ନୂ୍ଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଫଳତା ଧାରା ଜାରି ରହିଛି। ୨୦୧୯ ମସିହା ପରଠାରୁ ଗୋଟିଏ ହେଲେ ବି ଶତକ ଅର୍ଜନ କରିନଥିବା କୋହଲି ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ରେ ବି ନିରାଶ କରିଥିଲେ। ଏହି ମ୍ୟାଚ୍ର ଉଭୟ ପାଳିରେ ଯଥାକ୍ରମେ ୧୧ ଓ ୨୦ ରନ୍ କରିଥିଲେ ସେ। କୋହଲିଙ୍କ ଭଳି ଜଣେ ବିଶ୍ବସ୍ତରୀୟ ବ୍ୟାଟର୍ ଏଭଳି ଲଗାତାର ଭାବେ ବିଫଳ ହେବା ତାଙ୍କ ପ୍ରଶଂସକଙ୍କୁ ଘୋର ନିରାଶ କରିଛି। କ୍ରିକେଟ୍ ବିଶେଷଜ୍ଞମାନେ ମଧ୍ୟ ତାଙ୍କୁ ନେଇ ଚିନ୍ତା ପ୍ରକଟ କରିବା ଆରମ୍ଭ କରି ଦେଲେଣି। ଏପରିକି ତାଙ୍କୁ ନାନା ଆଡ଼ୁ ନାନା ପରାମର୍ଶ ଆସୁଛି। କେହି କିନ୍ତୁ କୋହଲିଙ୍କ ଏହି ବିଫଳତା ଧାରାର ଅସଲ କାରଣ ଖୋଜି ପାଉନାହାନ୍ତି। ଏଭଳି ସ୍ଥିତିରେ ତାଙ୍କ ବ୍ୟାଟିଂରେ ଥିବା ତ୍ରୁଟିକୁ ଧରିବାକୁ ଚେଷ୍ଟା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର।
ଗାଭାସ୍କର କହିଛନ୍ତି ଇଂଲଣ୍ଡରେ ଆପଣ ଯେତେ ବିଳମ୍ବରେ ସଟ୍ ଖେଳିବେ ସେତେ ଭଲ। ବଲ୍ ସୁଇଂ ହେବା ପରେ ସଟ୍ ଖେଳୁଥିବା ବ୍ୟାଟର୍ ହିଁ ସୁରକ୍ଷିତ ରୁହନ୍ତି। ଏଜବାଷ୍ଟନ୍ ଟେଷ୍ଟ୍ର ହାଇଲାଇଟ୍ସ ଦେଖି ମୁଁ ଯାହା ଜାଣିଛି ସେଥିରୁ ଅନୁମାନ କରି ପାରୁଛି ଯେ କୋହଲି ବଲ୍ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ। କେବେ କେବେ ଆଗୁଆ ସଟ୍ ବି ଖେଳୁଥିଲେ। ଇଂଲଣ୍ଡ ଏହି ଟେଷ୍ଟ୍ରେ ୩୭୮ ରନ୍ର ବିଶାଳ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେବା ଏକ ଚିନ୍ତାର କାରଣ ବୋଲି ମଧ୍ୟ ମତ ରଖିଛନ୍ତି ଗାଭାସ୍କର। ‘‘ମୁଁ ଭାବୁଛି ଭାରତୀୟ ବୋଲର ଭିନ୍ନ କୋଣରୁ ବୋଲିଂ କରିବା ଆଦୌ ପ୍ରୟାସ କରି ନଥିଲେ। କେବେ କେବେ ଓଭର ଦି ୱିକେଟ୍ ବୋଲିଂ କରିବା ଭଲ ହୋଇଥାଏ। ସେହିଭଳି ଭିନ୍ନ ଏଣ୍ଡ୍ରୁ ବୋଲିଂ ପରିବର୍ତ୍ତନ କଲେ ହୁଏତ ସୁଫଳ ମିଳିପାରିଥା’ନ୍ତା। ଅବଶ୍ୟ ଆମ ବୋଲରମାନେ ସବୁକିଛି କରିଥିଲେ, ହେଲେ ଇଂଲଣ୍ଡ ଭଲ ବ୍ୟାଟିଂ କଲା।