‌ଷ୍ଟମ୍ପିଂ ଛାଡ଼ିବା ପରେ ବି ପାର୍ଥିବଙ୍କୁ ସମର୍ଥନ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭେଟେରାନ ୱିକେଟ୍‌ରକ୍ଷକ ପାର୍ଥିବ ପଟେଲ ୧୭ ବର୍ଷ ବୟସରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଷ୍ଟମ୍ପିଂ ସୁ‌‌ଯୋଗ ଛାଡ଼ିବା ପରେ ଗାଙ୍ଗୁଲିଙ୍କ ପ୍ରତିକ୍ରିୟାକୁ ସେ ମନେ ପକାଇଛନ୍ତି। ୨୦୦୩ରେ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ଭାରତ। ଏହି ‌ଶୃଙ୍ଖଳର ଏକ ମ୍ୟାଚ୍‌ ଆଡିଲେଡ୍‌‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୱିକେଟ୍‌ରକ୍ଷକ ପାର୍ଥିବ ଏକ ‌ଷ୍ଟମ୍ପିଂ ସୁଯୋଗ ହାତଛଡ଼ା କରିଥିଲେ। ଏହି ସମୟରେ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା କିପରି ଥିଲା ଷ୍ଟାର୍‌ ସ୍ପୋର୍ଟ୍ସ କ୍ରିକେଟ୍‌ କନେକ୍ଟେଡ୍‌ ଚାଟ୍‌ ସୋ’ରେ ସେ ପ୍ରକାଶ କରିଛନ୍ତି। ସେହି ସମୟରେ ଗୋଟିଏ ନୁହେଁ, ଏଭଳି ବହୁ ଘଟଣା ଘଟିଥିଲା। ମୁଁ ଦାଦାଙ୍କ ନେତୃତ୍ବରେ ୨-୩ ବର୍ଷ ଖେଳିଛି। ‌ମୋର ‌ମନେ ଅଛି ଅଷ୍ଟ୍ରେଲିଆରେ ଆଡିଲେଡ୍‌ ‌ଟେ‌ଷ୍ଟ୍‌ରେ ମୁଁ ଷ୍ଟମ୍ପିଂ ଛାଡ଼ିଥିଲେ ମଧ୍ୟ ମ୍ୟାଚ୍‌ ଜିତିଥିଲୁ। ଏହା ପରେ ମେଲ୍‌ବର୍ନ ଓ ସିଡ୍‌ନିରେ ପହଞ୍ଚିଥିଲୁ।

ଦାଦା ଆମକୁ କହିଥିଲେ, ଏକାଠି ଖାଦ୍ୟ ଖାଇବା। ଯେତେବେଳେ ସଂଧ୍ୟାରେ ଆମେ ଚା’ ପିଇବାକୁ ଗଲୁ ‌ସେ ‌ଗୋଟେ ବକ୍ସ ‘ମାରି’ ବିସ୍କୁଟ ରଖିଥିଲେ। ଆମକୁ ତାଙ୍କ ରୁମ୍‌ ଡାକି ଆମ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି କହିଥିଲେ। ଆମ ପଛରେ ରହିବା ସହ କୌଣସି କଥା କିମ୍ବା ଦଳରୁ ବାଦ୍‌ ପଡ଼ିବା ନେଇ ଚିନ୍ତା ନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ପାର୍ଥିବ କହିଛନ୍ତି। ପୁଣି ୨୦୦୩ ବ୍ରିସ୍‌ବାନ୍‌ ‌ଟେଷ୍ଟ୍‌ରେ ଦ୍ରୁତ ବୋଲର ଜାସନ ଗିଲେସ୍ପିଙ୍କୁ ସମ୍ମୁଖୀନ ହେବାର ସ୍ମୃତିକୁ ମନେ ପାକଇଛନ୍ତି ପାର୍ଥିବ। ନୂଆ ବଲ୍‌ରେ ଗିଲେସ୍ପି ବୋଲିଂ କରିଥିଲେ। ମୁଁ ତାଙ୍କୁ ସଫଳତାର ସହ ମୁକାବିଲା କରି ଶତକ ଅର୍ଜନ କରିଥିଲି। ଏଥିରେ ଦାଦାଙ୍କ ସହଯୋଗ ଥିଲି। ପ୍ରତି ବଲ୍‌ ପରେ ସେ ମୋ ପାଖକୁ ଆସି କିଭଳି ବ୍ୟାଟିଂ କରିବି ଶିଖାଉଥିଲେ। ଦାଦା କେବଳ ଜଣଙ୍କୁ ନୁହେଁ ସମସ୍ତ ଖେଳାଳିଙ୍କୁ ସର୍ବଦା ସହଯୋଗ କରୁଥିଲେ ବୋଲି ପାର୍ଥିବ କହିଛନ୍ତି।

ସମ୍ବନ୍ଧିତ ଖବର