ଅଧିନାୟକ ବେଳର ଦମ୍‌ ଭଳି ଗାଙ୍ଗୁଲି ବିସିସିଆଇରେ କାର୍ଯ୍ୟ କରିବେ: ସଚିନ୍‌

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ ବିଧିବଧ ଭାବେ ବିଶ୍ବର ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଆନ୍ତର୍ଜାତିକ କ୍ରିକେଟ ଖେଳିବା ସମୟରେ ଉଭୟ ଖେଳାଳି ଓ ଅଧିନାୟକ ଭାବେ ଗାଙ୍ଗୁଲି ‌ଯେତିକି ଉତ୍ସାହ ଦେଖାଉଥିଲେ ତା’ଠୁ ଅଧିକ ଆକ୍ରମଣାତ୍କମ ଆଭିମୁଖ୍ୟ ଆପଣାଉଥିଲେ। ତାଙ୍କ ନେତୃତ୍ବର ଦମ୍‌ ଯୋଗୁଁ ଏକଦା ସେ ଭାରତର ସଫଳତମ ଅଧିନାୟକ ବିବେଚିତ ହୋଇଥିଲେ। ପରାଜୟକୁ ସେ ସହଜରେ ଗ୍ରହଣ କରିପାରୁନଥିଲେ। ତାଙ୍କ ଆଭିମୁଖ୍ୟ ଯୋଗୁଁ ଭାରତୀୟ ଦଳରେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା। ଏବେ ସେହି ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଯାଉଛନ୍ତି। ତେଣୁ ଦେଶର ଏହି ବୃହତ୍‌ କ୍ରୀଡ଼ା ସଗଠନର ଦାୟିତ୍ବ ମଧ୍ୟ ସେ ଦମ୍‌ର ସହ ତୁଲାଇବେ। ନେତୃତ୍ବ ବେଳର ଦମ୍‌ ଭଳି ସେ ବିସିସିଆଇରେ କାର୍ଯ୍ୟ କରିବେ ବୋଲି ତାଙ୍କ ସହିତ ସବୁଠାରୁ ଅଧିକ ସମୟ କ୍ରିକେଟ୍‌ ପଡ଼ିଆରେ କାଟିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କହିଛନ୍ତି।

ବିସିସିଆଇର ଅଧ୍ୟକ୍ଷ ହେବା ନିଶ୍ଚିତ ପରେ ଗାଙ୍ଗୁଲିଙ୍କୁ ‘ଦାଦା’ କହି ଶୁଭେଚ୍ଛା ଜଣାଇଥିଲେ ସଚିନ। ଗୁରୁବାର ନିଜର ବ୍ୟାଟିଂ ଭାଗୀଦାର ସୌରଭ ଗାଙ୍ଗୁଲିଙ୍କ ନୂଆ ପାଳି ପାଇଁ ନିଜର ସହମତି ପ୍ରକାଶ କରିବା ସହିତ କହିଛନ୍ତି, ଗାଙ୍ଗୁଲି ଖେଳିବା ବେଳେ ଯେଉଁଭଳି ଭାବେ ଦେଶର ସେବା କରୁଥିଲେ ଠିକ୍ ସେଭଳି ଭାବେ ବିସିସିଆଇର ଅଧ୍ୟକ୍ଷ ହୋଇ ଦେଶର ସେବା କରିବେ। ଗାଙ୍ଗୁଲି ମୋଟ ୧୧୩ ଟେଷ୍ଟ ଓ ୩୧୧ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ଟେଷ୍ଟରେ ୭,୨୧୨ (୧୬ ଶତକ, ୩୫ ଅର୍ଧଶତକ) ଏବଂ ଦିନିକିଆରେ ୧୧,୩୬୩ (୨୨ ଶତକ, ୭୨ ଅର୍ଧଶତକ) ରନ‌୍ କରିଛନ୍ତି। ଏହା ବ୍ୟତୀତ ସେ ବେଙ୍ଗଲ କ୍ରିକେଟ ସଂଘର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ପୁଣି ସେ ଭାଷ୍ୟକାର ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ବିସିସିଆଇର ମୁଖ୍ୟ ହେବେ ବୋଲି ସେ ଆଶା କରିନଥିଲେ, କିନ୍ତୁ କ୍ରିକେଟରେ ନେତୃତ୍ବ ନେବାରେ ତାଙ୍କର ଥିବା ଅଭିଜ୍ଞତା ତାଙ୍କୁ ଜଣେ ଭଲ ଅଧ୍ୟକ୍ଷ କରିବ ବୋଲି ସେ କହିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପ୍ରଥମଶ୍ରେଣୀ କ୍ରିକେଟ୍‌ ଉପରେ ସେ ସବୁଠାରୁ ଅଧିକ ଗୁରୁତ୍ବ ଦେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର