ଉପରେ ଖେଳିଥିଲେ ଗାଙ୍ଗୁଲି ଅଧିକ ଟେଷ୍ଟ୍ ରନ୍ କରିଥା’ନ୍ତେ: ଭେଙ୍ଗସରକାର

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଏକଦିବସୀୟ ପ୍ରଦର୍ଶନ ଅତୁଳନୀୟ। ୩୧୧ ମ୍ୟାଚ୍‌ରୁ ୨୨ ଶତକ ବଳରେ ସେ ୧୧,୩୬୩ ରନ୍ କରିଛନ୍ତି। ଏକଦିବସୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ଓ ବିରାଟ ‌କୋହଲିଙ୍କ ପଛକୁ ସେ ଏବେ ବି ହେଉଛନ୍ତି ଭାରତର ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ। ହେଲେ ଦିନିକିଆ (୪୧.୦୨) ଅପେକ୍ଷା ଟେଷ୍ଟ୍‌ (୪୨.୧୭) କ୍ରିକେଟ୍‌ରେ ଗାଙ୍ଗୁଲିଙ୍କ ରନ୍ ସଂଗ୍ରହ ହାର ଅଧିକ ଥିଲେ ମଧ୍ୟ ତାଙ୍କ ଟେଷ୍ଟ୍ ପ୍ରଦର୍ଶନ କ୍ବଚିତ ଚର୍ଚାକୁ ଆସେ। ଆଉ କେହି ନ ହେଲେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପୁର୍ବତନ ଅଧିନାୟକ ତଥା ପୂର୍ବତନ ଚୟନକର୍ତ୍ତା ଦିଲ୍ଲୀପ ଭେଙ୍ଗସରକାର ଗାଙ୍ଗୁଲିଙ୍କ ଟେଷ୍ଟ୍ ଦକ୍ଷତାକୁ ସ୍ମରଣ କରିଛନ୍ତି। ଦିନିକିଆ ଭଳି ଟେଷ୍ଟ୍ କ୍ରିକେଟ୍‌ରେ ବ୍ୟାଟିଂକ୍ରମର ଉପରେ ‌‌ଖେଳିଥିଲେ ଏହି ଫର୍ମାଟ୍‌ରେ ମଧ୍ୟ ଗାଙ୍ଗୁଲି ଯଥେଷ୍ଟ ଅଧିକ ରନ୍ କରିଥାଆନ୍ତେ ବୋଲି ସେ ମତ ପ୍ରକାଶ କରିଛନ୍ତି। ଗାଙ୍ଗୁଲି ଇଂଳଣ୍ଡର ଐତିହାସିକ ଲର୍ଡସ ଷ୍ଟାଡିୟମରେ ଶତକ ଅର୍ଜନ କରି ନିଜ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ସେ ୩ ନମ୍ବରରେ ବ୍ୟାଟିଂ କରୁଥିଲେ। ପରେ କିନ୍ତୁ ପଞ୍ଚମ ସ୍ଥାନରେ ନିୟମିତ ବ୍ୟାଟିଂ କରିଥିଲେ।

ଗାଙ୍ଗୁଲିଙ୍କ ଟେଷ୍ଟ୍ ଦକ୍ଷତାକୁ ପ୍ରଶଂସା କରୁଥିବା ଭେଙ୍ଗସରକାର ବ୍ରିସବନଠାରେ ସେ ଖେଳିଥିବା ପାଳିକୁ ମନେ ପକାଇଥିଲେ। ‘‘ନିଜ ୧୮୮ ଟେଷ୍ଟ୍ ପାଳି ମଧ୍ୟରୁ ଗାଙ୍ଗୁଲି ୯୯ ଥର ପଞ୍ଚମ ସ୍ଥାନରେ ବ୍ୟାଟିଂ କରିଥିଲେ। ଯାହା ୫୦ ପ୍ରତିଶତରୁ ବି ଅଧିକ। ତାଙ୍କ ମୋଟ ହାରାହାରି ରନ୍ ୪୨ ଉପରେ ଥିଲେ ମଧ୍ୟ ପାଞ୍ଚ ନମ୍ବରରେ ଖେଳିଲା ବେଳେ ଏହା ୩୭.୩୯କୁ କମି ଆସେ’’ ବୋଲି ଭେଙ୍ଗସରକାର କହିଛନ୍ତି। ସୂଚନାଯୋଗ୍ୟ ଯେ ଦୀର୍ଘ ଏକ ବର୍ଷ ପାଇଁ ଅଣଦେଖା ହେବା ପରେ ଭେଙ୍ଗସରକାର ମୁଖ୍ୟ ଚୟନକର୍ତ୍ତା ଥିଲା ବେଳେ ହିଁ ଗାଙ୍ଗୁଲି ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗାଙ୍ଗୁଲିଙ୍କୁ ଜଣେ ଚମତ୍କାର ଖେଳାଳି ଭାବେ ବର୍ଣ୍ଣନା କରିବା ସହ ସେ କହିଛନ୍ତି ଯେ ଗାଙ୍ଗୁଲି ସ୍ପିନ୍ ବୋଲିଂରେ ଜଣେ ଉଚ୍ଚକୋଟୀର ଖେଳାଳି। ଅଫ୍ ସାଇଡ୍ ସଟ୍‌ରେ ସେ ଅଦ୍ବିତୀୟ। କ୍ରିକେଟ୍ ‌ଖେଳର ଜଣେ ଭଲ ଛାତ୍ର ହେବା ସହ ‌ଗାଙ୍ଗୁଲିଙ୍କ ମାନବ ପରିଚାଳନା ଦକ୍ଷତା ଅତୁଳନୀୟ। ଭାରତୀୟ ଦଳକୁ ସେ ସଫଳତାର ନୂଆ ସ୍ତରକୁ ନେଇଥିଲେ। ଗାଙ୍ଗୁଲି ମଧ୍ୟ ଭାରତର ଅନ୍ୟତମ ସଫଳ ଅଧିନାୟକ। ନିକଟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ତାଙ୍କୁ ପ୍ରଶଂସା କରିଥିଲେ। ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ପରିବର୍ତ୍ତନର ଧାରା ସୃଷ୍ଟି କରିଥିଲା। ତାଙ୍କ ପୂର୍ବରୁ ଭାରତ ଏକ ଭଦ୍ର ଓ ନମ୍ର ଦଳ ଥିଲା। ଗାଙ୍ଗୁଲି ହିଁ ଭାରତୀୟ କ୍ରିକେଟ୍ ଦଳକୁ ଏକ ଦୁର୍ଦ୍ଧର୍ଷ ରୂପ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗାଙ୍ଗୁଲି ୧୧୩ ଟେଷ୍ଟ୍ ଖେଳି ୧୬ ଶତକ ବଳରେ ୭୨୧୨ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର