ଗାଙ୍ଗୁଲିଙ୍କୁ ଆଝାର୍‌ ଗଢ଼ିଥିଲେ: ଲତିଫ୍‌

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଅନ୍ୟତମ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଗଢ଼ି ତୋଳିଥିଲେ। ଗାଙ୍ଗୁଲି ଜଣେ ସଫଳ ଅଧିନାୟକ ହେବାରେ ଆଝାରଙ୍କୁ ଶ୍ରେୟ ମିଳିବା ଉଚିତ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ଅଧିନାୟକ ରସିଦ୍‌ ଲତିଫ୍‌। ଗାଙ୍ଗୁଲିଙ୍କୁ ଆଝାର ଭାରତର ଭବିଷ୍ୟତ ଅଧିନାୟକ ଭାବେ ଗଢ଼ି ତୋଳିଥିଲେ ଏବଂ ପରେ ଗାଙ୍ଗୁଲିଙ୍କ ନେତୃତ୍ବ ‌ଶୈଳୀ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଚମତ୍କାର ଅଧିନାୟକ ଭାରତୀୟ କ୍ରିକେଟ୍‌କୁ ମିଳିବାରେ ସହାୟକ ହୋଇଥିବା କଥା କହି ଲତିଫ୍‌ ସବୁ ଶ୍ରେୟ ଆଝାରଙ୍କୁ ଦେଇଛନ୍ତି।

‘‘ନିକଟରେ ଅବସର ନେଇଥିବା କିଂବଦନ୍ତି ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଏମ୍‌ଏସ୍‌ ଧୋନିଙ୍କୁ ସଲାମ ଜଣାଇବା ଅବସରରେ ଲତିଫ୍‌ ୯୦ ଦଶକରେ ଭାରତୀୟ ଦଳର ଅଧିନାୟକ ଥିବାବେଳେ ଆଝାରଙ୍କ ଦ୍ବାରା ଯେଉଁ ଢାଞ୍ଚା ବିକଶିତ କରାଯାଇଥିଲା ସେ ସଂପର୍କରେ ବଖାଣିଥିଲେ। ମୁଁ ଆଝାରଙ୍କୁ ଯଥେଷ୍ଟ ସମ୍ମାନ କରେ। ସେ ଦୀର୍ଘ ସମୟ ଧରି ଭାରତୀୟ କ୍ରିକେଟ୍‌ର ସେବା କରିଥିଲେ ଏବଂ ଗାଙ୍ଗୁଲିଙ୍କ ଭଳି ଜଣେ ନେତାଙ୍କୁ ତିଆରି କରିଥିଲେ। ଜଣେ ଅଧିନାୟକ ଭାବେ ଗାଙ୍ଗୁଲିଙ୍କୁ ବିକଶିତ କରିବାରେ ଆଝାର ମହାନ୍‌ ଭୂମିକା ତୁଲାଇଥିଲେ। ସଚିନ୍‌ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ୍‌ଙ୍କ ଭଳି ମହାନ୍‌ ଖେଳାଳି ଗାଙ୍ଗୁଲିଙ୍କ ନେତୃତ୍ବରେ ଖେଳିଥିଲେ’’ ବୋଲି କହିଛନ୍ତି ଲତିଫ୍‌। ଆଝାରଙ୍କ ନେତୃତ୍ବରେ ଗାଙ୍ଗୁଲି ୫୪ ମ୍ୟାଚ୍‌ (୧୨ ଟେଷ୍ଟ୍‌ ଓ ୫୩ ଦିନିକିଆ) ଖେଳିଥିଲେ। ‘‘ସେହି ସମୟରେ ‌ସେ ଗାଙ୍ଗୁଲିଙ୍କୁ ତିଆରି କରିଥିଲେ। ଆଝାର ହିଁ ଆଧୁନିକ କ୍ରିକେଟ୍‌ରେ ନିଜସ୍ବ ଶୈଳୀ ସୃଷ୍ଟି କରିଥିଲେ। ସେ ଦଳ ମଧ୍ୟରେ ମ୍ୟାଚ୍‌ ଜିତିବାର ବିଶ୍ବାସ ଜନ୍ମାଇଥିଲେ। ଦଳୀୟ ସଂସ୍କୃତିରେ ଉନ୍ନତି ଆଣିଥିଲେ ଏବଂ ବିଜୟୀ ମନୋଭାବ ଦଳରେ ସୃଷ୍ଟି କରିଥିଲେ’’ ବୋଲି ଲତିଫ୍‌ କହିଛନ୍ତି। ଧୋନିଙ୍କ କ୍ରୀଡ଼ା ଜୀବନକୁ ଶାଣିତ କରିବାରେ ଏବର ବିସିସିଆଇ ସଭାପତି ଗାଙ୍ଗୁଲିଙ୍କର ବଡ଼ ଭୂମିକା ଥିଲା’’ ବୋଲି ମଧ୍ୟ ଲତିଫ୍‌ କହିଥିଲେ।

ସମ୍ବନ୍ଧିତ ଖବର