ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୫ତମ ମ୍ୟାଚରେ ବାଙ୍ଗାଲୋର୍‌କୁ ୧ ୱିକେଟରେ ପରାସ୍ତ କରିଥିଲା ଲକ୍ଷ୍ନୌ । ଦ୍ବିତୀୟ ପାଳିରେ ଲକ୍ଷ୍ନୌ ୨୧୩ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ବିଜୟ ହାସଲ କରିଥିଲା ।

Advertisment

ଅନ୍ୟପଟେ ବାଙ୍ଗାଲୋର୍‌ ପ୍ରଥମରୁ ଆକ୍ରମଣାତ୍ମକ ବୋଲିଂ କରିଥିଲା। କିନ୍ତୁ ମଧ୍ୟକ୍ରମରେ ଏହା ଦୁର୍ବଳ ପଡିଯାଇଥିଲା । ବାଙ୍ଗାଲୋର୍‌ ପକ୍ଷରୁ ମହମ୍ମଦ ସିରାଜ, ୱେନ ପାର୍ନେଲ ୩-୩ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ୱିକେଟ ଓ କରନ ଶର୍ମା ‌ଗୋଟିଏ ନେଇ ଶେଷ ପର୍ଯ୍ୟନ୍ତ ଲଢିଥିଲେ। କିନ୍ତୁ ବାଙ୍ଗାଲୋର୍‌କୁ ଜିତାଇବାରେ ସକ୍ଷ୍ୟମ ହୋଇନଥିଲେ । ଫଳରେ ଲକ୍ଷ୍ନୌ ଏହି ମ୍ୟାଚକୁ ୧ ୱିକେଟରେ ଜିତି ନେଇଥିଲା ।

ଆରସିବିର ବେଙ୍ଗାଲୁରୁ ହେଉଛି ହୋମ ଟାଉନ। ଏହି କ୍ରମରେ ଆରସିବିର ବିପୁଳ ପରିମା‌ଣରେ ଦର୍ଶକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଯାଇ ପହଞ୍ଚିଥିଲେ। ଏହି ସମୟରେ ଗୌତମ ଗମ୍ଭୀରଙ୍କ ଏକ କାମ କ୍ୟାମେରାରେ କୈଦ ହୋଇଯାଇଥିଲା। ଯାହାକୁ ଦେଖିବା ପରେ କ୍ରିକେଟ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଘଟଣା ଟି ହେଉଛି ଏପରି, ଗୌତମ ଗମ୍ଭୀର ଆରସିବି ଖେଳାଳିଙ୍କ ସହିତ ହାତ ମିଳାଉଥିବା ବେଳେ  ଷ୍ଟାଡିୟମ ଗ୍ୟାଲେରିରେ ବସିଥିବା ଦର୍ଶକ ଜୋରଜୋରରେ ପାଟି କରିଥିଲେ। ଏଥିରେ ଗୌତମ ଗମ୍ଭୀର ରାଗି ଯାଇ ପଡ଼ିଆ ମଝିରୁ ଗ୍ୟାଲେରିକୁ ଦେଖି ପାଟିରେ ଆଙ୍ଗୁଳି ରଖି ଉଗ୍ର ରୂପ ଦେଖାଇ  ଚୁପ ରହିବାକୁ ଦର୍ଶକଙ୍କୁ ସଙ୍କେତ ଦେଇଥିଲେ।