ପିତୃତ୍ବ ଅବକାଶ ବିବାଦରେ ମୁହଁ ଖୋଲିଲେ ଗାଭାସ୍କର

‘ଫେରିବା ଅନୁମତି ମାଗି ନଥିଲି, ଭାରତ ପାଇଁ ଖେଳିବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲି’

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ ‌କୋହଲି ତାଙ୍କ ପ୍ରଥମ ସନ୍ତାନର ଜନ୍ମ ପାଇଁ ମହତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରି ପତ୍ନୀ ଅନୁଷ୍କାଙ୍କ ପାଖେପାଖେ ରହିବାକୁ ନିଷ୍ପତ୍ତି ନେବା ପରେ ଏହା ଯେମିତି ଏକ ଜାତୀୟ ବିତର୍କରେ ପରିଣତ ହୋଇଛି। କିଛି କ୍ରିକେଟ୍ ପଣ୍ଡିତ ଏହା କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି କହି ବିବାଦ ସୃଷ୍ଟି ନକରିବାକୁ ପ୍ରୟାସ କରିଥିଲା ବେଳେ ଆଉ କେତେକ ମହାନ ମହେନ୍ଦ୍ର ସିଂହ ଧୋନି ଓ ସୁନିଲ ଗାଭାସ୍କରଙ୍କ ଭଳି କୋହଲି ନିଜ ସୁଖ ପରିବର୍ତ୍ତେ ଦେଶ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଠିକ୍ ହୋଇ ଥା’ନ୍ତା ବୋଲି ମତ ରଖିଛନ୍ତି। ନିଜେ କୋହଲି କିନ୍ତୁ ଏହି ବିଷୟରେ ଘୋର ନିରବତା ଅବଲମ୍ବନ କରୁଛନ୍ତି। ପୁଅର ଜନ୍ମ ବେଳେ ଭାରତ ନଫେରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶୃଙ୍ଖଳା ଖେଳିବାକୁ ପସନ୍ଦ କରିଥିବା ଲିଟିଲ ମାଷ୍ଟର ଗାଭାସ୍କର ଏହି ବିତର୍କିତ, ବିବାଦୀୟ ତଥା ସର୍ବଆଲୋଚିତ ମାମଲାରେ ଶେଷରେ ମୁହଁ ଖୋଲିଛନ୍ତି।

୧୯୭୫-୭୬ ମସିହାରେ ସେହି ଘଟଣାବହୁଳ ୱେଷ୍ଟଇଣ୍ଡିଜ୍ ଗସ୍ତ ତଥା ପୁତ୍ର ରୋହନଙ୍କ ଜନ୍ମବେଳେ ଭାରତ ନଫେରି ସେ କିଭଳି କେବଳ କ୍ରିକେଟ୍ ଉପରେ ଧ୍ୟାନ ଦେଇଥିଲେ, ତା’ ଉପରୁ ପରଦା‌ ଉଠାଇଛନ୍ତି ସେ। ‘‘ଏକଥା ସତ, ହେଲେ ସ୍ବଦେଶ ଫେରିବା ଲାଗି ସେହି ଅନୁରୋଧର ପରିସ୍ଥିତି ଏବେବି ସ୍ପଷ୍ଟ କରାଯାଇନି। ଏଣୁ ମୁଁ ଏହା ଉପରେ ଆଲୋକପାତ କରିବାକୁ ଚେଷ୍ଟା କରୁଛି’’ ବୋଲି ଗାଭାସ୍କର ଏକ ସାକ୍ଷାତକାର ଅବସରରେ କହିଥିଲେ। ସେହିଭଳି ବିସିସିଆଇଠାରୁ ସେ ଛୁଟି ଚାହିଁ ନଥିଲେ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ। ‘‘ପ୍ରଥମତଃ, ସନ୍ତାନ ଜନ୍ମ ଲାଗି ପତ୍ନୀଙ୍କ ପାଖରେ ରହିବା ଲାଗି ମୁଁ ସ୍ବଦେଶ ଫେରିବା ଅନୁମତି ମାଗି ନଥିଲି। ମୁଁ ଯେତେବେଳେ ୧୯୭୫-୭୬ ମସିହାର ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ର ଦ୍ବୈତ ଗସ୍ତରେ ବାହରିଥିଲି, ଜାଣିଥିଲି ଯେ ମୁଁ ବିଦେଶରେ ଥିଲା ବେଳେ ସନ୍ତାନ ଜନ୍ମ ହେବ। ହେଲେ ମୁଁ ଭାରତ ପାଇଁ ଖେଳିବାକୁ ପ୍ରତିଶ୍ରୁତିବଦ୍ଧ ଥିଲି ଏବଂ ମୋ ପତ୍ନୀ ଏଥିରେ ମୋତେ ଦୃଢ଼ ସମର୍ଥନ କରିଥିଲେ’’ ବୋଲି ଗାଭାସ୍କର ମତ ରଖିଥିଲେ।

ଗାଭାସ୍କର କିନ୍ତୁ ଏହି ଗସ୍ତର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଦୁର୍ଭାଗ୍ୟଜନକ ଭାବେ ଆହତ ହୋଇଥିଲେ। ଡାକ୍ତରମାନେ ତାଙ୍କୁ କିଛି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ସେହି ଘଟଣାକୁ ମନେ ପକାଇ ସେ ଆହୁରି କହିଥିଲେ ‘‘ସଂପୂର୍ଣ୍ଣ ଆରୋଗ୍ୟ ଲାଭ ପାଇଁ ଡାକ୍ତରମାନେ ମୋତେ ଚାରି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ମ୍ୟାଚ୍ ପାଖାପାଖି ତିନି ସପ୍ତାହ ପରେ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାର ଥିଲା। ଏହି ସମୟରେ ମୁଁ ଖେଳିବା ଆଦୌ ସମ୍ଭବ ନଥିଲା। ଏଣୁ ଆମ ପ୍ରବନ୍ଧକ କିଂବଦନ୍ତି ପଲି ଉମ୍ରିଗରଙ୍କୁ ନମ୍ରତାର ସହ ନିଜ ଖର୍ଚରେ କିଛି ଦିନ ପାଇଁ ଭାରତ ଯାଇ ପାରିବି କି? ବୋଲି ଅନୁରୋଧ କରିଥିଲି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ଫେରିଆସି ଦଳ ସହ ଯୋଗଦେବି ବୋଲି ମଧ୍ୟ କହିଥିଲି। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ତା’ ଛଡ଼ା ଆଘାତ ଜନିତ ସମସ୍ୟା ଛଡ଼ା ମୁଁ ୱେଷ୍ଟଇଣ୍ଡିଜ୍‌ରେ ଗୋଟିଏ ଟେଷ୍ଟ୍ ନ ଖେଳିବାର କୌଣସି ପ୍ରଶ୍ନ କିମ୍ବା ଅବକାଶ ହିଁ ନଥିଲା। ବରଂ ଡାକ୍ତରମାନେ ଆ‌ଉ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ କହିଥିଲେ ମଧ୍ୟ ମୁଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିଥିଲି’’।

ସମ୍ବନ୍ଧିତ ଖବର