କାତାର୍ ଫୁଟ୍‌ବଲ୍ ବିଶ୍ବକପ୍‌: ଇଣ୍ଟରନେଟ୍ ପରିଚାଳନା ଦାୟିତ୍ବରେ ଗଞ୍ଜାମ ପୁଅ ନାରାୟଣ

ବ୍ରହ୍ମପୁର: କାତାରରେ ଚାଲିଥିବା ଫିଫା ଫୁଟ୍‌ବଲ୍ ବିଶ୍ବକପ୍‌ର ମଜା ଉଠାଇବା ପାଇଁ ସାରା ବିଶ୍ବରୁ ଫୁଟ୍‌ବଲ୍‌ପ୍ରେମୀଙ୍କ ସୁଅ ଛୁଟୁଛି। ତେବେ ଏହି ବିଶ୍ବକପ୍‌ ପରିଚାଳନାରେ ଜଣେ ଓଡ଼ିଆ ତଥା ଗଞ୍ଜାମ ପୁଅ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ସେ ହେଲେ ଭଂଜନଗର ନିକଟ କେଶରାପଲ୍ଲୀର ନାରାୟଣ ପ୍ରଧାନ। ନାରାୟଣ ଜଣେ ଆଇଟି ଇଂଜିନିୟର୍‌ ଭାବେ କାତାର୍‌ର ଏକ କମ୍ପାନିରେ ନିଯୁକ୍ତ ଅଛନ୍ତି। ତେବେ ବିଶ୍ବକପ୍‌ ଆୟୋଜନ ପାଇଁ ସ୍ଥାପନ ହୋଇଥିବା ୮ଟି ସ୍ବତନ୍ତ୍ର ଷ୍ଟାଡିୟମରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଇବା ସହ ଏହାର ତଦାରଖ ଦାୟିତ୍ବରେ ନାରାୟଣ ନିୟୋଜିତ ଅଛନ୍ତି।

ସେ ଜଣେ ଫୁଟ୍‌ବଲ୍ ପ୍ରେମୀ ହୋଇଥିବା ବେଳେ ଗଞ୍ଜାମରୁ ଯାଇ ବିଶ୍ବକପ୍‌ ଆୟୋଜନରେ ତାଙ୍କ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେଠାରେ ନିଜର ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ୍ କରି ଖୁସି ବ୍ୟକ୍ତ କରିଛନ୍ତି। ନାରାୟଣ ଇଂଜିନିୟର୍ ଭାବେ କାତାରରେ ନିଯୁକ୍ତି ପାଇଥିଲେ ମଧ୍ୟ ମାତୃଭୂମିକୁ ଭୁଲି ନାହାନ୍ତି। ବିଭିନ୍ନ ଅନୁଷ୍ଠାନ ସହ ଯୋଡ଼ିହୋଇ ସମାଜସେବାରେ ବ୍ରତୀ ଅଛନ୍ତି। ଏପରିକି କରୋନା ମହାମାରୀ ବେଳେ ବ୍ରହ୍ମପୁର ଆସି ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର