କ୍ରିକେଟ୍ ଶାସନ ସାଲିସବିହୀନ ହେବ: ଗାଙ୍ଗୁଲି

ମୁମ୍ବାଇ: ବିଶ୍ବର ସର୍ବୋଚ୍ଚ ଧନି କ୍ରିକେଟ ସଂଘର ମାନ୍ୟତା ପାଉଥିବା ବିସିସିଆଇର ମୁଖ୍ୟ ତଥା ସଭାପତି ମନୋନୀତ ହୋଇଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପାଇଁ ଏବେ ପୁଣି ବ୍ୟସ୍ତବହୁଳ ଜୀବନ ଆରମ୍ଭ ହୋଇଯାଇଛି। ଭାରତୀୟ କ୍ରିକେଟର୍‌ ଅନ୍ୟତମ ସଫଳ ଅଧିନାୟକ ଏହି ପୂର୍ବ ଭାରତ ତାରକା ଅକ୍ଟୋବର ୨୩ରୁ ବିସିସିଆଇ ସଭାପତି ଦାୟିତ୍ବ ନେବେ। ଭାରତୀୟ କ୍ରିକେଟ୍ ଦଳକୁ ସେବା କରିବା ଭଳି ବିସିସିଆଇକୁ ବି ସଜାଡ଼ିବେ ବୋଲି ପ୍ରଥମ ଦିନରୁ ସ୍ପଷ୍ଟ କରି ସାରିଛନ୍ତି ଏହି ବିଗତ ଦିନର ବାମହାତୀ ବ୍ୟାଟସମ୍ୟାନ୍‌। ଏକଦା କୋଲ୍‌କାତାର ଯୁବରାଜ ଭାବେ ପରିଚିତ ସୌରଭ ଗାଙ୍ଗୁଲି ଏବେ ସମସ୍ତଙ୍କ ପ୍ରିୟ ଦାଦା। ବିସିସିଆଇରେ ତାଙ୍କ ‘ଦାଦାଗିରି’ ପାଳି ଆରମ୍ଭ ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମକୁ ପ୍ରଦାନ କରିଥିବା ସ୍ବତନ୍ତ୍ର ସାକ୍ଷାତକାରରେ ଏକାଧିକ ପ୍ରସଙ୍ଗରେ ରଖିଥିଲେ ନିଜ ରୋକଠୋକ୍ ଉତ୍ତର।

କ୍ରିକେଟ୍ ଗୌରବ ଅତୁଳନୀୟ
କ୍ରିକେଟ୍‌ ପଡିଆରୁ ମୁଁ ଅର୍ଜନ କରିଥିବା ଗୌରବକୁ ଅନ୍ୟ କୌଣସି ପଦପଦବୀ କିମ୍ବା ଅନୁଭବ ସହିତ ତୁଳନା କରାଯାଇ ପାରିବ ନାହିଁ। ଭାରତୀୟ କ୍ରିକେଟ୍‌ର ସେବା କରିଥିବାରୁ ମୁଁ ସମ୍ଭବତଃ ଏହି ସୁଯୋଗ ପାଇଛି। ଉଭୟ କ୍ଷେତ୍ରରେ ଅଲଗା ଅଲଗା ଆହ୍ବାନ ରହିଛି। ଏସବୁକୁ ମୁକାବିଲା କରିବାକୁ ଅଲଗା ବାଟ ବି ଅଛି। ମୋତେ ମିଳିବାକୁ ଥିବା ୧୦ ମାସ ନିଶ୍ଚିତ ବହୁତ ସମୟ।

ଜରୁରୀକାଳିନ ସ୍ଥିତି ଥିଲା
ମୋତେ ମିଳିଥିବା ୧୦ ମାସ ଭିତରେ ଅନେକ କିଛି କରିହେବ। ଦାୟିତ୍ବ ନେବା ପରେ ମୁଁ ଅନ୍ୟ କର୍ମକର୍ତାଙ୍କ ସହ ବସିବି ଏବଂ ଅନେକ କିଛି ସ୍ବଚ୍ଛତା ଆଣିବାର ଅଛି। ବହୁ କଥା ମଧ୍ୟ ବୁଝିବାର ଅଛି। ବିଶେଷ କରି ବିଗତ ୩ ବର୍ଷ ବିସିସିଆଇରେ ଜରୁରୀକାଳିନ ଭଳି ସ୍ଥିତି ଥିଲା। ସ‌ମସ୍ତେ ଏକାଠି ହୋଇ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବାକୁ ଚେଷ୍ଟା କରିବୁ। ପ୍ରଥମ ୩/୪ ମାସ ନିଶ୍ଚିତ କ୍ଷତିଭରଣା ସମୟରେ ବିତିଯିବ। ‘କିମ୍ବା’ ଓ ‘ଯଦି’ରେ ଚାଲିବାର କଥା ଚିନ୍ତା କରୁନାହୁଁ। ମିଳିଥିବା ୧୦ ମାସରେ ନିଶ୍ଚିତ ଶ୍ରେଷ୍ଠ କରିବାକୁ ଚେଷ୍ଟିତ ରହିବୁ।

ଦେଶର ସେବା
ବିସିସିଆଇର ସଭାପତି ଭାବେ ମୁଁ ଦେଶର ସେବା କରିବାକୁ ଆଗ୍ରହୀ। ଭାରତର ଅଧିନାୟକତ୍ବ ସମୟ ଭଳି ଶ୍ରେଷ୍ଠତ୍ବ ହିଁ ମୋତେ ଶ୍ରେଷ୍ଠ ସୁଯୋଗ ଦେଇଛି। ଖେଳ ଜୀବନ ସମୟରେ ଜଗମୋହନ ଡାଲମିଆଙ୍କୁ କ୍ରିକେଟ୍ ପ୍ରଶାସକ ଭାବେ ଅତି ପାଖରୁ ଦେଖିଥିଲି। କିନ୍ତୁ କ୍ରିକେଟ୍ ସମ୍ପର୍କ ଛଡ଼ା ଅନ୍ୟ କିଛି ଆଲୋଚନା ହେଉନଥିଲା। ସେ ଜଣେ କିମ୍ବଦନ୍ତୀ ଏବଂ ପ୍ରେରଣା। ମୁଁ କିନ୍ତୁ‌ ଯେତିକି ଜାଣିଛି ନିଜ ଢଙ୍ଗରେ କାମ କରିବି। ପ୍ରୟାସ ନିଶ୍ଚିତ ସାଲିସବିହୀନ ହେବ, ଦେଖିବି କ’ଣ ଘଟୁଛି। ସିଏବି (କ୍ରିକେଟ୍‌ ଆସୋସିଏସନ୍ ଅଫ ବେଙ୍ଗଲ୍‌)ରୁ ମିଳିଥିବା ପ୍ରଶାସନିକ ଅଭିଜ୍ଞତା, ଆୟୋଜନ ଦକ୍ଷତା, ନିୟମ କାନୁନ୍ ଆଦିର ଉପଯୋଗ ନିଶ୍ଚିତ ସହାୟକ‌ ହେବ।

ବିଶେଷ ହସ୍ତକ୍ଷେପ କରିବିନି
ଅଧିନାୟକତ୍ବ ସମୟରେ ଖେଳାଳିଙ୍କୁ ବହୁବାର ‌ସୁଯୋଗ ଦେଇ ଦଳ ଗଢ଼ିଥିଲି ସତ। କିନ୍ତୁ ଏଥର ମୁଁ ବିଶେଷ କିଛି ହସ୍ତକ୍ଷେପ କରିବି ନାହିଁ। ଚୟନକର୍ତା ଏବଂ ଅଧିନାୟକଙ୍କୁ ଦାୟିତ୍ବ ପ୍ରଦାନ କରିଦେବା ପରେ ଆମେ କେବଳ ଦେଖିବୁ କ’ଣ ଘଟୁଛି।

ଦଳ ଭଲ ଖେଳୁଛି
ଭାରତୀୟ ଦଳର ବର୍ତମାନର ପ୍ରଦର୍ଶନ ଭଲ ରହିଛି। ଏବର ଦଳ ସମ୍ଭବତଃ ବିଶ୍ବର ଶ୍ରେଷ୍ଠ। ସ୍ଥିର ତଥା ସଂଗତିପୂର୍ଣ୍ଣ ପ୍ରଦର୍ଶନ‌ ଦେଉଛି। ସମ୍ପ୍ରତି ଦଳ କୌଣସି ପ୍ରମୁଖ ପ୍ରତିଯୋଗିତା ଜିତି ନାହିଁ, କିନ୍ତୁ ସେମିଫାଇନାଲ୍‌ ଓ ଫାଇନାଲ୍ ପ୍ରବେଶ କରୁଛି। ଦଳର ପ୍ରଦର୍ଶନକୁ ନେଇ ମୁଁ କିଛି ସମସ୍ୟା ଦେଖୁନାହିଁ। ଅବଶ୍ୟ ଚୟନକର୍ତା ଦଳ ବାଛିଦେବା ପରେ ସେମାନେ ଆଉ କିଛି କରିପାରନ୍ତି ନାହିଁ।

ସବୁବେଳେ ଶୀର୍ଷରେ ରହିହୁଏନି
କେହି ବି ଶୀର୍ଷରେ ସବୁବେଳେ ରହିପାରେନି। ଉଚ୍ଚ ସଫଳତା ବେଳେ ପଛକୁ ଫେରି ଦେଖିବା ପ୍ରତି ମଣିଷ ପାଇଁ ଜୀବନର ଅଂଶବିଶେଷ ଭଳି। ଭୁଲିଯିବା, କ୍ଷମା କରିଦେବାରେ ବି ମୁଁ ବିଶ୍ବାସ କରେ। ପ୍ରତିହିଂସା ପରାୟଣ ହୁଏ ନାହିଁ। ମୁଁ ଧୈର୍ଯ୍ୟବାନ ବ୍ୟକ୍ତି, ଏହା ମୋ ଚରିତ୍ର, ସେଭଳି ଢଙ୍ଗରେ ରହିବି। ଏବେ ରାଜନୀତିରେ ଯୋଗଦେବାର ନାହିଁ।

ସମ୍ବନ୍ଧିତ ଖବର