କୋହଲିଙ୍କୁ ବଦଳାଇବାର କାରଣ କହିଲେ ଗାଙ୍ଗୁଲି

‘‘ଟ୍ବେଣ୍ଟି-୨୦ ଅଧିନାୟକ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲୁ, ହେଲେ କୋହଲି ରାଜି ହେଲେନି। ଏହା ପରେ ଚୟନକର୍ତ୍ତା ଧଳା ବଲ୍ କ୍ରିକେଟ୍‌ରେ ଦୁଇଜଣ ଅଧିନାୟକ ରଖିବାରେ କୌଣସି ଯଥାର୍ଥତା ନାହିଁ ବୋଲି ଅନୁଭବ କଲେ। ରୋହିତଙ୍କୁ ଧଳାବଲ୍‌ର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ କରିବା ନିଷ୍ପତ୍ତି ବିସିସିଆ‌ଇ ଓ ଚୟନକର୍ତ୍ତା ମିଳିତ ଭାବେ ନେଇଛନ୍ତି’’

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିରାଟ ‌କୋହଲିଙ୍କୁ ହଟାଯାଇ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ପୂର୍ବରୁ ରୋହିତ ମଧ୍ୟ କୋହଲିଙ୍କ ହାତରୁ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବଭାର ନେଇସାରିଛନ୍ତି। ଏଣୁ ରୋହିତ ଏବେ ଧଳାବଲ୍‌ରେ ହେଉଛନ୍ତି ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ। ପୁଣି ତାଙ୍କୁ ଟେଷ୍ଟ୍ ଦଳର ଉପଅଧିନାୟକ ପଦ ବି ମିଳିଛି।

ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ସେ ଏହି ଗସ୍ତରେ ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ଦାୟିତ୍ବ ନିର୍ବାହ କରିବେ। ତେବେ ‌ରୋହିତଙ୍କୁ ଏହି ପଦ ମିଳିବା‌ ପଛରେ କୋହଲିଙ୍କ ପାଇଁ ମଧ୍ୟ ଏକ ଲୁକାୟିତ ସନ୍ଦେଶ ରହିଛି। ଅର୍ଥାତ୍ ଦଳ ଭଲ ନକଲେ ଆଗକୁ ରୋହିତ ଟେଷ୍ଟ ଅଧିନାୟକ ନିଯୁକ୍ତ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଏସବୁ ଭିତରେ ବିସିସିଆଇର ଏହି ତ୍ବରିତ ନିଷ୍ପତ୍ତି କିନ୍ତୁ କୋହଲିପ୍ରେମୀଙ୍କୁ ବ୍ୟଥିତ କରିଛି। କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରି ବିସିସିଆଇ ତାଙ୍କ ସହ ଅନ୍ୟାୟ କରିଛି ବୋଲି କିଛି ଅଭିଯୋଗ କରିଛନ୍ତି।

ଏଥିନେଇ ଜୋରଦାର ଚର୍ଚ୍ଚା ବି ହେଉଛି। ଏପରିକି ଏହି ମାମଲାରେ ହସ୍ତକ୍ଷେପ କରିବାକୁ କେତେକ ପୂର୍ବତନ ଖେଳାଳି ମଧ୍ୟ ଗାଙ୍ଗୁଲିଙ୍କୁ ଆହ୍ବାନ କରିଛନ୍ତି। ବିବାଦ ବଢ଼ୁଥିବାର ଦେଖି ଭାରତୀୟ ଟେଷ୍ଟ୍ ଦଳ ଘୋଷଣା ହେବା ଏବଂ ରୋହିତଙ୍କୁ ଦିନିକିଆ ଅଧିନାୟକ ଓ ଟେଷ୍ଟ୍ ଉପଅଧିନାୟକ ନିଯୁକ୍ତ କରାଯିବାର ପରଦିନ ହିଁ ଗାଙ୍ଗୁଲି ‌କୋହଲିଙ୍କୁ ବଦଳାଯିବାର କାରଣ ଖୋଲି କହିଛନ୍ତି। ତା’ ସହ କାହା ମନରେ ଏଥିନେଇ ଦ୍ବନ୍ଦ୍ବ ନରହୁ ବୋଲି ଆଶା ପ୍ରକାଶ କରିଛନ୍ତି ସେ।

‘‘ ମୁଁ ଓ ଚୟନକର୍ତ୍ତା ଏହି ବିଷୟରେ କୋହଲିଙ୍କ ସହ କଥା ‌ହୋଇଛୁ। ଭାରତୀୟ କ୍ରିକେଟ୍ ପ୍ରତି ସେ କରିଥିବା ଅତୁଳନୀୟ ଅବଦାନ ଲାଗି ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ଏହି ନିଷ୍ପତ୍ତି ବିସିସିଆଇ ଓ ଚୟନକର୍ତ୍ତା ମିଳିତ ଭାବେ ନେଇଛନ୍ତି। ସତ କଥା ହେଲା ଟ୍ବେଣ୍ଟି-୨୦ ଅଧିନାୟକ ପଦ ନଛାଡ଼ିବାକୁ ବିସିସିଆଇ ତାଙ୍କୁ ଅନୁରୋଧ କରିଥିଲା। ହେଲେ ସେ ଏଥିରେ ରାଜି ହୋଇନଥିଲେ। ତେଣୁ ଚୟନକର୍ତ୍ତା‌ମାନେ ହୃଦୟଙ୍ଗମ କଲେ ଯେ ଧଳାବଲ୍ କ୍ରିକେଟ୍‌ରେ ଦୁଇ ଜଣ ଅଧିନାୟକ ରଖିବାର କୌଣସି ଯଥାର୍ଥତା ନାହିଁ।

ଏହା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ଯେ ‌କୋହଲି ଟେଷ୍ଟ୍ ଅଧିନାୟକ ପଦ ବଜାୟ ରଖିବେ ଏବଂ ରୋହିତ ଧଲାବଲ୍ ଅଧିନାୟକ ପଦ ତାଙ୍କଠାରୁ ଗ୍ରହଣ କରିବେ। ସଭାପତି ଭାବେ ମୁଁ ବ୍ୟକ୍ତିଗତ ଭାବେ ଉଭୟ କୋହଲି ଓ ଚୟନକର୍ତ୍ତାଙ୍କ ସହ ଏଥିନେଇ କଥା ହୋଇଛି। ରୋହିତଙ୍କ ନେତୃତ୍ବ ଦକ୍ଷତା‌ ଉପରେ ଆମର ପୂର୍ଣ୍ଣ ଭରସା ରହିଛି। ଭାରତୀୟ କ୍ରିକେଟ୍ ଏବେ ସୁରକ୍ଷିତ ହାତରେ ଅଛି ବୋଲି ଆମର ପୂର୍ଣ୍ଣ ବିଶ୍ବାସ ଅଛି। ଧଳା ବଲ୍ କ୍ରିକେଟ୍ ପାଇଁ କୋହଲି କରିଥିବା କାମ ଲାଗି ମୁଁ ପୁଣି ଥରେ ତାଙ୍କୁ ଧନ୍ୟବାଦ ଦେଉଛି’’ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧିତ ଖବର