କୋଲକାତା: ୨୦୦୮ ମସିହାରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଆରମ୍ଭ ବେଳକୁ ସୌରଭ ଗାଙ୍ଗୁଲି ଥିଲେ ତାରକା ଖେଳାଳି। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସ୍ବାଭାବିକ ଭାବେ ଅଧିନାୟକ ନିଯୁକ୍ତ କରିଥିଲା। କିନ୍ତୁ ଦଳଠାରୁ ଯେଉଁଭଳି ଆଶା ଥିଲା ତା ମିଳିନଥିଲା, ଷଷ୍ଠରେ ରହିଥିଲା। ଦଳୀୟ ପ୍ରଶାସନ ସହିତ କିଛି ପ୍ରସଙ୍ଗରେ ବିଭେଦ କାରଣରୁ ଗାଙ୍ଗୁଲି ଦ୍ବିତୀୟ ବର୍ଷ କେକେଆର୍ ନେତୃତ୍ବ ନେଇନଥିଲେ। ତୃତୀୟ ବର୍ଷ ସେ ଅଧିନାୟକତ୍ବକୁ ଫେରିଥିଲେ ମଧ୍ୟ ଦଳର ଭାଗ୍ୟରେ କୌଣସି ପରିବର୍ତନ ଘଟିନଥିଲା। ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଜନ୍ ବୁକାନାନ୍ ଦଳରେ ବିଭାଜିତ ନେତୃତ୍ବ ନୀତି ପ୍ରଣୟନ କରିବାରୁ ଏହା ମଧ୍ୟ ସୁଫଳ ଦେଇନଥିଲା। ଶେଷକୁ ଗୌତମ ଗମ୍ଭୀର ୨୦୧୧ରେ ନେତୃତ୍ବ ସମ୍ଭାଳିବା ପରେ ଦଳ ଉନ୍ନତି କରିଥିଲା।
୨୦୧୨ ଏବଂ ୨୦୧୪ରେ ଦଳ ବିଜେତା ବି ହୋଇଥିଲା। ଶୁକ୍ରବାର ଏକ ୟୁଟ୍ୟୁବ୍ ଚାନେଲରେ ସୌରଭ ଗାଙ୍ଗୁଲି କିନ୍ତୁ ପରୋକ୍ଷରେ ସାହାରୁଖ ଖାନ୍ଙ୍କୁ ଅରୋପ କରିଥିଲେ। କହିଥିଲେ ଆଇପିଏଲ୍ର ପ୍ରାରମ୍ଭିକ ବର୍ଷରେ କେକେଆର୍ର ବିଫଳତା ମୋ ସମସ୍ୟା ନ ଥିଲା। ବୁକାନାନଙ୍କ ୪ ଅଧିନାୟକ ନୀତି କାରଣରୁ ଦଳର ଏଭଳି ଅବସ୍ଥା ହୋଇଥିଲା। ପ୍ରଥମ ବର୍ଷ ଦଳ କଥା ମୋ ଉପରେ ଛାଡ଼ିଦେବାକୁ କହିଥିଲି, କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ମୁଁ କିନ୍ତୁ ଏକ ସାକ୍ଷାତାକାରରେ ଦେଖିଛି ଚତୁର୍ଥ ବର୍ଷ ଗୌତମ ଗମ୍ଭୀରଙ୍କୁ ସାହରୁଖ୍ ଖାନ୍ କହିଥିଲେ, ‘ଏ ତୁମ ଦଳ, ମୁଁ ଏଥିରେ କିଛି ହସ୍ତକ୍ଷେପ କରିବି ନାହିଁ’। କିନ୍ତୁ ପ୍ରଥମ ବର୍ଷ ମୋତେ ସେଭଳି କୁହାଯାଇନଥିଲା। ଆପଣ ଯଦି ସଫଳ ଆଇପିଏଲ୍ ଦଳକୁ ଦେଖିବେ ସେଥିରୁ ଜାଣିପାରିବେ। ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମହେନ୍ଦ୍ର ସିଂହ ଧୋନି ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ରୋହିତ ଶର୍ମା ସ୍ବାଧୀନଭାବେ ଚଳାଇଛନ୍ତି। କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଖେଳାଅ ବୋଲି ଅନ୍ୟ କେହି କହିନଥା’ନ୍ତି। ତେଣୁ ସମସ୍ୟା ମୋ ନିକଟରେ ନ ଥିଲା ବୋଲି ଗାଙ୍ଗୁଲି ଯୁକ୍ତି ବାଢ଼ିଛନ୍ତି।
MyNation
ନୂଆଦିଲ୍ଲୀ: ନିଜ କ୍ରିକେଟ୍ ଜୀବନର ସବୁଠୁ ଖରାପ ଅଧ୍ୟାୟ ଉପରୁ ଶୁକ୍ରବାର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପରଦା ହଟାଇଛନ୍ତି। ୨୦୦୫ ମସିହାରେ ଯେତେବେଳେ ଭାରତୀୟ ଦଳ ଅଧିନାୟକ ପଦରୁ ହଟାଗଲା ଏହା ମୋ ପାଇଁ ସବୁଠୁ ବଡ଼ ଅପମାନ ଥିଲା ବୋଲି କହିଛନ୍ତି ବର୍ତମାନ ବିସିସିଆଇ ସଭାପତି ହୋଇଥିବା ଗାଙ୍ଗୁଲି। ଏକ ବେଙ୍ଗଲି ଖବର କାଗଜକୁ ସାକ୍ଷାତକାର ଦେବାବେଳେ ଗାଙ୍ଗୁଲି କହିଥିଲେ, ଭାରତୀୟ ଦଳରୁ ତାଙ୍କ ବିଦାୟ ନିଷ୍ପତ୍ତି ଅନ୍ୟାୟ ଥିଲା। ‘ଏହା ମୋ ଖେଳ ଜୀବନର ସବୁଠୁ ବଡ଼ ବିପର୍ଯ୍ୟୟ ଥିଲା, ନିହାତି ଅନ୍ୟାୟ ହୋଇଥିଲା। ମୁଁ ଜାଣିଥିଲି ସବୁବେଳେ ନ୍ୟାୟ ମିଳିନଥାଏ, କିନ୍ତୁ ସେଭଳି ବ୍ୟବହାରକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା। ଜିମ୍ବାୱେରେ ଶୃଙ୍ଖଳା ଜିତି ସ୍ବଦେଶ ଫେରିବା ପରେ ମୋତେ ବିତାଡ଼ିତ କରାଯାଇଥିଲା। ୨୦୦୭ ମସିହାରେ ଭାରତକୁ ବିଶ୍ବକପ୍ ବିଜେତା କରାଇବାର ସ୍ବପ୍ନ ଦେଖୁଥିଲି। ପୂର୍ବ ସଂସ୍କରଣ ବିଶ୍ବକପ୍ ଫାଇନାଲରେ ହାରିଥିବାରୁ ଏଭଳି ସ୍ବପ୍ନ ଦେଖିବାର ବହୁ କାରଣ ବି ଥିଲା। ମୋ ଅଧିନରେ ମଧ୍ୟ ଦଳ ବିଗତ ୫ ବର୍ଷ ଧରି ଦେଶ ଓ ବିଦେଶରେ ଭଲ କରି ଆସିଥିଲା। ହଠାତ୍ ମୋତେ ଦଳରୁ ବାଦ୍ ଦିଆଯାଇଥିଲା। ପ୍ରଥମେ ଦିନିକିଆ ଦଳରେ ଆପଣ ନାହାନ୍ତି ବୋଲି କୁହାଯାଇଥିଲା, ପରେ ଟେଷ୍ଟ୍ ଦଳରୁ ମଧ୍ୟ ବାଦ୍ ଦିଆଯାଇଥିଲା। ମୋ ବିରୋଧରେ ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କ ମେଲ୍ ପାଇବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଥିଲା।
ନିଜ ମନ୍ତବ୍ୟ ଅବସରରେ ଗାଙ୍ଗୁଲି କେବଳ ଚାପେଲଙ୍କୁ ଦୋଷ ଦେଇନଥିଲେ। ‘ମୁଁ କେବଳ ଗ୍ରେଗ୍ ଚାପେଲଙ୍କୁ ଦୋଷ ଦେଉନାହିଁ, ସେ କିନ୍ତୁ ଏସବୁ ଆରମ୍ଭର ପ୍ରଥମ ବ୍ୟକ୍ତି ଥିଲେ। କ୍ରିକେଟ୍ ଦଳ ଏକ ପରିବାର ଭଳି, ମତଭେଦ ଓ ଅବୁଝାମଣା ପରିବାରରେ ରହିଥାଏ। ଏସବୁକୁ ଆଲୋଚନା ମଧ୍ୟରେ ସମାଧାନ କରାଯାଇପାରିଥା’ନ୍ତା। ସେ ପ୍ରଶିକ୍ଷକ ଭାବେ ମୁଁ କିଭଳି ଖେଳେ ମୋତେ କହିପାରିଥା’ନ୍ତେ। କିନ୍ତୁ ସମ୍ପୂର୍ଣ୍ଣ ବ୍ୟବସ୍ଥାର ସମର୍ଥନ ପାଇନଥିଲେ ମୋତେ ବହିଷ୍କାର କରାଯାଇପାରିନଥା’ନ୍ତା। ମୋତେ ବହିଷ୍କାର କରିବା ପଛରେ ସମସ୍ତେ ସମ୍ପୃକ୍ତ ଥିଲେ। ମୁଁ କିନ୍ତୁ ଚାପ ଆଗରେ ହାର ମାନିନଥିଲି, ଆତ୍ମବିଶ୍ବାସ ରଖିଥିଲି ବୋଲି କହିଥିଲେ ଗାଙ୍ଗୁଲି। ୨୦୦୫ ମସିହାରେ ଅଧିନାୟକ ପଦ ସହିତ ଦଳରୁ ବିତାଡ଼ିତ ହୋଇଥିଲେ ମଧ୍ୟ ୨୦୦୬ ମସି ହୋରେ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଦଳରେ ସାମିଲ କରାଯାଇଥିଲା। ପରବର୍ତୀ ଦୁଇ ବର୍ଷ ଧରି ସେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ କିଛି ସ୍ମରଣୀୟ ପାଳି ଖେଳିଥିଲେ। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟ୍ ଖେଳି ଅବସର ନେଇଥିଲେ। ୧୧୩ ଟେଷ୍ଟ୍ରୁ ୪୨.୧୭ ହାରରେ ୧୬ ଶତକ ସହିତ ୭୨୧୨ ରନ୍ କରିଥିଲେ। ସେହିଭଳି ୩୧୧ ଦିନିକିଆ ଖେଳି ୨୨ ଶତକ ସହିତ ୧୧,୩୬୩ ରନ୍ ସଂଗ୍ରହ କରିଥିଲେ। ୨୦୦୦ ମସିହାରେ ଭାରତୀୟ କ୍ରିକେଟ୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଜର୍ଜରିତ ଥିବାବେଳେ ନେତୃତ୍ବ ସମ୍ଭାଳି ଅନ୍ୟତମ ସଫଳ ଅଧିନାୟକ ହୋଇଥିଲେ। ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ହରଭଜନ ସିଂହ, ଜାହିର୍ ଖାନ୍ଙ୍କ ଭଳି ଖେଳାଳି ତାଙ୍କ ସମର୍ଥନରୁ ବଡ଼ ଖେଳାଳି ହୋଇପାରିଥିଲେ।