ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଅଡୁଆ। କିଛି ବର୍ଷ ତଳେ ରୁଜୁ ହୋଇଥିବା ଠକେଇ ମାମଲାରେ ଗୌତମ ଗମ୍ଭୀରଙ୍କ ସମ୍ପୃକ୍ତିକୁ ଖାରଜ କରିଥିଲେ ନିମ୍ନ ଅଦାଲତ। ହେଲେ ଏବେ ଦିଲ୍ଲୀ କୋର୍ଟ ଗୌତମ ଗମ୍ଭୀରଙ୍କ ସମ୍ପୃକ୍ତି ନେଇ ସାନି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟ କ୍ରେତାଙ୍କୁ ଠକିବା ଅଭିଯୋଗରେ କ୍ରିକେଟର ତଥା ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା, ଯାହାକୁ ଏବେ ଖାରଜ କରିଛନ୍ତି ଦିଲ୍ଲୀ କୋର୍ଟ।
ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ନିମ୍ନ ଅଦାଲତର ରାୟକୁ ରଦ୍ଦ କରି କହିଛନ୍ତି ଯେ, ଗମ୍ଭୀରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ନିଷ୍ପତ୍ତି ନେବା ସମୟରେ ପ୍ରକୃଷ୍ଟ ତର୍ଜମା ହୋଇନଥିବାରୁ ଏହାକୁ ରଦ୍ଦ କରାଯାଉଛି। ଅଭିଯୋଗକୁ ଦୃଷ୍ଟିରେ ରଖି ଗୌତମ ଗମ୍ଭୀରଙ୍କ ଭୂମିକା ଉପରେ ଅଧିକ ଅନୁସନ୍ଧାନ ଆବଶ୍ୟକ।
ରିଏଲ୍ ଇଷ୍ଟେଟ୍ କମ୍ପାନି ରୁଦ୍ର ବିଲଡୱେଲ ରିଆଲିଟି ପ୍ରାଇଭେଟ ଲିମିଟେଡ୍, ଏଚ୍ ଆର ଇନଫ୍ରାସିଟି ପ୍ରାଇଭେଟ ଲିମିଟେଡ୍, ୟୁ ଏମ୍ ଆର୍କିଟେକଚର୍ସ ଆଣ୍ଡ କଣ୍ଟ୍ରାକ୍ଟରଟର୍ସ ଲିମିଟେଡର ନିର୍ଦ୍ଦେଶକ ତଥା ବ୍ରାଣ୍ଡ ଆମ୍ବାସାଡର ଥିଲେ ଗମ୍ଭୀର। ଏହି କମ୍ପାନି ଲୋକଙ୍କୁ କମ ଟଙ୍କାରେ ଘର ଦେବାର ପ୍ରତିଶ୍ରୁତି ଦେବା ପରେ ଲୋକେ ଘର କିଣିବାକୁ ଟଙ୍କା ଦେଇଥିଲେ। ହେଲେ ବର୍ଷ ପରେ ବର୍ଷ ବିତିଥିଲେ ବି ଘରର ନିର୍ମାଣ କାମ ଶେଷ ହୋଇପାରିଲା ନାହିଁ। ଏହା ପରେ ଲୋକେ ଏହାର ଅଭିଯୋଗ କରିଥିଲେ। ଅଭିଯୋଗରେ ଗମ୍ଭୀରଙ୍କ ନାମ ମଧ୍ୟ ଥିଲା। କିନ୍ତୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ଏବେ ଏହି ରାୟକୁ ରଦ୍ଦ କରି ଦିଲ୍ଲୀ କୋର୍ଟ କହିଛନ୍ତି, ଗମ୍ଭୀର ହେଉଛନ୍ତି ଏକମାତ୍ର ଅଭିଯୁକ୍ତ ଯିଏ ବ୍ରାଣ୍ଡ ଆମ୍ବାସାଡର ଭାବେ ନିବେଶକଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗରେ ଥିଲେ। କିନ୍ତୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଏନେଇ ଏବେ ତଦନ୍ତ ଜରୁରୀ।