ମାହିଙ୍କୁ ମାର୍ଗଦର୍ଶକ କରିବାର କାରଣ କହିଲେ ଗାଙ୍ଗୁଲି

ପଞ୍ଚମ ଟେଷ୍ଟ୍‌କୁ ନେଇ ଛକାପଞ୍ଝା ଜାରି

ମୁମ୍ବାଇ: ୟୁଏଇରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ‌ଘୋଷିତ ୧୫ ଜଣିଆ ଭାରତୀୟ ଦଳର ମାର୍ଗଦର୍ଶକ ଭାବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନିଯୁକ୍ତ କରିବାର କାରଣ ଉପରୁ ପରଦା ଉଠାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ‘‘ ଏହା କେବଳ ବିଶ୍ବକପ୍‌ରେ ଭାରତୀୟ ଦଳକୁ ଅତିରିକ୍ତ ସହାୟତା ଦେବା ଲାଗି କରାଯାଇଛି। ଭାରତ ଓ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଧୋନିଙ୍କର ବେଶ୍ ଭଲ ରେକର୍ଡ ରହିଛି। ଏଭଳି ଏକ ନିଷ୍ପତ୍ତି ପଛରେ ସାରଗର୍ଭକ ଚର୍ଚ୍ଚା ଏବଂ ନିରନ୍ତର ଗବେଷଣା ଭରି ରହିଛି। ଆମେ ଢେର ସମୟ ଚର୍ଚ୍ଚା କରିବା ପରେ ତାଙ୍କୁ ଦଳ ସହ ରଖିବାକୁ ନିଷ୍ପତ୍ତି ନେଇଥିଲୁ। କାରଣ ଆମେ ୨୦୧୩ ମସିହା ପରଠାରୁ ଆଉ କୌଣସି ଆଇସିସି ଟ୍ରଫି ଜିତିନାହୁଁ’’ ବୋଲି ଗାଙ୍ଗୁଲି ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଥିଲେ। ଗାଙ୍ଗୁଲି କହିଥିବା କଥା ବି ପୂରା ଠିକ୍। ଭାରତ ଶେଷ ଥର ପାଇଁ ୨୦୧୩ ମସିହାରେ ଇଂଲଣ୍ଡରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଏହା ପରେ ଏକାଧିକ ଆଇସିସି ପ୍ରତିଯୋଗିତାର ସେମିଫାଇନାଲ୍ ଓ ଫାଇନାଲ୍ ଯାଇଥିଲେ ମଧ୍ୟ ବିଜେତା ହେବାର ଗୌରବ ଅର୍ଜନ କରିପାରିନାହିଁ। ମହତ୍ବପୂର୍ଣ୍ଣ କଥା ହେଲା ଭାରତ ତାର ଶେଷ ଆଇସିସି ଟ୍ରଫି ଧୋନିଙ୍କ ନେତୃତ୍ବରେ ହିଁ ଜିତିଥିଲା। ଏହି କ୍ଷେତ୍ରରେ ଗାଙ୍ଗୁଲି ମଧ୍ୟ ୨୦୧୯ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ତା’ର ପୂର୍ବତନ ଅଧିନାୟକ ଷ୍ଟିଭ୍ ୱ’ଙ୍କୁ ନିଜ ଦଳର ମାର୍ଗଦର୍ଶକ କରିବା ଉଦାହରଣ ଦେଇଥିଲେ। ‘‘ଆପଣ ମନେପକାନ୍ତୁ ଗତ ଆସେସ୍ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୨-୨ରେ ବରାବର ରଖିବା ବେଳେ ଷ୍ଟିଭ୍ ୱ’ ସେମାନଙ୍କ ମାର୍ଗଦର୍ଶକ ଥିଲେ। ବଡ଼ ବଡ଼ ପ୍ରତିଯୋଗିତାରେ ଏଭଳି ମହାନ ଖେଳାଳିଙ୍କ ଉପସ୍ଥିତି ସବୁବେଳେ ଲାଭଦାୟକ ହୋଇଥାଏ’’ ବୋଲି ଗାଙ୍ଗୁଲି ମତ ରଖିଥିଲେ।

ମାଞ୍ଚେଷ୍ଟର: ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ୍‌କୁ ନେଇ ବିସିସିଆଇ ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ଟଣା ଓଟରା ଜାରି ରହିଛି। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ଭାରତୀୟ ପ୍ରଶିକ୍ଷକ ମଣ୍ଡଳିର ଚାରି ଜଣ ସଦସ୍ୟ କରୋନା ପଜିଟିଭ୍ ଆସିବା ପରେ ଏହି ପ୍ରତୀକ୍ଷିତ ଟେଷ୍ଟ୍‌କୁ ସଂପୂର୍ଣ୍ଣ ବାତିଲ କରି ଦିଆଯାଇଥିଲା। ତେବେ ମ୍ୟାଚ୍‌ଟି ବାତିଲ ହେଲା ନା ସ୍ଥଗିତ ହେଲା କିମ୍ବା ଭାରତ ନିଜ ଆଡ଼ୁ ଏହାକୁ ବାଜ୍ୟାପ୍ତି କଲା, ସେକଥା‌ ଏପର୍ଯ୍ୟନ୍ତ ସଂଶୟ ଭିତରେ ରହିଛି। ଭାରତ ମ୍ୟାଚ୍‌ରୁ ଓହରି ଯାଇଥିବା ବିବେଚନା କରି ଇଂଲଣ୍ଡକୁ ବିଜୟୀ ଘୋଷଣା କରିବାକୁ ଆଇସିସି ଉପରେ ଚାପ ପକାଉଛି ଇସିବି। ଭାରତ କିନ୍ତୁ ପାଞ୍ଚ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବାରୁ ବିନା ଲଢ଼େଇରେ ଇଂଲଣ୍ଡକୁ ବିଜୟ ଉପହାର ଦେବାକୁ କୁଣ୍ଠାବୋଧ କରୁଛି। ବରଂ ଉଭୟ ପକ୍ଷର ସହମତିରେ ପରବର୍ତ୍ତୀ ସମୟରେ ଏହି ମ୍ୟାଚ୍‌କୁ ଆୟୋଜନ କରିବା ସପକ୍ଷରେ ରହିଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଏହି ବିକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ଇସିବି ଏଥିନେଇ ଆଇସିସିର ଦ୍ବାରସ୍ଥ ହୋଇଛି। ଆଇସିସି ବିବାଦ ସମାଧାନ ସମିତି (ଡିଆର୍‌ସି)କୁ ପତ୍ର ଲେଖି ମ୍ୟାଚ୍‌ର ଫଳା‌ଫଳ ନେଇ ଆସନ୍ତା କିଛି ଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛି ଇସିବି।

ମା‌ଞ୍ଚେଷ୍ଟର ମ୍ୟାଚ୍‌କୁ ନେଇ ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ଗାଙ୍ଗୁଲି କହିଛନ୍ତି ଯେ ଆମେ ଚାହୁଛୁ ଶୃଙ୍ଖଳା ଶେଷ ହେଉ। କାରଣ ୨୦୦୭ ମସିହା ପରେ ଏହା ଆମର ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶୃଙ୍ଖଳା ବିଜୟ ହେବ। ବିସିସିଆଇ ସବୁବେଳେ କହି ଆସିଛି ଯେ ଟେଷ୍ଟ୍ କ୍ରିକେଟ୍ ହେଉଛି କ୍ରିକେଟ୍‌ର ଶ୍ରେଷ୍ଠ ରୂପ। ଆମେ କୌଣସି ପରିସ୍ଥିତିରେ ଏଥିନେଇ ସାଲିସ କରିବୁ ନାହିଁ। ଆଗାମୀ ସମୟରେ ଯଦି ଏହି ମ୍ୟାଚ୍ ଖେଳାଯାଏ, ତାହାଲେ ଏହା ଶୃଙ୍ଖଳାର ଅଂଶବିଶେଷ ହେବ। ପଞ୍ଚମ ଟେଷ୍ଟ୍ ଭାବେ ଖେଳାଯିବ। ଗତ ୧୮ ମାସ ଭିତରେ କୋଭିଡ୍ ସଂକ୍ରମଣ ପାଇଁ ଅନେକ ମ୍ୟାଚ୍ ବାତିଲା ହେବାର ଉଦାହରଣ ବି ରହିଛି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାକୁ ବିସିସିଆଇ ଏହି କାରଣରୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ଏଥିଲାଗି ଆମେ ପାଖାପାଖି ୪୦୦ କୋଟି ଟଙ୍କାର କ୍ଷତି ସହିଥିଲୁ। ଭବିଷ୍ୟତରେ ଦଳ ମଧ୍ୟରେ କୋଭିଡ୍ ସଂକ୍ରମଣ ହେଲେ ବି ଶୃଙ୍ଖଳା ଯଥାରୀତି ଚାଲୁ ରହିବାର ଆଶାପୋଷଣ କରି ଗାଙ୍ଗୁଲି ଆହୁରି କହିଥିଲେ ଯେ ମ୍ୟାଚ୍ ଖେଳ ହୋଇନପାରିବା ନେଇ ଆମେ ଅତ୍ୟନ୍ତ ବ୍ୟଥିତ।

ଏହାର ଏକମାତ୍ର କାରଣ ହେଉଛି କୋଭିଡ୍ ସଂକ୍ରମଣ ଏବଂ ଖେଳାଳିଙ୍କ ସୁରକ୍ଷା। ଆମେ ସେମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ହିଁ ଚାପ ପକାଇ ପାରିବୁ। ମ୍ୟାଚ୍ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଥିବା ବରିଷ୍ଠ ଖେଳାଳିଙ୍କୁ ବାଦ ଦେଇ ନୂଆ ଦଳ ସହ ପଡ଼ିଆକୁ ଓହ୍ଲାଇବାକୁ ଭାରତ ଚିନ୍ତା କରିଥିଲା କି? ପ୍ରଶ୍ନର ଉତ୍ତର ଗାଙ୍ଗୁଲି ନକାରାତ୍ମକ ଢଙ୍ଗରେ ଦେଇଥିଲେ। ‘‘ ନା, ଆମ ପାଇଁ ଏହା ଏକ ବିକଳ୍ପ ନଥିଲା। ଯୋଗେଶ ପରମାର (ଭାରତୀୟ ଦଳର କନିଷ୍ଠ ଫିଜିଓ)ଙ୍କ ସଂସ୍ପର୍ଶରେ ଅଧିକାଂଶ ଭାରତୀୟ ଖେଳାଳି ଆସିଥିଲେ। ଯାହା ଆମକୁ ଚିନ୍ତାରେ ପକାଇଥିଲା। ଏହି ଘଟଣା ଉପରେ କାହାର ନିୟନ୍ତ୍ରଣ ନଥିଲା। ଖେଳାଳିମାନଙ୍କ ସହ ସେମାନଙ୍କ ପରିବାରବର୍ଗ ବି ଥିଲେ। ଏଣୁ ଖେଳିବା ହୁଏତ ବିପଜ୍ଜନକ ହୋଇଥା’ନ୍ତା।

ସମ୍ବନ୍ଧିତ ଖବର