ଭାରତୀୟ ଟିମ ପାକିସ୍ତାନ ନଆସିଲେ ଆମେ ବିଶ୍ବକପରୁ ଓହରିବୁ ବୋଲି କହିଥିଲେ ରମିଜ୍, ଗମ୍ଭୀର କହିଲେ…

ଇସଲାମାବାଦ : “ଭାରତ ଯଦି ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ତେବେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାକିସ୍ତାନ ବିନା ଖେଳାଯିବ” ଏପରି ଧମକ ଦେଇଥିଲେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା । ତାଙ୍କର ଏଭଳି ଧମକ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟର ତଥା ପୂର୍ବତନ ଓପନର ଗୌତମ ଗମ୍ଭୀର।

ରମିଜ ରାଜାଙ୍କ ଏଭଳି ଧମକ ବିଷୟରେ ପଚରାଯିବା ପରେ ପୂର୍ବତନ ଓପନର ଗୌତମ ଗମ୍ଭୀର କହିଥିଲେ, “ଏହା ବିସିସିଆଇ ଏବଂ ପିସିବିର ନିଷ୍ପତ୍ତି ହେବ। ସେମାନେ ଯାହା ନିଷ୍ପତ୍ତି ନେବେ, ମିଳିମିଶି ଆଲୋଚନା କରି ହିଁ ନେବେ। ଦୁଇଟି ବୋର୍ଡର ନିଷ୍ପତ୍ତିକୁ ହିଁ ପାଳନ କରାଯିବ।”

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା କହିଥିଲେ ଯେ, “ଏସିଆ କପ ପାକିସ୍ତାନରେ ନ ହେଲେ ଓ ଭାରତ ସେଥିରେ ଭାଗ ନ ନେଲେ ,ପାକିସ୍ତାନ କ୍ରିକେଟ ଦଳ ୨୦୨୩ ବିଶ୍ବକପରୁ ଓହରି ଯିବ । ଯଦି ପାକିସ୍ତାନ ବିଶ୍ବକପରେ ଖେଳିବ ନାହିଁ ତେବେ ତାହାକୁ କିଏ ଦେଖିବ ? ଆମେ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛୁ, ଯଦି ଭାରତୀୟ ଦଳ ପାକିସ୍ତାନ ଆସିବ ନାହିଁ, ତେବେ ପାକିସ୍ତାନ ବି ବିଶ୍ବକପ ଖେଳିବାକୁ ଭାରତ ଯିବ ନାହିଁ। ଆମ ଦଳ ଭଲ ପ୍ରଦର୍ଶନ କରୁଛି। ମୁଁ ସବୁବେଳେ କହିଆସିଛି ଯେ ଆମକୁ ପାକିସ୍ତାନ କ୍ରିକେଟର ଅର୍ଥନୀତିରେ ଉନ୍ନତି ଆଣିବା ଆବଶ୍ୟକ ଏବଂ ଆମେ ଭଲ ପ୍ରଦର୍ଶନ କଲେ ହିଁ ତାହା ହୋଇପାରିବ। ୨୦୨୧ ଟି-୨୦ ବିଶ୍ୱକପରେ ଆମେ ଭାରତକୁ ପରାସ୍ତ କରିଥିଲୁ। ଆମେ ଟି-୨୦ ଏସିଆ କପରେ ମଧ୍ୟ ଭାରତକୁ ପରାସ୍ତ କରିଛୁ। ଗୋଟିଏ ବର୍ଷରେ ପାକିସ୍ତାନ କ୍ରିକେଟ୍ ଦଳ ଦୁଇଥର ଏକ ବିଲିୟନ ଡଲାର ଅର୍ଥନୀତି ଥିବା ଦଳକୁ ପରାସ୍ତ କରିଛି।”

ସମ୍ବନ୍ଧିତ ଖବର