କୋଲ୍କାତା: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଏବର ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶେଷରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ଗୁରୁବାର ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ହସ୍ପିଟାଲ୍ରୁ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି। ଛାଡ଼ିବା ପୂର୍ବରୁ ତାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ। ଘରକୁ ଯିବା ପରେ ମଧ୍ୟ ସମୟାନୁଯାୟୀ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନିଆଯିବ ବୋଲି ହସ୍ପିଟାଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦେଶକ ଡକ୍ଟର ରୂପାଲି ବସୁ କହିଛନ୍ତି। ବିଶେଷତଃ ୪୮ ବର୍ଷ ବୟସ୍କ ଗାଙ୍ଗୁଲି ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ ଘରେ ଡାକ୍ତରୀ ହେପାଜତରେ ରହିବେ ବୋଲି ରୂପାଲି ବସୁ କହିଛନ୍ତି। ଗାଙ୍ଗୁଲିଙ୍କ ଚିକିତ୍ସା ପାଇଁ ପ୍ରାୟ ୯ ଜଣ ଡାକ୍ତର ନିୟୋଜିତ ଥିଲେ।
ଗତ ଶନିବାର ବ୍ୟାୟାମ କରୁଥିଲା ବେଳେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏପରିକି ତାଙ୍କ ମୁଣ୍ଡ ଜୋର୍ରେ ବୁଲାଉଥିଲା ବେଳେ ବାନ୍ତି ମଧ୍ୟ ହେଉଥିଲା। ହସ୍ପିଟାଲରେ ତାଙ୍କର ହୃଦ୍ଘାତ ହୋଇଥିବା ଜଣାପଡ଼ିଥିଲା। ତେବେ ୫ ଦିନ ଧରି ଚିକିତ୍ସା ମଧ୍ୟରେ ରହିବା ପରେ ବୁଧବାର ହସ୍ପିଟାଲରୁ ବାହାରିବାର ଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ଆଉ ଗୋଟିଏ ଦିନ ରହିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଗାଙ୍ଗୁଲି ଗୁରୁବାର ବାହାରକୁ ବାହାରିଛନ୍ତି। ହସ୍ପିଟାଲରୁ ମୁକୁଳିବା ପରେ ଗାଙ୍ଗୁଲି ପୂରା ସୁସ୍ଥ ଥିବା ସଂକେତ ଦେଇଛନ୍ତି। ମୁଁ ଏବେ ପୂରା ସୁସ୍ଥ ଏବଂ ଯାତ୍ରା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଗାଙ୍ଗୁଲି। ଡାକ୍ତରମାନଙ୍କ ସମେତ ସେ ମଧ୍ୟ ବନ୍ଧୁ ଜୟଦୀପଙ୍କୁ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି।