ଗାଙ୍ଗୁଲିଙ୍କ ସଫଳତାର ଗାଥା, ପ୍ରଥମ ଦୁଇ ଟେଷ୍ଟ୍‌ରେ ଜମାଇଥି‌ଲେ ଶତକ

କ୍ରମାଗତ ୪ ଦିନିକିଆ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ: ନିଜର ନେତୃତ୍ବ ଶୈଳୀ ଏବଂ କୌଣସି ମ୍ୟାଚ୍‌ରେ ପ୍ରତିପକ୍ଷକୁ ସହଜରେ ନିଶ୍ବାସ ମାରିବାକୁ ନଦେବାର କଳା ପାଇଁ ଅତି ପରିଚିତ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ବୁଧବାର ଜନ୍ମଦିନ। ଆଜି ଗାଙ୍ଗୁଲି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏଭଳି ଏକ ଦିନରେ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବତନ ସାଥୀ ଖେଳାଳି ରାହୁଲ ଦ୍ରାବିଡ୍‌ଙ୍କ ଦ୍ବାରା ‘‘ଗଡ୍‌ ଅଫ୍‌ ଅଫ୍‌-ସାଇଡ୍‌’’ ଭାବେ ପରିଗଣିତ ଗାଙ୍ଗୁଲି କେବେ ବି ପଛସିଟ୍‌କୁ ପସନ୍ଦ କରୁନଥିଲେ। ବରଂ ସେ ସବୁବେଳେ ଅସମ୍ଭବକୁ ସମ୍ଭବ କରିପାରିବାକୁ ବିଶ୍ବାସ କରୁଥିଲେ। ପ୍ରାୟ ଏକ ଦଶନ୍ଧୀରୁ ଅଧିକ ସମୟ ଧରି ନିଜର ଦମ୍‌ଦାର ବ୍ୟାଟିଂ ପାଇଁ ଦେଶ ଏବଂ ବିଶ୍ବର କ୍ରିକେଟ୍‌ ପ୍ରଶଂସକଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଯାହାକି ତାଙ୍କୁ ନେଇ ପ୍ରତିପକ୍ଷଙ୍କ ମୁଣ୍ଡବିନ୍ଧା ହେଉଥିଲା।

ଗାଙ୍ଗୁଲି ବିଶେଷକରି ‘ଦାଦା’ ନାମରେ ସମସ୍ତଙ୍କଠାରେ ପରିଚିତ ଥିଲେ। ୧୯୯୬ରେ ଇଂଲଣ୍ଡ ବିପକ୍ଷରେ ନିଜର ଟେଷ୍ଟ୍‌ ପଦାର୍ପଣ କରିଥିଲେ ‘ଦାଦା’। ଆଉ ଐତିହାସିକ ଲର୍ଡସରେ ପଦାର୍ପଣ ଟେଷ୍ଟ୍‌ରେ ହିଁ ଶତକ ଜମାଇ ସମସ୍ତଙ୍କ ନଜରକୁ ଆସିଯାଇଥିଲେ। ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ପୁଣି ନିଜର ଦ୍ବିତୀୟ ଟେଷ୍ଟ୍‌ରେ ବି ଶତକୀୟ ପାଳି ଖେଳି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏପରିକ୍ଷେତ୍ରରେ ନିଜର ପ୍ରଥମ ଦୁଇ ଟେଷ୍ଟ୍‌ରେ କ୍ରମାଗତ ଶତକ ହାସଲ କରିବାରେ ସେ ବିଶ୍ବ କ୍ରିକେଟ୍‌ରେ ତୃତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଥିଲେ। ‘ଦାଦା’ ନାମରେ ପରିଚିତ ଗାଙ୍ଗୁଲିଙ୍କୁ ମଧ୍ୟ ‘ପ୍ରିନ୍‌ସ ଅଫ୍‌ କୋଲ୍‌କାତା’ କୁହାଯାଏ। ଟେଷ୍ଟ୍‌ରେ ଆରମ୍ଭରୁ ଦବ୍‌ଦବା ଦେଖାଇଥିବା‌ ଗାଙ୍ଗୁଲି ଦିନିକିଆ ଫର୍ମାଟ୍‌ରେ ମଧ୍ୟ ନିଜର ସ୍ବତନ୍ତ୍ର ପତିଆରା ସୃଷ୍ଟି କରିପାରିଥିଲେ। ୧୯୯୭ରେ ସେ କ୍ରମାଗତ ୪ଟି ଦିନିକିଆ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିଲେ। ଏହାପରେ ୧୯୯୯ ବିଶ୍ବକପ୍‌ରେ ଶ୍ରୀଲଙ୍କା ବିପକ୍ଷ ୧୮୩ ରନ୍‌ର ପାଳି ତାଙ୍କୁ ଉଚ୍ଚରେ ରଖିଥିଲା। ସେହି ମ୍ୟାଚ୍‌ରେ ସେ ଦ୍ରାବିଡ୍‌ଙ୍କ ସହ ୩୧୮ ରନ୍‌ର ଭାଗୀଦାରି ଗଢ଼ିଥିଲେ। ତେବେ ୨୦୦୦ରେ ମ୍ୟାଚ୍‌ ଫିକ୍ସିଂ କଳଙ୍କ ଭାରତୀୟ ଶିବିରକୁ ଘେରି ରହିଥିଲା ଏବଂ ଗାଙ୍ଗୁଲି ହିଁ ଏହାପରଠୁ ଦଳର ନେତୃତ୍ବ ଭାର ଗ୍ରହଣ କରିଥିଲେ।

ଦାଦା ଦଳର ନେତୃତ୍ବ ନେବାକ୍ଷଣି ହିଁ ନିଜେ ନୂଆ ନୂଆ ପ୍ରତିଭା ସୃଷ୍ଟି କରିଚାଲିଲେ। ତାଙ୍କ ନେତୃତ୍ବ ସମୟରେ ଯୁବରାଜ ସିଂହ, ହରଭଜନ ସିଂହ, ମହମ୍ମଦ କୈଫ୍, ମହେନ୍ଦ୍ର ସିଂହ ଧୋନି, ଆଶିଷ ନେହେରା ଏବଂ ଜାହିର ଖାନ୍‌ଙ୍କ ଖେଳ ଜୀବନ ଗଢ଼ି ଉଠିଥିଲା। ଗାଙ୍ଗୁଲି ପ୍ରଥମ ଥର ପାଇଁ ୨୦୦୦ ଆଇସିସି ନକ୍‌ଆଉଟ୍‌ ଟ୍ରଫିରେ ଭାରତର ନେତୃତ୍ବ ନେଇଥିଲେ। ଆଉ ତାଙ୍କ ନେତୃତ୍ବରେ ଭାରତୀୟ ଦଳକୁ ସେ ନୂଆ ଦିଶା ଦେଇଥିଲେ। ୨୦୦୧ରେ ତାଙ୍କ ଅଧିନାୟକତ୍ବରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ନୂଆ ଇତିହାସ ରଚିଥିଲେ। ସେହି ଶୃଙ୍ଖଳାରେ ଭାରତ ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ତା’ର ସବୁଠୁ ପ୍ରଶଂସନୀୟ ଟେଷ୍ଟ୍‌ ବିଜୟ ହାସଲ କରିଥିଲା। ପୁଣି ୨୦୦୨ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଫାଇନାଲ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଲର୍ଡସ ବାଲକୋନିରୁ ନିଜ ଟି-ସାର୍ଟକୁ ‌ଦେହରୁ ଖୋଲି ଉଡାଇବାର ମୁହୂର୍ତ୍ତ ଏବେ ବି ଭାରତୀୟ ପ୍ରଶଂସକଙ୍କ ପାଇଁ ଅଭୂଲା ହୋଇରହିଛି। ୪୮ ବର୍ଷ ବୟସ୍କ ଗାଙ୍ଗୁଲି ୨୦୦୩ ବିଶ୍ବକପ୍‌ରେ ଭାରତକୁ ଫାଇନାଲ୍‌ ପହଞ୍ଚାଇଥିଲେ। ହେଲେ ଅଷ୍ଟ୍ରେଲିଆ ନିକଟରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ସେ ମଧ୍ୟ ୨୦୦୪ରେ ଉଭୟ ଦିନିକିଆ ଏବଂ ଟେଷ୍ଟ୍‌ ଶୃଙ୍ଖଳାରେ ପାକିସ୍ତାନକୁ ପରାସ୍ତ କରିଥିଲେ। ଯାହାକି ପାକିସ୍ତାନ ମାଟିରେ ଭାରତର ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଥିଲା। ଏତେସବୁ ସଫଳତା ତାଙ୍କୁ ଭାରତର ଅନ୍ୟତମ ସଫଳ ଅଧିନାୟକର ମାନ୍ୟତା ଦେଇଥାଏ। ତେବେ ୨୦୦୫-୦୬ରେ ତତ୍‌କାଳୀନ ପ୍ରଶିକ୍ଷକ ଗ୍ରେଗ୍‌ ଚାପେଲଙ୍କ ସହ ମନାନ୍ତର ପାଇଁ ଦଳରୁ ବାଦ୍‌ ପଡ଼ିଥିଲେ। ତଥାପି ଅନେକ ସଂଘର୍ଷ ପରେ ସେ ଦଳକୁ ଫେରିଥିଲେ ଏବଂ ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ଖେଳି ୨୦୦୮ରେ ଅବସର ଘୋଷଣା କରିଦେଇଥିଲେ। ଏହାପରେ ଆଇପିଏଲ୍‌ରେ ‌ଖେଳିଥିଲେ ମଧ୍ୟ ୨୦୧୨ରେ ଘରୋଇ କ୍ରିକେଟ୍‌ରୁ ଅପସରି ଯାଇଥିଲେ। ଅବସର ପରେ ସେ ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି)ର ସଭାପତି ହୋଇଥିଲେ। ଗତବର୍ଷ ବିସିସିଆଇର ମଙ୍ଗ ଧରିଛନ୍ତି। ଏହି ପଦ ଗ୍ରହଣ ପରେ ଭାରତରେ ଦିବାରାତ୍ର କ୍ରିକେଟ୍‌ ଆରମ୍ଭ କରିବାର ଧାରଣା ସୃଷ୍ଟି କରିଥିଲେ। ଆଉ ତାଙ୍କ ପ୍ରୟାସ ଯୋଗୁଁ ଭାରତ ମଧ୍ୟ ଗତବର୍ଷ ନିଜର ପ୍ରଥମ ଦିବାରାତ୍ର ଟେ‌ଷ୍ଟ୍‌ (ବନାମ ବାଂଲାଦେଶ, ଇଡେନ୍‌ ଗାର୍ଡେନ୍‌ସ) ‌ଖେଳିଥିଲା।

ଏହି ପୂର୍ବତନ ଅଧିନାୟକ ତଥା ଏବର ବିସିସିଆଇ ସଭାପତି ଗାଙ୍ଗୁଲି ଭାରତ ପାଇଁ ୧୧୩ ଟେଷ୍ଟ୍‌, ୩୧୧ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ‌ଖେଳିଥିଲେ। ସେ ତାଙ୍କ ଆନ୍ତର୍ଜାତିକ ଜୀବନରେ ସବୁ ଫର୍ମାଟ୍‌କୁ ମିଶାଇ ମୋଟ ୧୮,୫୭୫ ରନ୍‌ କରିଛନ୍ତି। ଏମଧ୍ୟରୁ ସବୁ ଫର୍ମାଟ୍‌ରେ ଗାଙ୍ଗୁଲି ୧୯୫ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଥିଲେ। ସେଥିମଧ୍ୟରୁ ୯୭ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ।

ଭାରତୀୟ କ୍ରିକେଟ୍‌ର ଭାଗ୍ୟ ବଦଳାଇ ଦେଇଥିବା ଗାଙ୍ଗୁଲିଙ୍କ ୫ ସାହସିକ ନିଷ୍ପତ୍ତି

ଘଡ଼ିସନ୍ଧି ମୁହୂର୍ତ୍ତରେ ଅଧିନାୟକ ପଦ ଗ୍ରହଣ କରିବାଠାରୁ ଆରମ୍ଭ କରି ବିଦେଶ ମାଟିରେ ବିଜୟୀ ହେବାର କଳା ଓ ଦମ୍ଭ ଦେଖାଇବା ପର୍ଯ୍ୟନ୍ତ, ଭାରତୀୟ କ୍ରିକେଟ୍ ପ୍ରତି ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ଇଡେନ୍ ଗାର୍ଡେନ୍ସ ପଡ଼ିଆ ହେଉକି ଐତିହାସିକ ଲର୍ଡସ ବାଲକୋନି, ଭାରତର ମାନ ଓ ସମ୍ମାନ ରକ୍ଷା ପାଇଁ ଦାଦାଗିରି ଦେଖାଇବାକୁ ମଧ୍ୟ ପଛାଇ ନାହାନ୍ତି ସେ। କେବେ କେବେ ବିବାଦୀୟ ହୋଇଛନ୍ତି। ‌ହେଲେ ଯେ କୌଣସି ପରିସ୍ଥିତିରେ ଭାରତକୁ ବିଜୟୀ କରାଇବାର ଭାବନାକୁ ଅବସର ପର୍ଯ୍ୟନ୍ତ ଛାଡ଼ିନାହାନ୍ତି। ଭାରତୀୟ କ୍ରିକେଟ୍ ଦଳର ଚିନ୍ତା, ଚେତନା ଓ ରଣନୀତିରେ ଅତ୍ୟାବଶ୍ୟକ ମୋଡ଼ ଆଣିଥିବା ଗାଙ୍ଗୁଲି କେବଳ ନିଜ ବଳିଷ୍ଠ ନେତୃତ୍ବ ନୁହେଁ, ସାହସିକ ନିଷ୍ପତ୍ତି ପାଇଁ ବିଶ୍ବ କ୍ରିକେଟ୍‌ରେ ଆଗଗାଡ଼ିର ଓ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। କଥା ଛଳରେ ତାଙ୍କୁ କୋଲକାତାର ଯୁବରାଜ କୁହାଯାଏ। ପ୍ରକୃତରେ କିନ୍ତୁ ସେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ମୁକୁଟ ବିହୀନ ‘ମହାରାଜ’। ବୁଧବାର ଥିଲା ଗାଙ୍ଗୁଲିଙ୍କ ୪୮ତମ ଜନ୍ମଦିବସ। ଏହି ଅବସରରେ ଅଧିନାୟକ ଭାବେ ସେ ନେଇଥିବା ପାଞ୍ଚଟି ସାହସିକ ନିଷ୍ପତ୍ତି (ଯାହା ଭାରତୀୟ କ୍ରିକେଟର ଭାଗ୍ୟ ବଦଳାଇ ଦେଇଥିଲା)କୁ ସ୍ମରଣ କରିବାଠାରୁ ଭଲ କଥା ଆଉ କିଛି ହୋଇନପାରେ।

ଇଡେନ୍ ଗାର୍ଡେନ୍ସରେ ଲକ୍ଷ୍ମଣଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ଛାଡ଼ିବା
ଅଷ୍ଟ୍ରେଲିଆ ବିପକ୍ଷ ୨୦୦୧ ଟେଷ୍ଟ୍ ଶୃଙ୍ଖଳା ବିଜୟ ଗାଙ୍ଗୁଲିଙ୍କ ଅଧିନାୟକ ଜୀବନ ସହ ଭାରତୀୟ କ୍ରିକେଟ୍ ପାଇଁ ଏକ ମାଇଲଖୁଣ୍ଟ ଥିଲା। ବିଶେଷ କରି ଇଡେନ୍ ଗାର୍ଡେନ୍ସ ପଡ଼ିଆରେ ଫଲୋଅନ୍‌ ହେବା ପରେ ମଧ୍ୟ କଙ୍ଗାରୁ ଦଳକୁ ପରାସ୍ତ କରିବାର ଅନନ୍ୟ ସଫଳତା ତାଙ୍କ ବଳିଷ୍ଠ ନେତୃତ୍ବର ଆଉ ଏକ ଜ୍ବଳନ୍ତ ଉଦାହରଣ ଥିଲା। ଗାଙ୍ଗୁଲି ଦ୍ବିତୀୟ ପାଳିରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଛାଡ଼ିବା ହିଁ ଏହି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଏହି ସ୍ମରଣୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ତାରକା ଖଚିତ ଅଷ୍ଟ୍ରେଲୀୟ ବୋଲିଂ ବାହିନୀ ସମ୍ମୁଖରେ ଲକ୍ଷ୍ମଣଙ୍କ ଛଡ଼ା ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରିଥିଲେ। ତୃତୀୟ ଦିନରେ ଭାରତ ଯେତେବେଳେ ଫଲୋଅନ୍ ଖେଳିବାକୁ ଓହ୍ଲାଇଥିଲା, ଲକ୍ଷ୍ମଣଙ୍କ ଉପରେ ଆସ୍ଥା ପ୍ରକଟ କରି ଗାଙ୍ଗୁଲି ତାଙ୍କୁ ତିନି ନମ୍ବରରେ ବ୍ୟାଟିଂ କରିବାର ପଦୋନ୍ନତି ଦେଇଥିଲେ। ତାଙ୍କର ଏହି ଚାଲ୍ ବେଶ୍‌ ଫଳପ୍ରଦ ଦେଇଥିଲା। ରାହୁଲ ଦ୍ରାବିଡ଼ ଓ ଭିଭିଏସ୍ ଲକ୍ଷ୍ମଣ ଚତୁର୍ଥ ଦିନ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଲକ୍ଷ୍ମଣ ସେତେବେଳେ ଟେଷ୍ଟ୍ କ୍ରିକେଟ୍‌ରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ରନ୍ (୨୮୧) ହାସଲ କରିଥିଲେ। ଦ୍ରାବିଡ଼ ମଧ୍ୟ ଶତକୀୟ ପାଳି ଖେଳିଥିଲେ। ଫଳରେ ପଞ୍ଚମ ଦିନରେ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲା। ହରଭଜନ ସିଂହଙ୍କ ସ୍ପିନ୍ ଯାଦୁରେ ଭାରତ ଏକ ଅସାଧାରଣ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଲଗାତାର ୧୬ ଟେଷ୍ଟ୍ ଜିତିବା ଧାରାକୁ ରୋକିଥିଲା। ସେହିଭଳି ଚେନ୍ନାଇରେ ଖେଳା ଯାଇଥିବା ତୃତୀୟ ତଥା ‌ଶେଷ ଟେଷ୍ଟ୍‌କୁ ଜିତି ତିନି ଟିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିଲା।

ସେହବାଗଙ୍କୁ ପାଳି ଆରମ୍ଭ କରିବାକୁ କହିବା
ବୀରେନ୍ଦ୍ର ସେହବାଗ ନିଜ ପ୍ରଥମ ଶ୍ରେଣୀ ଜୀବନ ସାରା ମଧ୍ୟକ୍ରମରେ ବ୍ୟାଟିଂ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ପଦାର୍ପଣର କିଛି ସମୟ ପର୍ଯ୍ୟନ୍ତ ମଧ୍ୟ ସେ ଏହି ସ୍ଥାନରେ ‌ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ବ୍ଲୋଏମଫଣ୍ଟିନଠାରେ ଟେଷ୍ଟ୍ ପଦାର୍ପଣ କରି ଷଷ୍ଠ ସ୍ଥାନରେ ଖେଳି ସେହବାଗ ଶତକ ହାସଲ କରିଥିଲେ। ହେଲେ ଗୁଣ ଚିହ୍ନେ ଗୁଣିଆ ଭଳି ଗାଙ୍ଗୁଲି ତାଙ୍କ ଅସଲ ପ୍ରତିଭାକୁ ଚିହ୍ନିଥିଲେ। ଦ୍ରୁତ ଓ ବିସ୍ଫୋରକ ବ୍ୟାଟିଂ ଦକ୍ଷତାକୁ ସମ୍ମାନ ଜଣାଇ ସେହବାଗଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ବ୍ୟାଟିଂ କରାଇଥିଲେ। ତାଙ୍କର ଏହି ନିଷ୍ପତ୍ତି ଭାରତ ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ସେହବାଗ ଚମତ୍କାର ବ୍ୟାଟିଂ କରିବା ସହ ଭାରତକୁ ଏକାକି ଅନେକ ମ୍ୟାଚ୍ ଜିତାଇଥିଲେ। ଦୁଇଟି ତ୍ରି-ଶତକ ସହ ଟେଷ୍ଟ୍ କ୍ରିକେଟ୍‌ରେ ୫୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିଲେ। ସେହବାଗ ମଧ୍ୟ ଭାରତର ଅନ୍ୟତମ ସଫଳ ଟେଷ୍ଟ୍ ଓପନର ହୋଇ ପାରିଥିଲେ।

ୱିକେଟ୍ ରକ୍ଷଣ ପାଇଁ ଦ୍ରାବିଡ଼ଙ୍କୁ ମନାଇବା
ଗାଙ୍ଗୁଲି ନିଜ ନେତୃତ୍ବର ଅଧିକାଂଶ ସମୟରେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ମନ ପସନ୍ଦର ୱିକେଟ୍ ରକ୍ଷକଟିଏ ପାଇନଥିଲେ। ଜଣେ ସଫଳ ୱିକେଟ୍ ରକ୍ଷକ ପାଇବା ତାଙ୍କ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଶେଷରେ ଏହି ଧାରାରେ ପୂର୍ଣ୍ଣଛେଦ ଟାଣିବା ଲାଗି ଭାରତୀୟ କ୍ରିକେଟ୍‌ର ଅନ୍ୟତମ କିଂବଦନ୍ତି ତାରକା ରାହୁଲ ଦ୍ରାବିଡ଼ଙ୍କୁ ସେ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବାକୁ କହିଥିଲେ। ଦ୍ରାବିଡ଼ ପ୍ରଥମ‌େ ପ୍ରଥମେ ଅମଙ୍ଗ ଥିଲେ। ପରେ କିନ୍ତୁ ନିଜ ଅଧିନାୟକଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହୋଇଥିଲେ। ଦଳୀୟ ସନ୍ତୁଳନ ପାଇଁ ଗାଙ୍ଗୁଲି ଏଭଳି କରୁଥିବା ମଧ୍ୟ ହୃଦୟଙ୍ଗମ କରିଥିଲେ। ଗାଙ୍ଗୁଲିଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ ପାଇଁ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇପାରିଥିଲା। ଦ୍ରାବିଡ଼ ମଧ୍ୟ ପାଞ୍ଚ ନମ୍ବର ସ୍ଥାନରେ ଚମତ୍କାର ବ୍ୟାଟିଂ କରିଥିଲେ। ନିଜ ଜୀବନର କେତେକ ସ୍ମରଣୀୟ ଦିନିକିଆ ପାଳି ସେ ଏହି ସମୟରେ ହିଁ ଖେଳିଥିଲେ।

ଧୋନିଙ୍କୁ ବାଛିବା ଓ ୩ ନମ୍ବରରେ ପଠାଇବା
ଏହା ସଂଯୋଗର ବିଷୟ ଯେ ଭାରତୀୟ କ୍ରିକେଟ୍‌ର ଦୁଇ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ସୌରଭ ଗାଙ୍ଗୁଲି ଗୋଟିଏ ମାସରେ ଜନ୍ମଗ୍ରହଣ କରିଛନ୍ତି। ଧୋନିଙ୍କ ଜନ୍ମଦିନ ଜୁଲାଇ ୭ ହୋଇଥିଲା ବେଳେ ଗାଙ୍ଗୁଲିଙ୍କର ହେଉଛି ଜୁଲାଇ ୮। ଏହା ମଧ୍ୟ ଏକ ସଂଯୋଗ ଯେ କେନିଆରେ ଭାରତ-ଏ’ ଦଳର ଏକମାତ୍ର ସଫଳ ଗସ୍ତ ପରେ ଧୋନିଙ୍କୁ ଗାଙ୍ଗୁଲି ଭାରତୀୟ ଦଳ ପାଇଁ ବାଛିଥିଲେ। ପ୍ରଥମ କିଛି ପାଳିର ଦୟନୀୟ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍ ଦଳରେ ଧୋନିଙ୍କ ସ୍ଥାନ ନେଇ ନାନା ପ୍ରଶ୍ନ ଉଠିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। ଗାଙ୍ଗୁଲି କିନ୍ତୁ ଧୋନିଙ୍କ ଦକ୍ଷତାକୁ ମାପିଥିଲେ। ସମାଲୋଚନାକୁ ବେଖାତିର କରି ପାକିସ୍ତାନ ବିପକ୍ଷରେ ତାଙ୍କୁ ତିନି ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲେ। ସେହି ସୁଯୋଗକୁ ଦୁଇ ହାତରେ ଗ୍ରହଣ କରି ଧୋନି ବିଶାଖାପାଟଣାରେ ୧୪୮ ରନ୍‌ର ଧୂ୍ଆଁଧାର ପାଳି ଖେଳିଥିଲେ। ସେବେଠାରୁ ସେ ମଧ୍ୟ ଆଉ ପଛକୁ ଫେରି ଚାହିଁନଥିଲେ।

ଯୁବ ଖେଳାଳିଙ୍କୁ ପୂର୍ଣ୍ଣ ସମର୍ଥନ ଦେବା
ଯୁବ ଖେଳାଳିଙ୍କୁ ପୂର୍ଣ୍ଣ ସମର୍ଥନ କରିବା ସହ ସେମାନଙ୍କୁ ଲମ୍ବା ସମୟ ପର୍ଯନ୍ତ ଦଳରେ ରଖିବା ଗାଙ୍ଗୁଲିଙ୍କର ଆଉ ଏକ ଭଲ ଗୁଣ ଥିଲା। ବୀରେନ୍ଦ୍ର ସେହବାଗ, ହରଭଜନ ସିଂହ, ଜାହିର ଖାନ୍, ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଖେଳାଳିଙ୍କ ଆଦ୍ୟ ଅନ୍ତର୍ଜାତୀୟ ଖେଳ ଜୀବନ ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ହିଁ ପ୍ରଷ୍ପୁଟିତ ହୋଇଥିଲା। ୨୦୦୦ ମସିହାର ମ୍ୟାଚ୍ ଫିକ୍ସିଂ ବିବାଦ ପରେ ଗାଙ୍ଗୁଲି ହିଁ ନୂଆ କରି ଭାରତୀୟ ଦଳକୁ ଗଢ଼ିଥିଲେ। ସେ ମଧ୍ୟ ଭାରତୀୟ ଖେଳାଳିଙ୍କ ମନରେ ବିଦେଶ ମାଟିରେ ଜିତିବାର ଆତ୍ମବିଶ୍ବାସ ଜାଗ୍ରତ କରିଥିଲେ। ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ଭାରତ ବିଦେଶରେ ୨୮ ଟେଷ୍ଟ୍ ଖେଳି ୧୧ ବିଜୟ ପାଇଥିଲା। ଯାହା କେବଳ ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ।

ସମ୍ବନ୍ଧିତ ଖବର