କୋହଲିଙ୍କୁ କଟାକ୍ଷ କରି ବିବାଦରେ ଗାଭାସ୍କର

ଅନୁଷ୍କା କହିଲେ ‘ଘୃଣ୍ୟ’

ମୁମ୍ବାଇ : ବିରାଟ‌ କୋହଲିଙ୍କ ପାଇଁ ଗୁରୁବାର ରାତି ଭଲ ବିତିନଥିଲା। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂରେ ବିଫଳ (୫ ବଲରୁ ୧ ରନ୍‌) ହେବା ସହିତ ତାଙ୍କ ଦଳ ଆର୍‌ସିବି ମଧ୍ୟ ୯୭ ରନ୍‌ର ବଡ଼ ବ୍ୟବଧାନରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ନିକଟରୁ ହାରିଯାଇଥିଲା। କେଏଲ୍ ରାହୁଲଙ୍କ ୧୩୨ ରନ୍‌ (୬୯ ବଲ୍‌) ପାଳିକୁ ବି ଆର୍‌ସିବିର ପୂରା ପାଳି (୧୦୯) ଟପି ପାରିନଥିଲା। କିନ୍ତୁ ‌ରାହୁଲ ଶତକ ହାସଲ କରିବା ପୂର୍ବରୁ ଦୁଇ ଥର ବିରାଟ କୋହଲି ତାଙ୍କ ସହଜ କ୍ୟାଚ୍‌ ହାତଛଡ଼ା କରିଥିଲେ। ଏହାକୁ‌ ନେଇ ସେ ଢେର ସମାଲୋଚିତ ହୋଇଛନ୍ତି। କିନ୍ତୁ କମେଣ୍ଟାରି ବକ୍ସରେ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ଯୌନ ଉଦ୍ଦୀପକ ଟିପ୍ପଣୀକୁ ନେଇ ପ୍ରଶଂସକମାନେ ତୁମ୍ଭି ତୋଫାନ କରିଛନ୍ତି। କେତେକ ଗାଭାସ୍କରଙ୍କୁ ସମାଲୋଚନା କରିଥିବା ବେଳେ ଆଉ କେତେକ ମଧ୍ୟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପରୋକ୍ଷରେ ଦୋଷ ଦେଇଛନ୍ତି। କୋହଲିଙ୍କ ବ୍ୟାଟିଂ ଅଭ୍ୟାସ ସମ୍ପର୍କରେ ମତ ରଖିବାକୁ ଯାଇ ଗାଭାସ୍କର ମଜାଳିଆ ଢଙ୍ଗରେ କହିଥିଲେ, ‘ଯେଉଁ ଲକ୍‌ଡାଉନ୍ ଥିଲା, ସେ (କୋହଲି) କେବଳ ଅନୁଷ୍କାଙ୍କ ବୋଲିଂକୁ ସମ୍ମୁଖୀନ ହେଉଥିଲେ’। କୋହଲିଙ୍କ ବିଫଳତା ‌ବେଳେ ତାଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସକମାନେ ପୂର୍ବରୁ ସମାଲୋଚନା କରିବାର ବହୁ ଉଦାହରଣ ରହିଛି। କୋହଲି ବି ଅତୀତରେ ସ୍ପଷ୍ଟୀକରଣ ରଖି କହିଥିଲେ ‘ପ୍ରତିଟି ନକାରାତ୍କକ କଥାକୁ ନେଇ ଅନୁଷ୍କାଙ୍କୁ ସମାଲୋଚନା କରିବା ଲଜ୍ଜାଜନକ କଥା। ମୁଁ ମୋ ଖେଳ ସହିତ କ’ଣ କଲି ଏହା ତାଙ୍କ ନିୟନ୍ତ୍ରଣରେ ନାହିଁ, ଏଭଳି କହୁଥିବା‌ ଲୋକମାନେ ନିଜକୁ ଶିକ୍ଷିତ କରନ୍ତୁ। ଅନୁଷ୍କା କେବଳ ମୋ ଭିତରେ ସକାରାତ୍ମକ ଭାବ ଭରି ଦେଇଛନ୍ତି।’

ଅନୁଷ୍କା କହିଲେ ‘ଘୃଣ୍ୟ’
ସବୁଠାରୁ ବଡ଼ କଥା ହେଲା ଅନୁଷ୍କା ଏବେ ଗର୍ଭବତୀ ଥିବାରୁ ପ୍ରଶଂସକଙ୍କ ସମାଲୋଚନା ଛଡ଼ା ଗାଭାସ୍କର‌ ଏଥିରେ ସାମିଲ‌ ହେବାକୁ କ୍ରିକେଟ୍ ଦୁନିଆ ସହଜରେ ଗ୍ରହଣ କରିପାରିନାହିଁ। ଆଇପିଏଲ୍‌ ମ୍ୟାଚ୍‌ରେ ବିଫଳତାକୁ ନେଇ ଭାରତୀୟ ଦଳ ଅଧିନାୟକଙ୍କୁ ସମାଲୋଚନା କରିବା ଏବଂ ଏହି ବିବାଦ ଭିତରକୁ ଗାଭାସ୍କରଙ୍କ ପ୍ରବେଶକୁ ଅଧିକାଂଶ ନାପସନ୍ଦ କରିଛନ୍ତି। ଗାଭାସ୍କରଙ୍କ ଟିପ୍ପଣୀକୁ‌ ଅନୁଷ୍କା ବି ଗମ୍ଭୀରତାର ସହ‌ ନେଇଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ଅନୁଷ୍କା ଲେଖିଛନ୍ତି, ‘ମିଷ୍ଟର ଗାଭାସ୍କର, ଆପଣଙ୍କ ବାର୍ତା ଘୃଣ୍ୟ, ସ୍ବାମୀର ଖେଳକୁ ନେଇ ପତ୍ନୀଙ୍କୁ ଆକ୍ଷେପ କରିବା ପରେ ମୁଁ ଆଶା କରିବି ଆପଣ ଏହାକୁ ବ୍ୟାଖ୍ୟା କରିବେ। ବର୍ଷ ବର୍ଷ ଧରି ଆପଣଙ୍କ ପ୍ରତି ଭଲ ପାଇବା ଓ ସମ୍ମାନ ରହିଛି। ପ୍ରତି କ୍ରିକେଟର୍‌ଙ୍କ ଘରୋଇ ଜୀବନକୁ ଆପଣ ସମ୍ମାନ‌ ଦେଇ ଆସିଛନ୍ତି। ମୋ ପ୍ରତି ଓ ଆମ ପ୍ରତି ଆପଣଙ୍କର ସମାନ ସମ୍ମାନ ଅଛି କି? ଗତ ରାତିରେ ମୋ ପତିଙ୍କ ପ୍ରଦର୍ଶନକୁ ନଜରରେ ରଖି ଆପଣ ଏଭଳି କହିଛନ୍ତି। ଆପଣଙ୍କ ମନରେ ନିଶ୍ଚିତ ବହୁ ଶବ୍ଦ ଓ ବାକ୍ୟ ରହିଥିବ। ଏହି ପ୍ରକ୍ରିୟାରେ ମୋ ନାମକୁ ନେବାର ଆବଶ୍ୟକତାକୁ ମୁଁ ବୁଝି ପାରିନାହିଁ। ଏବେ ୨୦୨୦ ଚାଲିଛି, କିନ୍ତୁ ମୋ ପ୍ରତି ଧାରଣା ବଦଳିନାହିଁ। କ୍ରିକେଟ୍ ବିବାଦକୁ ମୋତେ ଟାଣିବା କେବେ ବନ୍ଦ‌ ହେବ, ଏଭଳି ମନ୍ତବ୍ୟ ବନ୍ଦ ହେଉ। ସମ୍ମାନସ୍ପଦ ଗାଭାସ୍କର ଆପଣ ଜଣେ କିଂବଦନ୍ତି ଏବଂ ଏହି ଭଦ୍ରଲୋକଙ୍କ ଖେଳରେ ବହୁ ଉଚ୍ଚରେ ଅଛନ୍ତି। ମୁଁ ଏହା ଶୁଣିବା ପରେ କିଭଳି ଅନୁଭବ କଲି ଏବେ ଆପଣଙ୍କୁ କହିବାକୁ ଚାହେଁ’।

କେବେ ବି ଅନୁଷ୍କାଙ୍କୁ ଦୋଷ ଦେଇନି: ଗାଭାସ୍କର
ଭାରତୀୟ ଦଳ ଅଧିନାୟକ ବିରାଟ‌ କୋହଲିଙ୍କ ବିଫଳତା ପାଇଁ ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ମୁଁ କେବେ ବି ସମାଲୋଚନା କରିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁନିଲ ଗାଭାସ୍କର। ଏପରିକି ମୁଁ କୌଣସି ଯୌନ ଉଦ୍ଦୀପକ ଟିପ୍ପଣୀ ଦେଇନାହିଁ, ମୋ ମନ୍ତବ୍ୟର ଭୁଲ ବ୍ୟାଖ୍ୟା କରାଯାଇଛି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। କୋହଲି ଅଧିକରୁ ଅଧିକ ଅଭ୍ୟାସ କରି ଉନ୍ନତି କରିପାରିବେ। ଲକ୍‌ଡାଉନ୍‌ରେ ଅନୁଷ୍କାଙ୍କ ବୋଲିଂରୁ ବ‌ିଶେଷ ଫାଇଦା ମିଳିନାହିଁ ବୋଲି କହିଥିଲି। ମୁଁ ଦେଖିଥିବା ଭିଡିଓରେ ଅନୁଷ୍କା ଟେନିସ୍ ବଲ୍‌ ବୋଲିଂ କରୁଥିଲେ। ମୁଁ କେବେ ବି ଅନୁଷ୍କାଙ୍କୁ ଦୋଷ ଦେଇନି, ବିଭିନ୍ନ ଗସ୍ତରେ ମୁଁ ପତ୍ନୀଙ୍କୁ ନେବା ସପକ୍ଷରେ ଯୁକ୍ତି ବାଢ଼ିଥାଏ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ମୋ କଥାକୁ ଯଦି କେହି ଭୁଲ ବ୍ୟାଖ୍ୟା କରିଲା ମୁଁ କ’ଣ କରିପାରିବି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର