ବ୍ରହ୍ମପୁର: ଏକଦା ଓଡ଼ିଶା ହକି ଦଳରେ ଗଂଜାମ ଜିଲ୍ଲାରୁ ଅର୍ଦ୍ଧାଧିକ ଖେଳାଳି ରହୁଥିଲେ। ଏପରିକି ଓଡ଼ିଶା ଦଳର ନେତୃତ୍ବ ବି ନେଇଛନ୍ତି ଗଂଜାମ ଖେଳାଳି। ହକିର ଯାଦୁଗର ମେଜର୍‌ ଧ୍ୟାନ୍‌ ଚାନ୍ଦଙ୍କ ପାଦ ପଡ଼ିଛି ଏଇ ମାଟିରେ। ଗଂଜାମର ଏକାଧିକ ଖେଳାଳିଙ୍କୁ ସେ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି। ଯେଉଁମାନେ କି ଜାତୀୟସ୍ତରରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ସମୟକ୍ରମେ ଘାସ ପଡ଼ିଆର ସ୍ଥାନ ନେଲା ସିନ୍ଥେଟିକ୍ ଟର୍ଫ। ଭଲ ପଡ଼ିଆଟିଏ ଉପଲବ୍ଧ ହେଉନଥିବା ବେଳେ ଯେନତେନ ପ୍ରକାରେ ଅଭ୍ୟାସ କରୁଥିବା ଜିଲ୍ଲାର ହକି ଖେଳାଳିଙ୍କ ପାଇଁ ସିନ୍ଥେଟିକ୍‌ ଟ୍ରାକ୍‌ ସାତ ସପନ। ଫଳରେ ନୂଆ ପିଢ଼ି ହକିରୁ ଏକପ୍ରକାର ଦୂରେଇ ଗଲେଣି। ସ୍ଥିତି ଏମିତି ହେଲାଣି ଯେ ପୂର୍ବରୁ ହକିର ହବ୍‌ ଭାବେ ସୁନାମ ଅର୍ଜନ କରିଥିବା ଗଂଜାମର ସଦର ମହକୁମା ଛତ୍ରପୁରରେ ମଧ୍ୟ ଏହି ଖେଳ ଆଉ ଦେଖିବାକୁ ମିଳୁନି। ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଖେଳାଳିଙ୍କ ସହ ଜାତୀୟସ୍ତରୀୟ ତାଲିମପ୍ରାପ୍ତ ପ୍ରଶିକ୍ଷକ ଥିଲେ ମଧ୍ୟ ସେମାନଙ୍କ ଅଭିଜ୍ଞତାକୁ ବାଣ୍ଟିବା ପାଇଁ ସୁଯୋଗ ନାହିଁ।

Advertisment

ଏଭଳି ଜଣେ ଅଭିଜ୍ଞ ସମ୍ପନ୍ନ ଜାତୀୟସ୍ତରର ହକି ଖେଳାଳି ହେଲେ ସୀମାଦ୍ରି ବେହେରା। ସେ ଛତ୍ରପୁର ସ୍ଥିତ ଗିଲ୍ଟିପେଟା ସାହିର ମୂଳ ବାସିନ୍ଦା ହୋଇଥିବା ବେଳେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ଭାବେ ଚାକିରିରୁ ଅବସର ନେଲା ପରେ ଏବେ ବ୍ରହ୍ମପୁରର ସ୍ଥାୟୀ ବାସିନ୍ଦା। ତାଙ୍କ କହିବା ଅନୁଯାୟୀ ବ୍ରିଟିସ୍ ଅମଳରୁ ଛତ୍ରପୁରରେ ହକି ଖେଳ ଜାରି ରହିଥିଲା। ସେଠାରେ କଲେକ୍ଟରେଟ୍‌ କାର୍ଯ୍ୟାଳୟ ସମ୍ମୁଖରେ ଇଂରେଜମାନଙ୍କ ଦ୍ବାରା ପ୍ରସ୍ତୁତ ଏକ ହକି ପଡ଼ିଆ ଥିଲା। ପୁଲିସ କର୍ମଚାରୀ ସେଠାରେ ନିୟମିତ ଅଭ୍ୟାସ କରୁଥିଲେ। ଛତ୍ରପୁର ପୁଲିସ ଦଳ ରାଜ୍ୟର ଅଗ୍ରଣୀ ଓ ଶକ୍ତିଶାଳୀ ହକି ଦଳ ଥିଲା। ସେମାନଙ୍କ ଖେଳ ଦେଖିଦେଖି ହିଁ ସ୍ଥାନୀୟ ପିଲାଙ୍କ ସହ ସୀମାଦ୍ରି ହକି ଶିଖିଥିଲେ। ଗଛରୁ ବଙ୍କା ଡାଳ ଭାଂଗି ତାକୁ ହକି ଷ୍ଟିକ୍‌ କରୁଥିଲେ। ହାତ ତିଆରି କାଠ ବଲ୍‌କୁ ନେଇ ସାଂଗମାନଙ୍କ ସହ ହକି ଖେଳୁଥିଲେ। ପୁଲିସ ଖେଳାଳିମାନଙ୍କ ପୁରୁଣା ଓ ଭାଙ୍ଗି ଯାଉଥିବା ହକି ଷ୍ଟିକ୍‌କୁ ସଂଗ୍ରହ କରିବା ବଡ଼ କଥା ଥିଲା। ତେବେ ହକିର ଯାଦୁଗର ମେଜର୍‌ ଧ୍ୟାନ୍‌ ଚାନ୍ଦଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ଖେଳ ଅଧିକ ମାର୍ଜିତ ହୋଇଥିଲା। ୧୯୬୯ ମସିହାରେ ଖଲ୍ଲିକୋଟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଅତଥି ଭାବେ ଯୋଗ ଦେଇଥିଲେ ଧ୍ୟାନ୍‌ଚାନ୍ଦ। ଏହାପରେ କଟକର ସତ୍ୟବ୍ରତ ପଡ଼ିଆରେ ରାଜ୍ୟ ଅଲିମ୍ପିକ୍‌ ସଂଘ ପକ୍ଷରୁ ତାଙ୍କ ନେତୃତ୍ବରେ ଏକ ୧୯ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ମେଜର୍‌ ଧ୍ୟାନ୍‌ ଚାନ୍ଦଙ୍କୁ ଓଡ଼ିଶା ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ତତ୍କାଳୀନ ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଭୈରବ ମହାନ୍ତି ଓ ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ନନ୍ଦ କିଶୋର ଦାସ। ଏହି ଶିବିରକୁ ରାଉରକେଲା, ଢେଙ୍କାନାଳ, କଟକ ଏବଂ ଗଂଜାମରୁ ୩ ଜଣ ଲେଖାଏଁ ଖେଳାଳି ମନୋନୀତ ହୋଇଥିଲେ। ସେଥିରେ ସୀମାଦ୍ରିଙ୍କ ସହ କିଶୋର ପାଢ଼ୀ, ରବୀନ୍ଦ୍ରନାଥ ଜେନା ଗଂଜାମ ଜିଲ୍ଲାରୁ ସାମିଲ ହୋଇଥିଲେ। ପରେ ପୁଣିଥରେ ଧ୍ୟାନ୍‌ ଚାନ୍ଦଙ୍କ ନେତୃତ୍ବରେ କଟକ ବାରବାଟି ଷ୍ଟାଡିୟମରେ ୨୧ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହିଠାରୁ କେବଳ ଗଂଜାମ ନୁହେଁ ଓଡ଼ିଶା ହକିର ଭାଗ୍ୟ ଉଦୟ ହୋଇଥିଲା। ୧୯୭୦ ମସିହାରେ ଜାତୀୟସ୍ତରର ପ୍ରତିଯୋଗିତା ଖେଳିବା ପାଇଁ ଓଡ଼ିଶା ଦଳ ଜଳନ୍ଧର ଯାଇଥିଲା। ଏହାର ପ୍ରଶିକ୍ଷକ ଦାୟିତ୍ବରେ ଥିଲେ ମେଜର୍‌ ଧ୍ୟାନ୍ ଚାନ୍ଦ। ଓଡ଼ିଶା ହକି ସଂଘ ସମ୍ପାଦକ ପିଭିଆର୍‌ ମୂର୍ତ୍ତି ଏବଂ ପର୍ଯ୍ୟବେକ୍ଷକ ଭାବେ ସୁର ବେହେରା ଦଳ ସହ ଗସ୍ତ କରିଥିଲେ। ଗଂଜାମରୁ ଏକମାତ୍ର ଖେଳାଳି ଭାବେ ସୀମାଦ୍ରି ବେହେରା ଏହି ଦଳରେ ସୁଯୋଗ ପାଇବା ସହ ସେଣ୍ଟର୍‌ ଫର୍‌ୱାଡ଼ରେ ଉତ୍କର୍ଷ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଥର ପାଇଁ ଓଡ଼ିଶା ଦଳ କର୍ଣ୍ଣାଟକ ଏବଂ ଆନ୍ଧ୍ର ଠାରୁ ବିଜୟୀ ହୋଇଥିଲା। ଅନ୍ୟ ଦୁଇଟି ମ୍ୟାଚ୍‌ ହାରିଥିଲେ ମଧ୍ୟ କର୍ଣ୍ଣାଟକଠୁ ଜିତିବା ପରେ ଓଡ଼ିଶା ଦଳ ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲା। ପରବର୍ଷ ୧୯୭୧ରେ ମଧ୍ୟ ଧ୍ୟାନ୍‌ ଚାନ୍ଦ ଓଡ଼ିଶା ଦଳର ପ୍ରଶିକ୍ଷକ ଥାଇ ବାଙ୍ଗାଲୋର୍‌ ଗସ୍ତ କରିଥିଲେ। ଏଥିରେ ଓଡ଼ିଶା ଗୋଟିଏ ମ୍ୟାଚ୍‌ ଜିତିଥିଲେ ମଧ୍ୟ ସମସ୍ତ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲା। ଅନ୍ୟପକ୍ଷେ ୧୯୭୦ରୁ ୧୯୭୫ ମସିହା ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ପ୍ରତିନିଧିତ୍ବ କରିଥିବା ସୀମାଦ୍ରି ବେହେରା ୩୦ଟି ମ୍ୟାଚ୍‌ ଖେଳିଛନ୍ତି। ୧୯୭୫ରେ ସେ ଓଡ଼ିଶା ଦଳର ଅଧିନାୟକ ହୋଇ ଭୋପାଳ ଗସ୍ତ କରିଥିଲେ। ଏହାପରଠାରୁ ସେ ଗଂଜାମ ଜିଲ୍ଲାରେ ହକିର ବିକାଶ ପାଇଁ ନିଜକୁ ନିୟୋଜିତ କରିଥିଲେ। ଛତ୍ରପୁରର କାଳୁ ଚରଣ ଚୌଧୁରୀ (ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମ ପ୍ରଶିକ୍ଷକ) ଓ ଅମୂଲ୍ୟ ବେହେରା ଏନ୍‌ଆଇଏସ୍‌ ହକି ପ୍ରଶିକ୍ଷକ ଭାବେ ତାଲିମ୍‌ ନେବାପରେ ପ୍ରତିଷ୍ଠିତ ହୋଇପାରିଛନ୍ତି। କିନ୍ତୁ ଆଉ ତିନି ଜଣ ଏନ୍‌ଆଇଏସ୍‌ ପ୍ରଶିକ୍ଷକ ହୋଇ ମଧ୍ୟ ବେକାର ହୋଇ ରହିଲେ। ତେବେ କ୍ରୀଡ଼ାରେ ରାଜନୀତି ସହ ହକି ପାଇଁ ଘାସ ପଡ଼ିଆର ସ୍ଥାନ ସିନ୍ଥେଟିକ୍ ଟର୍ଫ ନେବା ଗଂଜାମ ହକି ଅଧପତନର ପ୍ରମୁଖ କାରଣ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏକଦା ସେ ଖାଲି ପାଦରେ ଜାତୀୟସ୍ତରର ପ୍ରତିଯୋଗିତା ଖେଳିଥିଲେ। କିନ୍ତୁ ଏବେ ସିନ୍ଥେଟିକ୍ ଟର୍ଫରେ ଅଭ୍ୟାସ କରିନଥିବା ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁନି। ଅନ୍ୟପକ୍ଷେ ଏଭଳି ଆଧୁନିକ ହକି ପଡ଼ିଆ ଅଭାବରୁ ରାଜ୍ୟରେ ହେଉଥିବା ବହୁ ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା ମଧ୍ୟ ବନ୍ଦ ହୋଇଗଲା। ଯେଉଁଠାରେ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ରହୁଥିଲା। ସତ୍ୟବ୍ରତ ‌ଷ୍ଟାଡିୟମରେ କଳିଙ୍ଗ ହକି କପ୍, ମ୍ୟାଙ୍ଗୋ କପ୍, ଭୈରବ ମହାନ୍ତି ହକି ପ୍ରତିଯୋଗିତା, କଲ୍ୟାଣ ସିଂହ ହକି ପ୍ରତିଯୋଗିତା ସେଥି ମଧ୍ୟରୁ ଅନ୍ୟତମ। ଗଂଜାମରେ ମଧ୍ୟ ୯୦ ଦଶକରେ ଦୁଇଥର ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା ହୋଇଛି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ୧୭ଟି ସିନ୍ଥେଟିକ୍‌ ଟର୍ଫ ବିଛାଇବା ପାଇଁ ଶିଳାନ୍ୟାସ କରିଛନ୍ତି। କିନ୍ତୁ କେବଳ ସୁନ୍ଦରଗଡ଼ ନୁହେଁ, ଗଂଜାମ, କଟକ ଓ ଢେଙ୍କାନାଳରେ ମଧ୍ୟ ହକିର ବିକାଶ ପାଇଁ ପଦକ୍ଷେପ ନିଆଗଲେ ରାଜ୍ୟରେ ହକିର ବିକାଶ ହେବ ବୋଲି ସିମାଦ୍ରି ମତବ୍ୟକ୍ତ କରିଛନ୍ତି।