କୋଲ୍‌କାତା : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶନିବାର ନିଜ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ଅଧିବେଶନ ସାରିବାର ଠିକ୍ ପରେ ପରେ ହୃଦ୍‌ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ସେ ସଂପୂର୍ଣ୍ଣ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଥିଲେ। ରବିବାର ଦ୍ବିତୀୟ ଦିନ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗତକାଲି ସେ କଥାବାର୍ତା କରୁଥିବା ଡାକ୍ତରମାନେ କହିଥିଲା ବେଳେ ଏବେ ଭଲ ନିଦରେ ଶୋଉଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଗାଙ୍ଗୁଲି ରବିବାର ପୂର୍ବାହ୍ନରେ ସକାଳ ଜଳଖିଆ ଖାଇଛନ୍ତି, ଖବରକାଗଜ ପଢ଼ିଛନ୍ତି ଏବଂ ହସ୍ପିଟାଲ ଷ୍ଟାଫ୍‌ଙ୍କ ସହ ବଥାବାର୍ତା ମଧ୍ୟ କରିଛନ୍ତି। ତାଙ୍କର ଧାରାବାହିକ ଇସିଜି ମଧ୍ୟ କରାଯାଇଛି। ଇସିଜି ରିପୋର୍ଟ ମଧ୍ୟ ସନ୍ତୋଷଜନକ ରହିଛି।

Advertisment

ତାଙ୍କ ଅକ୍ସିଜେନ୍‌ ସପୋର୍ଟକୁ କାଢ଼ିନିଆଯାଇଛି ବୋଲି ଚିକତ୍ସା ଦାୟିତ୍ବରେ ଥିବା ଜଣେ ଡାକ୍ତର କହିଛନ୍ତି। ଏବେ ତାଙ୍କ ରକ୍ତଚାପ ୧୧୦/୭୦ ଏବଂ ଅକ୍ସିଜେନ୍‌ ସ୍ତର ୯୮ ପ୍ରତିଶତ ରହିଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ତେବେ ତାଙ୍କ ଅବସ୍ଥା ଆକଳନ କରିବା ପରେ ପରବର୍ତୀ ଚିକିତ୍ସା ଯୋଜନା ନେଇ ସୋମବାର ଆଲୋଚନା ହେବ ବୋଲି କୁହାଯାଇଛି। ଆବଶ୍ୟକ ପଡ଼ିଲେ ସୋମବାର ଆଉ ଥରେ ଆଞ୍ଜିଓପ୍ଲାଷ୍ଟି କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। କିନ୍ତୁ କୌଣସି ବାଇପାସ୍‌ ସର୍ଜରିର ବିକଳ୍ପ ସଂପର୍କରେ ଚିକିତ୍ସକ ଦଳ କିଛି ଭାବିନାହାନ୍ତି ବୋଲି ହସ୍ପିଟାଲ ମୁଖପାତ୍ର କହିଛନ୍ତି। ଆମର ବିଶେଷଜ୍ଞ କମିଟି ଆସନ୍ତାକାଲି ହିଁ ପରବର୍ତୀ ଚିକିତ୍ସା ସଂପର୍କରେ ନିଷ୍ପତ୍ତି ନେବେ ବୋଲି ମୁଖପାତ୍ର କହିଛନ୍ତି।