ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌: ମୁକ୍ତେଶ୍ୱର ବିଜେତା

ଭୁବନେଶ୍ୱର: ମୁକ୍ତେଶ୍ୱର ଫୁଟ୍‌ବଲ୍‌ କ୍ଲବ୍‌ ଚତୁର୍ଦଶ ଗତିକୃଷ୍ଣ ସ୍ମାରକୀ ଫୁଟ୍‌ବଲ୍‌ ଲିଗ୍‌ (ଡିଭିଜନ୍‌-ବି) ଟ୍ରଫି କରାୟତ କରିଛି। ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ମଙ୍ଗଳବାର ଫାଇନାଲ୍‌ରେ ମୁକ୍ତେଶ୍ୱର ୨-୧ ଗୋଲ୍‌ରେ ଗଣ୍ଡରପୁରର ୟୁନାଇଟେଡ୍‌ ସ୍ପୋର୍ଟ୍ସ କ୍ଲବ୍‌କୁ ପରାସ୍ତ କରିଦେଇଛି। ପ୍ରଥମାର୍ଧର ଅଷ୍ଟମ ମିନିଟ୍‌ରେ ଜଗନ୍ନାଥ ବାରିକ ଗୋଟିଏ ଗୋଲ୍‌ ଦେଇ ଗଣ୍ଡରପୁର ଦଳକୁ ଆଗୁଆ କରିଥିଲେ। ହେଲେ ୪୫ ମିନିଟ୍‌ରେ ସତୀଶ ମହାନ୍ତି ମୁକ୍ତେଶ୍ୱର ପାଇଁ ଏହି ଗୋଲ୍‌ଟି ଶୁଝି ଦେଇଥିଲେ। ଏହାପରେ ୬୦ ମିନିଟ୍‌ରେ ରାଜୀବ ଦାସ ମୁକ୍ତେଶ୍ୱର ପକ୍ଷରୁ ଆଉ ଏକ ଗୋଲ୍‌ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ଏଥି ସହିତ ମୁକ୍ତେଶ୍ୱର ମଧ୍ୟ ବିଜେତା ହୋଇଥିଲା। ଚନ୍ଦ୍ରକାନ୍ତ ବାରିକ୍‌, ସୁଦୀପ ଦାସ, ଟି ମୋହନ ରାଓ ଓ ସୁଶାନ୍ତ ମିଶ୍ର ମ୍ୟାଚ୍‌ ପରିଚାଳନା କରିଥିଲେ।
ପ୍ରତିଯୋଗିତାରେ ସର୍ବାଧିକ ୮ ଗୋଲ୍‌ ଦେଇଥିବା ରାଜୀବ ଦାସଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହାକୁ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ରବି ରାଉତରାୟ ପ୍ରଦାନ କରିଥିଲେ। ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ)ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଟ୍ରଫି ଏବଂ ଆୟୋଜକ ସମିତିର ଅଧ୍ୟକ୍ଷ ଆର୍‌ ଏନ୍‌ ପଣ୍ଡା ଉପବିଜେତା ଟ୍ରଫି ପ୍ରଦାନ କରିଥିଲେ। ବିଏଏର ସମ୍ପାଦକ ଡକ୍ଟର ସୌର୍ଯ୍ୟରଞ୍ଜନ ପରିଜା, ମ୍ୟାଚ୍‌ କମିସନର ମନୋରଞ୍ଜନ ମହାନ୍ତି, ଉପସଭାପତି ସନ୍ତୋଷ ଦାସ, ଏମ୍‌ଏମ୍‌ ଜେନା, ଅରବିନ୍ଦ ମିତ୍ର, ପ୍ରିୟନାଥ ମିଶ୍ର, ରାଧା ମହାପାତ୍ର ଏବଂ ଅଶୋକ ମହାନ୍ତି ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ। ଆର୍‌କେ ମଣ୍ଡଳ ଉତ୍ସବକୁ ପରିଚାଳନା କରିଥିଲେ।

 

ସମ୍ବନ୍ଧିତ ଖବର