ମୁଲତାନ: ମୁଲତାନ ଟେଷ୍ଟ୍ରେ ଘରୋଇ ପାକିସ୍ତାନକୁ ଭ୍ରମଣକାରୀ ଇଂଲଣ୍ଡ ଦୃଢ଼ ଜବାବ ଦେଇଛି। ପାକିସ୍ତାନର ୫୫୬ ରନ୍ ଜବାବରେ ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ମାତ୍ର ୩ ୱିକେଟ୍ ବିନିମୟରେ ୪୯୨ ରନ୍ କରି ମଜବୁତ ସ୍ଥିତିରେ ପହଞ୍ଚିଯାଇଛି। ଇଂଲଣ୍ଡ ଏବେ ମାତ୍ର ୬୪ ରନ୍ ପଛରେ ଥିଲା ବେଳେ ହାତରେ ୭ଟି ବହୁମୂଲ୍ୟ ୱିକେଟ୍ ରହିଛି। ଦୁଇ ଶତକ ହାସଲକାରୀ ଜୋ ରୁଟ୍ ଏବଂ ହ୍ୟାରି ବ୍ରୁକ୍ ଅପରାଜିତ ରହିବା ମଧ୍ୟ ଇଂଲଣ୍ଡକୁ ଯୁଗଳ ଖୁସି ଦେଇଛି।
ବୁଧବାର ଇଂଲଣ୍ଡ ଦ୍ବିତୀୟ ଦିନର ସ୍କୋର ୯୬/୧ରୁ ଖେଳିବା ଆରମ୍ଭ କରିଥିଲା। ମଙ୍ଗଳବାର ଅଧିନାୟକ ଓଲି ପୋପ୍ ଅପ୍ରତ୍ୟାଶିତ ଭାବେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ତେବେ ବୁଧବାର ଜ୍ୟାକ୍ କ୍ରଲି ଓ ବେନ୍ ଡକେଟ୍ ବ୍ୟାଟିଂ ପାଇଁ ଭୂସ୍ବର୍ଗ ପାଲଟିବା ମୁଲତାନ ପିଚ୍ର ପୂରା ଫାଇଦା ଉଠାଇ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ରୁଟ୍ ଓ କ୍ରଲି ଅବିଭାଜିତ ଚତୁର୍ଥ ୱିକେଟ୍ରେ ୨୪୩ ରନ୍ ଯୋଡ଼ିବା ବୁଧବାର ଖେଳର ମୁଖ୍ୟ ଆକର୍ଷଣ ଥିଲା।
ରୁଟ୍ ତାଙ୍କ ରୋମାଞ୍ଚକ ଟେଷ୍ଟ୍ ସଫଳତାକୁ ଆହୁରି ଲମ୍ବିତ କରି ୧୬୭ ବଲ୍ରୁ ୩୫ତମ ଟେଷ୍ଟ୍ ଶତକ ଅର୍ଜନ କରିଥିଲେ। ଏହା କରି ସେ ବିଶ୍ବ କ୍ରିକେଟ୍ର ତିନି ମହାନ ତାରକା ସୁନୀଲ ଗାଭାସ୍କର, ବ୍ରାଏନ ଲାରା ଓ ୟୁନୁସ୍ ଖାନଙ୍କ ୩୪ଶତକ ରେକର୍ଡ ଭାଙ୍ଗିଥିଲେ। ୧୭୬ ରନ୍ରେ ଅପରାଜିତ ଥିବାରୁ ରୁଟ୍ ଏବେ ଆଉ ଏକ ସ୍ମରଣୀୟ ଦ୍ବିଶତକୀୟ ପାଳି ଖେଳିବାରୁ ମାତ୍ର ୨୪ ରନ୍ ଦୂରରେ ରହିଛନ୍ତି। ସେହିଭଳି ବ୍ରୁକ୍ ପାକିସ୍ତାନରେ ଷଷ୍ଠ ପାଳି ଖେଳି ଚତୁର୍ଥ ଶତକ ହାସଲ କରିବା ପରେ ରାହୁଲ ଦ୍ରାବିଡ଼ ଏବଂ ସୁନୀଲ ଗାଭାସ୍କରଙ୍କୁ ଟପିଥିଲେ। କେବଳ ୧୧୮ ବଲ୍ରୁ ତିନି ଅଙ୍କ ଛୁଇଁ ମହୀନ୍ଦର ଅମରନାଥ ଏବଂ ଅରବିନ୍ଦ ଡି’ସିଲଭାଙ୍କ ସମକକ୍ଷ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଖେଳିଥିବା ପ୍ରଥମ ୬ ପାଳିରେ ଉଭୟ ଅମରନାଥ ଓ ଡି’ସିଲଭା ଚାରିଟି ଲେଖାଏଁ ଶତକ ଅର୍ଜନ କରିଥିଲେ। ବ୍ରୁକ୍ ଏବେ ଦେଢ଼ ଶହ ରନ୍ଠାରୁ ମାତ୍ର ୯ ରନ୍ ଦୂରରେ ରହିଛନ୍ତି। ପାକିସ୍ତାନ ବୋଲରମାନେ ଦିନ ତମାମ ପରିଶ୍ରମ କରି ଇଂଲଣ୍ଡର ମାତ୍ର ଦୁଇଟି ୱିକେଟ୍ ଝାଡ଼ିବାକୁ ସକ୍ଷମ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପ୍ରଥମ ପାଳି ୫୫୬। ଇଂଲଣ୍ଡ ପ୍ରଥମ ପାଳି ୪୯୨/୩ ( ଜୋ ରୁଟ୍ ୧୭୬*, ହ୍ୟାରି ବ୍ରୁକ୍ ୧୪୧*, ବେନ୍ ଡକେଟ୍ ୮୪, ଜ୍ୟାକ୍ କ୍ରଲି ୭୮, ଆମିର ଜମାଲ ୧/୭୮, ସାହିନ ସାହ ଆଫ୍ରିଦି ୧/୮୮)।