼ିଲେ ପ୍ରଶଂସା, କୃତଜ୍ଞତା ଓ ଭଲପାଇବା

ମୁମ୍ବାଇ: ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ପଦରୁ ବିରାଟ କୋହଲି ଅଚାନକ ଓ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ଘୋର ଆଲୋଡ଼ନ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। କୋହଲିଙ୍କ ଏହି ବିରାଟ ନିଷ୍ପତ୍ତି ପାଇଁ ତାଙ୍କ ପ୍ରଶଂସକମାନେ ବିସିସିଆଇ, ଗାଙ୍ଗୁଲି ଓ ଚୟନକର୍ତ୍ତାଙ୍କୁ ଦାୟୀ କରୁଥିଲା ବେଳେ ଗାଙ୍ଗୁଲି କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରତି କୋହଲି ଦେଇଥିବା ଅତୁଳନୀୟ ଅବଦାନକୁ ପ୍ରଶଂସା କରିଛନ୍ତି। ତା’ ସହ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସ୍ପଷ୍ଟ କରି ଦେଇଛନ୍ତି। ‘‘ ବିରାଟଙ୍କ ନେତୃତ୍ବରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ଭାରତ ଅତି ଦ୍ରୁତ ଗତିରେ ପ୍ରଗତି କରିଛି। ତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଏବଂ ବିସିସିଆଇ ଏହାକୁ ସମ୍ମାନ କରେ। ଦଳକୁ ସଫଳତାର ନୂଆ ସ୍ତରକୁ ନେବା ଦିଗରେ ସେ ଜଣେ ମହତ୍ବପୂର୍ଣ୍ଣ ସଦସ୍ୟ ହୋଇ ରହିବେ। ଜଣେ ମହାନ ଖେଳାଳି, ଅତି ଚମତ୍କାର ଖେଳିଲ। ଭାରତୀୟ କ୍ରିକେଟ୍ ପ୍ରତି କରିଥିବା ଅବଦାନ ଲାଗି ମୁଁ ବ୍ୟକ୍ତିଗତ ଭାବେ ତୁମକୁ ଧନ୍ୟବାଦ ଦେଉଛି’’ ବୋଲି ଗାଙ୍ଗୁଲି ଟ୍ବିଟ୍ କରିଥିଲେ। ଏହା ପୂର୍ବରୁ ଚୟନକର୍ତ୍ତା କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବହି‌ଷ୍କାର କରିବା ପରେ ଗାଙ୍ଗୁଲିଙ୍କୁ କୋହଲି ପରୋକ୍ଷ କଟାକ୍ଷ କରିଥିଲେ। ଟ୍ବେଣ୍ଟି-୨୦ ଅଧିନାୟକ ପଦ ନଛାଡ଼ିବା‌ ଲାଗି ମୁଁ ବ୍ୟକ୍ତିଗତ ଭାବେ ବିରାଟଙ୍କୁ ଅନୁରୋଧ କରିଥିଲି ବୋଲି ଗାଙ୍ଗୁଲି ସେତେବେଳେ କହିଥିଲେ। ହେଲେ ଏଭଳି କୌଣସି ଘଟଣା ଘଟି ନଥିଲା ବୋଲି କୋହଲି ସାମ୍ବାଦିକ ସମ୍ମିଳନୀରେ ଖୋଲାଖୋଲି ଭାବେ ମତ ରଖିଥିଲେ। ଏପରିକି ଦିନିକିଆ ଅଧିନାୟକ ପଦରୁ ହଟାଇବାର ମାତ୍ର ଘଣ୍ଟାକ ପୂର୍ବରୁ ଚୟନକର୍ତ୍ତା ଏହି ନିଷ୍ପତ୍ତି ତାଙ୍କୁ ଜଣାଇଥିଲେ ବୋଲି ଅଭିଯୋଗ କରିଥିଲେ କୋହଲି।

ସଭାପତି ଗାଙ୍ଗୁଲିଙ୍କ ଭଳି ବିସିସିଆଇ ସଂପାଦକ ଜୟ ଶାହ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ କୋହଲି ଦେଇଥିବା ଅବଦାନକୁ ସଲାମ କରିଛନ୍ତି। ସେ ଟ୍ବିଟ୍ କରିଥିଲେ ଯେ କୋହଲି ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇଥିବା ମହାନ ଅଧିନାୟକଙ୍କ ଭିତରୁ ଅନ୍ୟତମ। ଅଧିନାୟକ ଭାବେ ତାଙ୍କ ବ୍ୟକ୍ତିଗତ ରେକର୍ଡ ଓ ଅବଦାନ କାହାଠାରୁ କମ୍ ନୁହେଁ। ଭାରତକୁ ୪୦ ଟେଷ୍ଟ୍‌ରେ ବିଜୟୀ କରାଇବା ଏହାର ବଳିଷ୍ଠ ପ୍ରମାଣ। ତାଙ୍କ ନେତୃତ୍ବରେ ଦଳ ଭାରତ ଓ ଭାରତ ବାହାରେ ଅନେକ ସ୍ମରଣୀୟ ବିଜୟ ହାସଲ କରିଛି। ତାଙ୍କ ଉଦ୍ୟମ ସାଥୀ ଏବଂ ଉଦୀୟମାନ ତଥା ଯୁବ ଖେଳାଳିଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହିବ। ‘‘ବିରାଟଙ୍କ ଭଳି କ୍ରିକେଟ୍‌ରେ ବିରଳ। ତାଙ୍କ ଭଳି ଜଣେ କ୍ରିକେଟର୍‌ଙ୍କୁ ପାଇ ଭାରତ ଭାଗ୍ୟଶାଳୀ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଟ୍ବିଟ୍ କରିଥିଲେ। ଅନ୍ୟପକ୍ଷରେ କୋଷାଧ୍ୟକ୍ଷ ରାଜୀବ ଧୁମଲ ଲେଖିଥିଲେ ‌ଯେ ଜଣେ ଅଧିନାୟକ ଭାବେ କୋହଲି ସବୁବେଳେ ନିଜର ଶତପ୍ରତିଶତ ଦେଇଆସିଛନ୍ତି। ତାଙ୍କ ରେକର୍ଡ ଏହାର ମୁକସାକ୍ଷୀ। ଭାରତର ଟେଷ୍ଟ୍ ଅଧିନାୟକ ହେବା ପରେ ପରେ ହିଁ ଦଳ ଯେମିତି ସଫଳତାର ଶୀର୍ଷ ଛୁଇଁବ ଏବଂ ସମଗ୍ର ବିଶ୍ବରେ ଅଧିପତ୍ୟ ବିସ୍ତାର କରିବ ତାହା ସେ ସୁନିଶ୍ଚିତ କରିଥିଲେ।

କେବଳ ଭାରତ ନୁହେଁ, ବିଶ୍ବ କ୍ରିକେଟ୍ ପାଇଁ କୋହଲି ଦେଇଥିବା ଅବଦାନ ଲାଗି ତାଙ୍କୁ ଚାରିଆଡୁ ପ୍ରଶଂସାର ସୂଅ ଛୁଟିଛି। ତେବେ ସେ ଯେଭଳି ଭାବେ ଅଚାନକ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିଲେ ତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ବି ସୃଷ୍ଟି ହୋଇଛି। କ୍ରିକେଟ୍ ଜଗତ ତାଙ୍କ ନିଷ୍ପତ୍ତିକୁ ‌ନେଇ ଏକପ୍ରକାର ବିଭାଜିତ। ପୂର୍ବତନ କ୍ରିକେଟରମାନେ ବି ଭିନ୍ନ ଭିନ୍ନ ମନ୍ତବ୍ୟ ପ୍ରକାଶ କରିଛନ୍ତି।
:ସୁନିଲ ଗାଭାସ୍କର: କୋହଲିଙ୍କ ନିଷ୍ପତ୍ତିରେ ମୁଁ ଆଦୌ ବିସ୍ମିତ ନୁହେଁ। ମୁଁ ଭାବୁଥିଲି ଏହା ପୁରସ୍କାର ବିତରଣୀ ଉତ୍ସବ (ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଶୃଙ୍ଖଳାର ପୁରସ୍କାର ବିତରଣୀ ଉତ୍ସବ)ରେ ଆସିଯିବ। ହେଲେ ସେତେବେଳେ ଶୃଙ୍ଖଳା ପରାଜୟ ରାଗରେ ସେ (କୋହଲି) ଏଭଳି ନିଷ୍ପତ୍ତି ନେଲେ ବୋଲି ଲାଗିଥା’ନ୍ତା। ଏଣୁ କିଛି ସମୟର ବ୍ୟବଧାନ ପରେ ଏହି ଘୋଷଣା ଆସିଲା। ଭଲ କଥା।
:ସଞ୍ଜୟ ମଞ୍ଜରେକର: ଦିନିକିଆ ଭଳି ଟେଷ୍ଟ୍ ଅଧିନାୟକ ପଦ ତାଙ୍କଠୁ ଚାଲିଯିବା କଥା କୋହଲି ଠଉରାଇ ନେଇଥିଲେ। ଏଣୁ ଆଗୁଆ ପଦ ଛାଡ଼ିଦେଲେ। ସତ କହିବାକୁ ଗଲେ ତାଙ୍କୁ କେହି ଅଧିନାୟକ ପଦରୁ ହଟାନ୍ତୁ ବୋଲି କୋହଲି ଚାହୁ ନଥିଲେ। ସେ ଏଭଳି ଭାବେ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବାର ଏହା ଏକ ବଡ଼ କାରଣ ବୋଲି ମୁଁ ଭାବୁଛି। କୋହଲିଙ୍କ ଚାରିପଟର ଦୃଶ୍ୟପଟ୍ଟ ବଦଳୁଛି, ଏଣୁ ସେ ମଧ୍ୟ ନିଜକୁ ବଦଳାଉଛନ୍ତି।
:ଯଶପ୍ରୀତ ବୁମ୍‌ରା: ସାଧୁତା, ସୂକ୍ଷ୍ମ ଜ୍ଞାନ ଓ ସଭିଁଙ୍କୁ ନେଇ ଚଳିବା ଗୁଣ ତୁମକୁ ଜଣେ ମହାନ ଅଧିନାୟକ କରି ଗଢ଼ି ତୋଳିଥିଲା। ତୁମ ଅଧୀନରେ ଖେଳି ମୁଁ ଗର୍ବିତ।
:ରବିଚନ୍ଦ୍ର ଅଶ୍ବିନ୍: ମହାନ ଅଧିନାୟକମାନେ ସେମାନଙ୍କ ବିଜୟର ପରିସଂଖ୍ୟାନ ଓ ପଦ୍ଧତିକୁ ନେଇ ଆଲୋଚନାକୁ ଆସନ୍ତି। ନିଜେ ଉଦାହରଣ ସାଜି ତୁମେ ପରବର୍ତ୍ତୀ ପିଢ଼ି ପାଇଁ ଦଳର ଲକ୍ଷ୍ୟସ୍ତରକୁ ଉଚ୍ଚକୁ ନେଇଯାଇଛ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଆଦି ଦେଶରେ ଭାରତର ବିଜୟକୁ ଲୋକେ ସବୁଦିନ ଆଲୋଚନା କରୁଥିବେ।
:ଈଶାନ୍ତ ଶର୍ମା: ପିଲାବେଳୁ ଆମେ ଡ୍ରେସିଂ ରୁମ୍‌ରେ, ପଡ଼ିଆ ଭିତରେ ଓ ବାହାରେ ଆମର ପ୍ରତିଟି ସ୍ମରଣୀୟ ମୁହୂର୍ତ୍ତକୁ ଉପଭୋଗ କରିଛୁ। ମୁଁ ଯେ ଦିନେ ୧୦୦ ଟେଷ୍ଟ ଖେଳିବି, ସେତେବେଳେ ଆଦୋୖ ଭାବିନଥିଲି। ସବୁକିଛି ପାଇଁ ଧନ୍ୟବାଦ।
:ସୁନୀଲ ସେଟ୍ଟି (ଚଳଚ୍ଚିତ୍ର ଅଭିନେତା) : ଓ’ କ୍ୟାପ୍‌ଟେନ୍! ତୁମେ ଦେଶ ପାଇଁ ଝାଳ ଓ ରକ୍ତ ଦେଇଛ। ଦେଶବିଦେଶ ସର୍ବତ୍ର ଏକ ବିଜୟୀ ଶକ୍ତି ଭାବେ ଦଳକୁ ଉଭା କରିଛ। ବାଉନ୍‌ସର୍‌ର ଆଘାତକୁ ହସିହସି ଦେହକୁ ନେଇ ଦେଶକୁ ନମ୍ବର ୱାନ୍ କରାଇଛ। ଲୋତକଭରା ଆଖିରେ କୃତଜ୍ଞତା ଜଣାଉଛି। ଭାରତକୁ ଜିତାଇଚାଲ।
:ହର୍ଷ ଭୋଗଲେ: କ୍ରିକେଟ୍‌ ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ ବୋଲି କୋହଲି ଯାହା କହିଛନ୍ତି କେହି ଅସ୍ବୀକାର କରିପାରିବେନି। ସେ ଆଗକୁ ମଧ୍ୟ ଏହା ନିଃସନ୍ଦେହରେ ବଜାୟ ରଖିବେ। ହେଲେ ତାଙ୍କର ଅଧିନାୟକତ୍ବ ଛାଡ଼ିବା ନିଷ୍ପତ୍ତିକୁ ହଜମ କରିବାକୁ ଆମକୁ ବେଶ କିଛି ସମୟ ଲାଗିଯିବ।
:ଚେତେଶ୍ବର ପୂଜାରା: ତୁମେ ଭାରତୀୟ କ୍ରିକେଟକୁ ଉଚ୍ଚତର ସୋପାନକୁ ନେଇଛ। ମୁଁ ନିଶ୍ଚିତ, ଆଗକୁ ମଧ୍ୟ ତୁମର ବହୁତ ଯୋଗଦାନ ରହିବ।
:ଡବ୍ଲୁଭି ରମଣ: ୨୦୦୮ ଜାନୁଆରିର ଏକ ଶୀତୁଆ ସକାଳେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ଉପରେ ଦାଖଲ କରିଥିବା ଏକ ରିପୋର୍ଟରେ ଯୁବ ଅଧିନାୟକ ଜଣଙ୍କ ବିଷୟରେ ସ୍ପଷ୍ଟ ଲେଖିଥିଲି, ଏ ପିଲାଟି ଟିମ୍‌ ଇଣ୍ଡିଆ ପାଇଁ ଖେଳିବା ସହ ଦିନେ ଦଳର ନେତୃତ୍ବ ମଧ୍ୟ ନେବ। ‘ତମେ ମାତ୍ର ୧୫ ଦିନରେ ଏତେକଥା ଜାଣିଗଲ!’ ବୋଲି ମୋତେ ସେତେବେଳେ ବିଦ୍ରୂପ କରାଯାଇଥିଲା। ବିରାଟ କୋହଲି ନାମକ ସେଇ ପିଲାଟି ଯାହା କଲା ତାହା ସମସ୍ତେ ସ୍ପଷ୍ଟ ଦେଖିଲେ।
:ଉମେଶ ଯାଦବ: ତୁମେ ଦଳକୁ ବିଶ୍ବର ଶ୍ରେଷ୍ଠ କ୍ରିକେଟ ଶକ୍ତି ଭାବେ ଗଢ଼ିଲ। ତୁମର ପରବର୍ତ୍ତୀ ଅଧ୍ୟାୟରେ ତୁମେ ଅନୁରୂପ ଯୋଗଦାନ ଦ୍ବାରା ଦେଶପାଇଁ ଆହୁରି ଅନେକ ସଫଳତା ଆଣିବା ନେଇ ମୁଁ ନିଶ୍ଚିତ।
:ମହମ୍ମଦ ସାମି: ତୁମେ ହେଉଛ ଏଭଳି ଏକ ସ୍ବାଭାବିକ ନେତୃତ୍ବର ପ୍ରତୀକ ଯିଏ କି ଦଳକୁ ଦେଶ ବାହାରେ ମଧ୍ୟ ଏକ ମହାଶକ୍ତିରେ ପରିଣତ କରିଥିଲା। ଏବେ ତୁମ ବ୍ୟାଟ୍ କଥା କହିବ ଭାବୁଛି।
:ମହମ୍ମଦ ଆମିର (ପାକ୍‌ କ୍ରିକେଟର୍‌): ଭା‌ଇ ମୋ ପାଇଁ ତୁମେ ହେଉଛ ଜଣେ ସଚ୍ଚା ଅଧିନାୟକ। ଆଗାମୀ ପିଢ଼ି ତୁମ ପାଖରୁ ସବୁବେଳେ ପ୍ରେରଣା ନେବ।
:ସେନ୍ ୱର୍ଣ୍ଣ (ଅଷ୍ଟ୍ରେଲୀୟ ସ୍ପିନ୍‌ କିଂବଦନ୍ତି): ଟେଷ୍ଟ୍ କ୍ରିକେଟ୍‌କୁ ଦେଇଥିବା ଭଲପାଇବା ଓ ସମର୍ଥନ ଲାଗି ଅଶେଷ ଅଶେଷ ଧନ୍ୟବାଦ ବନ୍ଧୁ। ତୁମ ନେତୃତ୍ବରେ ଭାରତ ଯାହା ହାସଲ କରିଛି ତାହା ନିଶ୍ଚିତ ଭାବେ ଅତୁଳନୀୟ ଓ ଅନନ୍ୟ।
:ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକୀୟ କ୍ରିକେଟର୍‌): ବହୁତ ଭଲ ବିରାଟ। ତୁମେ ନିଶ୍ଚିତ ଭାବେ ସ୍ତର ବଢ଼ାଇଛ। ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ସମ୍ବନ୍ଧିତ ଖବର