ଚୟନ ପ୍ରକ୍ରିୟାକୁ ନେଇ ଗମ୍ଭୀର-ପ୍ରସାଦ ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ: ଚୟନକର୍ତ୍ତାଙ୍କ ସହ ଉତ୍ତମ ଯୋଗାଯୋଗ ରଖିବା ଆବଶ୍ୟକତା ନେଇ ଯୁବରାଜ ସିଂହ, ଇର୍ଫାନ ପଠାନ ଓ ସୁରେଶ ରାଇନା ନିକଟରେ ସ୍ବର ଉଠାଇଥିଲେ। ଭାରତୀୟ ଦଳକୁ ଭଲ ଦିଶାରେ ନେବାକୁ ହେଲେ ବରିଷ୍ଠ କ୍ରିକେଟର୍‌ମାନଙ୍କ ସହଯୋଗ ଦରକାର ବୋଲି ଏମାନେ କହିଥିଲେ। ଗୁରୁବାର ଏହି ପ୍ରସଙ୍ଗରେ ଆଲୋଚିତ ଏକ ବିତର୍କରେ ଭାରତର ପୂର୍ବତନ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର, କୃଷ୍ଣମଚାରୀ ଶ୍ରୀକାନ୍ତ ଓ ଚୟନକର୍ତ୍ତା ଏମଏସକେ ପ୍ରସାଦ ଭାଗ ନେଇଥିଲେ। ଏହି ବିତର୍କରେ ଗମ୍ଭୀର କହିଥିଲେ ଯେ ବିସିସିଆଇ ଏକ ନିୟମ କରୁ ଯେଉଁଥି‌ରେ ଅଧିନାୟକ ଓ ପ୍ରଶିକ୍ଷକଙ୍କୁ ଭୋଟ ଦେବାର ଅଧିକାର ମିଳିବ। ଏବେ ସମୟ ଆସିଛି ଅଧିନାୟକ ମଧ୍ୟ ଚୟନକର୍ତ୍ତା ହେବା ଆବଶ୍ୟକ କରନ୍ତି। ଅଧିନାୟକ ଓ ପ୍ରଶିକ୍ଷକ ଚୟନକର୍ତ୍ତା ହେବା ଉଚିତ। ଖେଳୁଥିବା ଏକାଦଶ ଚୟନରେ ଚୟନକର୍ତ୍ତାଙ୍କର କିଛି କହିବା ଉଚିତ ନୁହେଁ। ଏହା ଅଧିନାୟକଙ୍କ ଦାୟିତ୍ବ। କିନ୍ତୁ ଦଳ ଚୟନ ବେଳେ ଅଧିନାୟକ ଓ ପ୍ରଶିକ୍ଷକଙ୍କୁ ଭୋଟ୍ ଦେବାର କ୍ଷମତା ମିଳିବା ଦରକାର ବୋଲି ଷ୍ଟାର ସ୍ପୋର୍ଟ୍ସ ସୋ କ୍ରିକେଟ୍‌ କନେକ୍ଟରେ ଗମ୍ଭୀର ପ୍ରକାଶ କରିଛନ୍ତି। ଚୟନ ପ୍ରକ୍ରିୟାରେ ଅଧିନାୟକ ସବୁବେଳେ କହିଥାନ୍ତି। ଏଥିରେ ‌ଦୁଇଟି ଉପାୟ ନାହିଁ। କେବଳ ଆମର ନିୟମ ଅନୁଯାୟୀ ସେମାନଙ୍କ ଭୋଟ ଅଧିକାର ନାହିଁ ବୋଲି ପ୍ରସାଦ କହିଥିଲେ।

ଭାରତର ଚତୁର୍ଥ ସ୍ଥାନ ଅସୁବିଧା ଦୂର ‌ନ ହେବା ନେଇ ପ୍ରସାଦଙ୍କ ନେତୃତ୍ବରେ ଗଠିତ ଚୟନ ସମିତିକୁ ନିନ୍ଦା କରିଥିଲେ ଗମ୍ଭୀର। ଯାହା ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ବକପ୍‌ରେ ଦେଖାଯାଇଥିଲା। ବିଶ୍ବକପ୍‌ ଲାଗି ଅମ୍ବାତି ରାୟୁଡ଼ୁଙ୍କୁ ବାଦ୍‌ଦେଇ ବିଜୟ ଶଙ୍କରଙ୍କୁ ଦଳରେ ନେବା ନିଷ୍ପତ୍ତି ଚକିତ କରିଥିଲା। ୪ ନମ୍ବର ସ୍ଥାନ ପାଇଁ ସେମାନେ ନାଁ ଖୋଜି ପାଇଲେ ନାହିଁ। ରାୟୁଡ଼ୁଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ନମ୍ବର ୪ରେ ଖେଳାଇଲ। ହେ‌େଲ ବିଶ୍ୱକପ୍ ପୂର୍ବରୁ ଆପଣଙ୍କୁ ୩-ଡି (ବୋଲିଂ, ବ୍ୟାଟିଂ, କ୍ଷେତ୍ରରକ୍ଷଣ) ଦରକାର ପଡ଼ିଲା ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ଏହାର ଜବାବରେ ପ୍ରସାଦ କହିଛନ୍ତି ଯେ ମୋତେ ସ୍ପଷ୍ଟ କରିବାକୁ ଦିଅ। ଶୀର୍ଷରେ ଖେଳିବା ଲାଗି ଆମ ପାଖରେ ଶିଖର ଧାୱାନ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଥିଲେ। ହେଲେ ଏମାନେ ବୋଲିଂ କରିବାକୁ ସକ୍ଷମ ନଥିଲେ। ବିଜୟ ଶଙ୍କର ଶୀ‌ର୍ଷ କ୍ରମରେ ବ୍ୟାଟିଂ କରିବା ସହ ଇଂଲଣ୍ଡ‌ ପାଣିପାଗରେ ଭଲ ବୋଲିଂ କରିବାର ଦକ୍ଷତା ରଖିଥିଲେ। ତେବେ ଗମ୍ଭୀର ଓ ପ୍ରସାଦଙ୍କ ଏହି ମନ୍ତବ୍ୟକୁ ସମର୍ଥନ ଦେଇ ନଥିଲେ ୨୦୧୩ ପର୍ଯ୍ୟନ୍ତ ଭାରତୀୟ ଦଳର ଚୟନକର୍ତ୍ତା ଥିବା ଶ୍ରୀକାନ୍ତ। ଗମ୍ଭୀରଙ୍କୁ ସମର୍ଥନ କରୁନି କିମ୍ବା ପ୍ରସାଦଙ୍କୁ ଅସମ୍ମାନ କରୁନି କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟ୍ ଏବଂ ଘରୋଇ କ୍ରିକେଟ୍ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ବୋଲି ଶ୍ରୀକାନ୍ତ କହିଥିଲେ।

ମୁଁ ଚିକା (ଶ୍ରୀକାନ୍ତ)ଙ୍କ ସହିତ ସହମତ। ସବୁବେଳେ ଅଭିଜ୍ଞତା ଏକ ପାରାମିଟର ହୋଇପାରିବନି। ଯଦି ଏହାକୁ ଦେଖିବେ ତେବେ ଭଲ ଖେଳାଳି ବାଛିବାରେ ବିଫଳ ହେବେ ବୋଲି ପ୍ରସାଦ କହିଥିଲେ। ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ ଜଣେ ଅଭିଜ୍ଞ କ୍ରିକେଟର ହେବା ଆବଶ୍ୟକ। ସେ ପର୍ଯ୍ୟାପ୍ତ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ସହ କ୍ରିକେଟ୍‌ର ଉତ୍ଥାନ-ପତନ ଦେଖିଥିବା ଦରକାର। ଯେତେ ଅଧିକ ଖେଳିବ, ସେତେ ଭଲ ଭାବେ ଖେଳାଳିଙ୍କୁ ବୁଝିପାରିବ। ଚିକା ଅନେକ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ସେ ଭାରତର ନେତୃତ୍ବ ନେଇଛନ୍ତି। ଖେଳାଳି କ’ଣ ଚାହେଁ ସେ ଜାଣନ୍ତି। ମୁଁ ଦଳ ଲାଗି ଚୟନ ହେଲା ବେଳେ ଓ ବିଦାୟ ନେଲା ବେଳେ ଅଲଗା ଅଲଗା ଅଧ୍ୟକ୍ଷ ଥିଲେ। ଖେଳାଳି ଭାବରେ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିବା ଆବଶ୍ୟକ। ଏହା ହିଁ ଖେଳାଳି ଓ ଚୟନକର୍ତ୍ତା ମଧ୍ୟରେ ସଂପର୍କ ଦୃଢ଼ କରେ ବୋଲି ଗମ୍ଭୀର କହିଥିଲେ।

ସମ୍ବନ୍ଧିତ ଖବର

Comments are closed.