ଗାବାରେ ଭାରତ ପାଇଁ ଜୟସୀମା, ଗାଭାସ୍କର ଓ ଗାଙ୍ଗୁଲି ପ୍ରେରଣାଦାୟୀ

ବ୍ରିସ୍‌ବେନ୍‌: ଆସନ୍ତାକାଲିଠାରୁ ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳ ଗାବାରେ ୬ ମ୍ୟାଚ୍‌ ଖେଳି ୫ ହାରିସାରିଛି। କେବଳ ଗୋଟିଏ ଟେଷ୍ଟ୍‌ ଅମୀମାଂସିତ ରଖିପାରିଛି। ତେଣୁ ଏଠାରେ ଭାରତୀୟ ଦଳ ପାଇଁ ନୈରାଶ୍ୟଜନକ ସ୍ମୃତି ରହିଛି। ତଥାପି ସ୍ଥାପତ୍ୟ ପାଇଁ ପ୍ରସିଦ୍ଧ ଗାବା ସହର ଭାରତ ପକ୍ଷରୁ ବ୍ୟକ୍ତିଗତ କେତେକ ଉଚ୍ଚକୋଟୀର ପ୍ରଦର୍ଶନର ସାକ୍ଷୀ ରହିଛି। ବିଶେଷକରି ୧୯୬୮ ଓ ୧୯୭୭ ଦୁଇ ଥର ଭାରତ ବିଜୟର ନିକଟତର ହୋଇ ମଧ୍ୟ ସଫଳତା ପାଇପାରିନଥିଲା। ହେଲେ ଏହି ଦୁଇ ଥର ଏମ୍‌ଏଲ୍‌ ଜୟସୀମା ଏବଂ ସୁନିଲ ଗାଭାସ୍କର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ପୁଣି ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଆକର୍ଷଣୀୟ ୧୪୪ ରନ୍‌ ଶୃଙ୍ଖଳାକୁ ଅମୀମାଂସିତ ରଖିପାରିଥିଲା। ତେଣୁ ଏହି ତିନି ଜଣ ଏବର ଭାରତୀୟ ଦଳ ପାଇଁ ଗାବାରେ ପ୍ରେରଣାଦାୟକ ହେବେ।

୧୯୬୮ରେ ଏମ୍‌ଏକେ ‌ପଟୌଦିଙ୍କ ଦଳ ମାତ୍ର ୩୯ ରନ୍‌ରେ ପରାସ୍ତ ହୋଇଥିଲା। ସେହି ଟେଷ୍ଟ୍‌ରେ ଆହତ ବିଏସ୍‌ ଚନ୍ଦ୍ରଶେଖରଙ୍କ ବଦଳ ଖେଳାଳି ଭାବେ ସାମିଲ ହୋଇଥିବା ଜୟସୀମା ଉଭୟ ପାଳିରେ ଯଥାକ୍ରମେ ୭୪ ଓ ୧୦୧ ରନ୍‌ କରି ନାୟକ ବନିଯାଇଥିଲେ। ସେ ମଧ୍ୟ କ୍ରିଜ୍‌ରେ ମୋଟ ୫୨୪ ମିନିଟ୍‌ ବିତାଇଥିଲେ। ଅଷ୍ଟ୍ରେଲୀୟ ୱିକେଟ୍‌ ଓ ପରିବେଶ ସହ ଆଦୌ ପରିଚିତ ନଥାଇ ସେ ଯେଭଳି ବ୍ୟାଟିଂ କରିଥିଲେ ତାହା ଭାରତୀୟ ଦଳକୁ ନିଶ୍ଚିତ ପ୍ରେରିତ କରିପାରିବ। ସେହି ଟେଷ୍ଟ୍‌ ଆମେ ଜିତିଥା’ନ୍ତୁ, ହେଲେ ଅମ୍ପାୟାରଙ୍କ କେତେକ ତ୍ରୁଟୀପୂର୍ଣ୍ଣ ନିଷ୍ପତ୍ତି ପାଇଁ ହାରିଗଲୁ ବୋଲି କହିଥିଲେ ଦ୍ବିତୀୟ ପାଳିରେ ମହତ୍ବପୂର୍ଣ୍ଣ ୬୩ ରନ୍‌ କରିଥିବା ଚନ୍ଦୁ ବୋର୍ଡେ।

ସେହି ଟେଷ୍ଟ୍‌ର ପ୍ରାୟ ଗୋଟିଏ ଦଶନ୍ଧୀ ତଥା ୧୯୭୭ରେ ବିଶେନ୍‌ ସିଂହ ବେଦୀଙ୍କ ଦଳ ବବି ସିମ୍ପ୍‌ସନ୍‌ଙ୍କ ଦଳଠୁ ପରାଜୟ ଛଡ଼ାଇନେବା ଦ୍ବାରରେ ପହଞ୍ଚି ମଧ୍ୟ ବିଫଳ ହୋଇଥିଲା। ଦ୍ବିତୀୟ ପାଳିରେ ମଦନ ଲାଲ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଏପରିକି ସତୁରୀ ଦଶକରେ ତାହା ଏଭଳି ଏକ କ୍ବଚିତ ଟେଷ୍ଟ୍‌ ଥିଲା ଯେଉଁଥିରେ କି ସ୍ପିନ୍‌ ତ୍ରିରଥୀ (ବେଦୀ, ଚନ୍ଦ୍ରଶେଖର ଓ ପ୍ରସନ୍ନା)ଙ୍କ ତୁଳନାରେ ପେସର୍‌ ମଦନ ଲାଲ ଓ ମହିନ୍ଦର ଅମରନାଥ ୧୦ରୁ ଅଧିକ ୱିକେଟ୍‌ ଦଖଲ କରିଥିଲେ। ଭାରତକୁ ବିଜୟ ପାଇଁ ୩୪୦ ରନ୍‌ ଲକ୍ଷ୍ୟ ରହିଥିଲା ବେଳେ ଗାଭାସ୍କର ୧୧୩ ରନ୍‌ କରି ସଫଳ ପିଛା କରିଥିଲେ। ଗାଭାସ୍କରଙ୍କ ସେହି ପାଳିକୁ ଗଣମାଧ୍ୟମ ସେତେବେଳେ ଧୈର୍ଯ୍ୟ ଓ ସୁଯୋଗବିହୀନ ଆଖ୍ୟା ଦେଇଥିଲେ। ଏହାପରେ ସୟଦ୍‌ କିର୍ମାନି (୫୫) ଓ ବେଦୀ (୨୬*) ନବମ ୱିକେଟ୍‌ରେ ୪୩ ରନ୍‌ ଯୋଡ଼ି ଭାରତକୁ ବିଜୟ ପାଖାପାଖି ନେଇଯାଇଥିଲେ। ହେଲେ ଅଷ୍ଟ୍ରେଲିଆ ମାତ୍ର ୧୬ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ହେଲେ ଗାବାରେ ଭାରତ ପାଇଁ ସବୁଠୁ ଚମତ୍କାର ମୁହୂର୍ତ୍ତ ୨୦୦୩ରେ ରହିଥିଲା। ଏହା ମଧ୍ୟ ସେହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ଥିଲା। ସୌରଭ ଗାଙ୍ଗୁଲି ଅଧିନାୟକ ରହିଥିଲେ। ସେ ୧୮ ଚୌକା ସହାୟତାରେ ୧୪୪ ରନ୍‌ କରି ଲଢ଼େଇର ଦୃଢ଼ ନେତୃତ୍ବ ନେଇଥିଲେ। ହେଲେ ଶତକ ଯଥେଷ୍ଟ ହୋଇନଥିଲା ବୋଲି ଗାଙ୍ଗୁଲି ନିଜ ଆତ୍ମଜୀବନୀରେ କହିଥିଲେ। ଅଷ୍ଟ୍ରେଲିଆ ମାଟିରେ ତାହା ମୋର ପ୍ରଥମ ଶତକ ଥିଲା। ହେଲେ ମୁଁ ପୂରା ଦମ୍‌ରେ ଖେଳୁଥିଲା ବେଳେ ଅଷ୍ଟ୍ରେଲୀୟମାନେ ନିୟମିତ ସ୍ଲେଜିଂ କରିଚାଲିଥିଲେ। ବିଶେଷକରି ସ୍ଲିପ୍‌ ଅଞ୍ଚଳରେ ଥିବା ମାଥ୍ୟୁ ହେଡେନ୍‌ ଏବଂ ଅଧିନାୟକ ଷ୍ଟିଭ୍‌ ୱ’ ସ୍ଲେଜିଂ ଜାରି ରଖୁଥିଲେ। ସେହି ପାଳି ଗାଙ୍ଗୁଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭେଟି ଦେଇଥିଲା ଏବଂ ଶୃଙ୍ଖଳା ମଧ୍ୟ ୧-୧ରେ ବରାବର ରହିଥିଲା।

ସମ୍ବନ୍ଧିତ ଖବର