ଗାଙ୍ଗୁଲିଙ୍କୁ କୋଲ୍‌କାତା ହାଇକୋର୍ଟଙ୍କ ଜରିମାନା

କୋଲକାତା: ବେନିୟମ ଭାବେ ନିଜ ସ୍କୁଲ୍‌ ପାଇଁ ଜାଗା ପାଇଥିବାରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ କୋଲକାତା ହାଇକୋର୍ଟ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଗାଙ୍ଗୁଲିଙ୍କ ସହିତ ପଶ୍ଚିମବଙ୍ଗ ସରକାର ଏବଂ ପଶ୍ଚିମବଙ୍ଗ ଗୃହ ଭିତ୍ତିଭୂମି ବିକାଶ ସଂସ୍ଥାକୁ ମଧ୍ୟ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ୪ ସପ୍ତାହ ମଧ୍ୟରେ ଏହି ଜରିମାନା ରାଶି ଜମା କରିବାକୁ କୁହାଯାଇଛି। ରାଜେଶ ବିନ୍ଦଲ ଏବଂ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ଏହି ଜାଗା ପ୍ରଦାନ କରାଯାଇଥିବାରୁ ଖଣ୍ଡପୀଠ ଏଭଳି ଜରିମାନା କରିଛନ୍ତି। ନିୟୁ ଟାଉନ୍ ଅଞ୍ଚଳରେ ଥିବା ୨ ଏକର ବିଶିଷ୍ଟ ଏହି ଜାଗାକୁ ଗାଙ୍ଗୁଲି ପୂର୍ବରୁ ଫେରାଇ ଦେଇଛନ୍ତି। ପଶ୍ଚିମବଙ୍ଗ ଗୃହ ଭିତ୍ତିଭୂମି ବିକାଶ ସଂସ୍ଥାର କର୍ମଚାରୀଙ୍କଠାରୁ ସରକାର ଏହି ଜରିମାନା ରାଶି ଆଦାୟ କରିପାରିବେ ବୋଲି ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ରେ ମଧ୍ୟ ସଲ୍ଟ ଲେକ୍‌ରେ ଗାଙ୍ଗୁଲିଙ୍କୁ ପ୍ରଦାନ କରାଯାଇଥିବା ଜାଗାକୁ ୨୦୧୧ରେ ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରି ଦେଇଥିଲେ।

ସମ୍ବନ୍ଧିତ ଖବର