ନୂଆ ପ୍ରାରମ୍ଭିକ ଯୋଡ଼ି ପ୍ରସ୍ତାବ ଦେଲେ ଗାଭାସ୍କର

ରହାଣେ-କୋହଲି ତୁଳନା ଅନାବଶ୍ୟକ: ତେନ୍ଦୁଲକର

ସିଡ୍‌ନି: ଜାନୁଆରି ୭ ତାରିଖରୁ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ ଲାଗି ଭାରତ ନୂଆ ପ୍ରାରମ୍ଭିକ ଯୋଡ଼ି ନେଉ‌ ବୋଲି ପରାମର୍ଶ ଦେଇଛନ୍ତି ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର। ମୟଙ୍କ ଅଗ୍ରୱାଲଙ୍କ ସହ ରୋହିତ ଶର୍ମା ପାଳି ଆରମ୍ଭ କରନ୍ତୁ ଏବଂ ମେଲ୍‌ବର୍ଣ୍ଣରେ ପଦାର୍ଦଣରେ ପାଳି ଆରମ୍ଭ କରିଥିବା ଶୁବମନ ଗିଲ୍ (୪୫ ଓ ୩୫*)ଙ୍କୁ ମଧ୍ୟକ୍ରମରେ ଖେଳଯାଉ ବୋଲି ଗାଭାସ୍କର କହିଛନ୍ତି। ମୟଙ୍କ ଭଲ କରୁନଥିଲେ ମଧ୍ୟ ଜଣେ ଉଚ୍ଚମାନର ଖେଳାଳି। ତାଙ୍କ ସହ ରୋହିତଙ୍କୁ ଖେଳାଇ ଶୁବମନଙ୍କୁ ୫ ନମ୍ବରରେ ବ୍ୟାଟିଂ ସୁଯୋଗ ଦେଲେ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି। ହନୁମା ବିହାରୀଙ୍କ ସ୍ଥାନରେ ରୋହିତ ଶର୍ମା ସାମିଲ ହେବା ପରେ ଏଭଳି ପରିବର୍ତନ ପରାମର୍ଶ ଦେଇଛନ୍ତି ଗାଭାସ୍କର। ଭାରତ ମଧ୍ୟ ସିଡନି ଟେଷ୍ଟ ପାଇଁ ଅନ୍ୟ କିଛି ଚୟନ ଦ୍ବନ୍ଦ୍ବରେ ରହିବ। ଉମେଶ ଯାଦବ ବାଦ୍‌ ପଡ଼ିଥିବାରୁ ନଭଦୀପ ସୈନି କିମ୍ବା ସାର୍ଦୁଲ ଠାକୁର ସିଡନିରେ ଖେଳିବା ସମ୍ଭାବନା ରହିଛି। ‌ନେଟ୍ ବୋଲର ଭାବେ ଦଳ ସହ ଥିବା ଥଙ୍ଗାରାସୁ ନଟରାଜନଙ୍କ ନାମ ମଧ୍ୟ ବିଚାରାଧୀନ ରହିଛି।

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଆଡିଲେଡ୍‌ରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ମାଟି କାମୁଡିଥିଲା ବେଳେ ଆଜିଙ୍କ୍ୟ ରହାଣେଙ୍କ ନେତୃତ୍ବରେ ମେଲ୍‌ବର୍ଣ୍ଣରେ ଭାରତ ମହାବିଜୟ ହାସଲ କରିଛି। ଏହି ବିଜୟ ପରେ ଏବେ ରହାଣେ ଓ କୋଲିଙ୍କ ନେତୃତ୍ବକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। କେତେକ କୋହଲି ନେତୃତ୍ବ ଛାଡ଼ିଦେବା ଉଚିତ ବୋଲି ମତ ରଖିଛନ୍ତି। ଏଭଳି ବିତର୍କରେ ମୁହଁ ଖୋଲିଛନ୍ତି କିଂବଦନ୍ତି ସଚିନ୍‌ ତେନ୍ଦୁଲକର। ସେ କେବଳ କହିଛନ୍ତି, ଉଭୟେ ଭାରତୀୟ। ସେମାନଙ୍କ ମଧ୍ୟରେ ତୁଳନା ଅନାବଶ୍ୟକ। ଅବଶ୍ୟ ୨୦୨୦ ବର୍ଷ କୋହଲିଙ୍କ ପାଇଁ ଭଲ ବିତିନାହିଁ। ତାଙ୍କ ନିକଟରେ ସ୍ଥିରତାର ଉଦାହରଣ ରହିଥାଏ। ହେଲେ ଚଳିତ ବର୍ଷ ତାଙ୍କ ବ୍ୟାଟ୍‌ରୁ ଏଭଳି ଉଦାହରଣ ମିଳିନାହିଁ। କାରଣ ବିଦାୟ ନେବାକୁ ବସିଥିବା ୨୦୨୦ରେ କୋହଲିଙ୍କ ବ୍ୟାଟ୍‌ରୁ କୌଣସି ବି ଫର୍ମାଟ୍‌ରେ ଗୋଟିଏ ବି ଶତକ ବାହାରିନଥିଲା। ତେଣୁ ତାଙ୍କ ନେତୃତ୍ବ ବିପକ୍ଷରେ ସ୍ବର ଉଠିବା ସ୍ବାଭାବିକ। ତାଙ୍କ ନେତୃତ୍ବରେ ଭାରତ ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ଟେଷ୍ଟ୍‌ ଶୃଙ୍ଖଳା ହାରିଥିଲା। ଏହାପରେ ଆଇପିଏଲ୍‌ରେ ତାଙ୍କ ଆର୍‌ସିବି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା।

ଏବେ ଅଷ୍ଟ୍ରେଲିଆରେ କେବଳ ଟି-୨୦ ଶୃଙ୍ଖଳା ଜିତିଥିଲେ ମଧ୍ୟ ଦିନିକିଆ ଶୃଙ୍ଖଳା ସାଙ୍ଗକୁ ପ୍ରଥମ ଟେ‌ଷ୍ଟ୍‌ ହାରିଯାଇଥିଲା। ଅନ୍ୟପକ୍ଷରେ ପିତୃତ୍ବ ଅବକାଶ ନେଇ ସ୍ବଦେଶ ଫେରିବା ପରେ କୋହଲିଙ୍କଠୁ ନେତୃତ୍ବ ଭାର ଗ୍ରହଣ କରିଥିଲେ ରହାଣେ। ସେ ମେଲ୍‌ବର୍ଣ୍ଣ ଟେଷ୍ଟ୍‌ରେ ଉଚ୍ଚକୋଟୀର ନେତୃତ୍ବ ବଳରେ ଭାରତକୁ ଦମ୍‌ଦାର ପ୍ରତ୍ୟାବର୍ତନ ଦେଇଥିଲେ। ଫଳରେ ୪ ଟିକିଆ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚିଛି। ତେଣୁ ରହାଣେଙ୍କୁ ଦଳର ସ୍ଥାୟୀ ଅଧିନାୟକ ମନୋନୀତ କରିବାକୁ ବିତର୍କ ଆରମ୍ଭ ହୋଇଯାଇଛି। କିନ୍ତୁ କେହି ବି ଭୁଲିଯିବା ଉଚିତ ନୁହେଁ ଯେ କୋହଲିଙ୍କ ନେତୃତ୍ବରେ ଭାରତର ଟେ‌ଷ୍ଟ୍‌ ରେକର୍ଡ ସ୍ମରଣୀୟ ରହିଛି। ୫୬ ଟେଷ୍ଟ୍‌ରୁ ୩୩ ବିଜୟ ଭେଟି ଦେଇଥିବା କୋହଲି ହିଁ ଭାରତୀୟ କ୍ରିକେଟ୍‌ ଇତିହାସରେ ସର୍ବାଧିକ ସଫଳ ଅଧିନାୟକ ଭାବେ ପରିଗଣିତ ହୁଅନ୍ତି। ତାଙ୍କର ବିଜୟ ପ୍ରତିଶତ ମଧ୍ୟ ପାଖାପାଖି ୬୦। ଏହାସତ୍ତ୍ବେ ଲୋକମାନେ ଏବେ ବି କୋହଲିଙ୍କୁ ଅଧିନାୟକ ପଦରୁ ତଡ଼ିଦେବା ପାଇଁ ବିତର୍କ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଲୋକମାନେ ତୁଳନା କରିବା ଉଚିତ ନୁହେଁ। ଆଜିଙ୍କ୍ୟ ଜଣେ ଭିନ୍ନ ବ୍ୟକ୍ତିତ୍ବ। ତାଙ୍କ ଆଭିମୁଖ୍ୟ ଥିଲା ଆକ୍ରମଣାତ୍ମକ। କିନ୍ତୁ ସମସ୍ତେ ଜାଣିରଖିବା ଉଚିତ ଯେ ଉଭୟେ ହେଉଛନ୍ତି ଭାରତୀୟ ଏବଂ ଦୁହେଁ ଭାରତ ପାଇଁ ଖେଳୁଛନ୍ତି। ତେଣୁ କୌଣସି ବ୍ୟକ୍ତି ଭାରତଠୁ ଆଗରେ ନୁହେଁ। ଦଳ ଓ ଦେଶ ସବୁକିଛିଠାରୁ ଉପରେ ବୋଲି ବିତର୍କ ଉପରେ ମୁହଁ ଖୋଲି କହିଛନ୍ତି ତେନ୍ଦୁଲକର।

ଅଶ୍ବିନଙ୍କ ଯୋଜନାରେ ଫସୁଛନ୍ତି ସ୍ମିଥ୍‌
ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ୍ ଶୃଙ୍ଖଳା ମଧ୍ୟରେ ଷ୍ଟିଭେନ୍ ସ୍ମିଥ୍ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ବ୍ୟକ୍ତିଗତ ଲଢ଼େଇ‌ ଢେର ଚର୍ଚ୍ଚାରେ ରହିଛି। ଅଦ୍ୟାବଧି ୪ ପାଳିରୁ ମାତ୍ର ୧୦ ରନ୍ କରି ସ୍ମିଥ୍‌ ସଂଘର୍ଷ କରୁଥିବା ବେଳେ ଅଶ୍ବିନ୍ ତାଙ୍କୁ ଦୁଇ ଥର ଶିକାର ବନାଇଛନ୍ତି। ସ୍ମିଥ୍‌ଙ୍କ ବିପକ୍ଷରେ ଅଶ୍ବିନଙ୍କ ପ୍ରାଧାନ୍ୟର କାରଣ ଦର୍ଶାଇଛନ୍ତି ପୂର୍ବତନ ମାଷ୍ଟର୍ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର। ଅଶ୍ବିନ୍‌ ତାଙ୍କ ଲେନ୍‌ଥ ଓ ବିବିଧତାରେ ଲଗାତାର ଭାବେ ସ୍ମିଥଙ୍କୁ ଅସୁବିଧାରେ ପକାଇ ଚାଲିଛନ୍ତି। ପ୍ରଥମ ଟେଷ୍ଟରେ ଆର୍ମ ବଲ୍‌ରେ ଆଉଟ୍ କରିଥିଲେ। ଆପଣମାନେ ଏହାକୁ ସିଧାସଳଖ ବଲ୍‌ ବି କହିପାରନ୍ତି। ଆଙ୍ଗୁଠି ବଲ୍‌ର ଶୀର୍ଷରେ ନଥିବା ବେଳେ ଗଡିଯିବାରୁ ସ୍ମିଥ୍‌ ଆଉଟ୍ ହୋଇଥିଲେ। ଦ୍ବିତୀୟ ଟେଷ୍ଟ୍‌ରେ ବାଉଁସ ଓ ଟର୍ନର ଶିକାର ହୋଇଥିଲେ। ଅଶ୍ବିନଙ୍କ ଯୋଜନାବଦ୍ଧ ବଲରେ ସେ ଆଉଟ୍ ହୋଇଥିଲେ। ଉଭୟ ସ୍ମିଥ୍ ଓ ଅଶ୍ବିନ୍‌ ଉଚ୍ଚ ଶ୍ରେଣୀୟ ଖେଳାଳି। କିଏ ବି ନିର୍ଦ୍ଧିଷ୍ଟ ଦିନ ଭଲ ଖେଳିପାରନ୍ତି। ପ୍ରଥମ ଦୁଇ ଟେଷ୍ଟରେ ଅଶ୍ବିନ୍ ବିଜେତା ରହିଛନ୍ତି ବୋଲି ସଚିନ କହିଛନ୍ତି। ଅଶ୍ବିନ୍‌ଙ୍କ ବିପକ୍ଷରେ ମୁଁ ଯେଭଳି ଖେଳିବାକୁ ଚାହିଁଛି ସେଭଳି ଭଲ ଖେଳିପାରି ନାହିଁ ବୋଲି ମଧ୍ୟ ସ୍ମିଥ୍‌ ସ୍ବୀକାର କରି ସାରିଛନ୍ତି।

‘କୋହଲିଙ୍କୁ‌ ନେଇ ଲୋକଙ୍କ ସମସ୍ୟା ରହିଛି’
ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ମେଲବର୍ଣ୍ଣ ଟେଷ୍ଟ୍‌ରେ ବିଜୟୀ ହେବା ପରେ ଏବେ ଅଜିଙ୍କ୍ୟ ରାହାଣେଙ୍କ ସ୍ଥାୟୀ ଅଧିନାୟକତ୍ବ ନିଯୁକ୍ତି କରିବା ଉପରେ ଚର୍ଚ୍ଚା ଜୋର ଧରିଛି। ଏ ପ୍ରସଙ୍ଗରେ ଆଲୋଚନା କରି ପୂର୍ବତନ ଭାରତୀୟ ଖେଳାଳି ଦୀପ ଦାସଗୁପ୍ତ କହିଛନ୍ତି ‘ମୁଁ ରାହାଣେଙ୍କଠାରୁ କିଛି କାଢ଼ି ନେଉଯାଉନି, ଏହା କେବଳ ଗୋଟିଏ ମାତ୍ର ଟେଷ୍ଟ୍‌ର କଥା। ଅଶ୍ବିନ୍‌ ଓ ବୁମରାଙ୍କ ଭଳି ପ୍ରଦର୍ଶନକାରୀ ମଧ୍ୟ ଅବଦାନ ରଖିଥିଲେ। ବିରାଟ କୋହଲି ବି କିଛି ଭୁଲ୍ ନଥିଲେ। ତାଙ୍କୁ ନେଇ ଲୋକଙ୍କ ମଧ୍ୟରେ କିଛି ସମସ୍ୟା ରହିଛି। କାରଣ ତାଙ୍କ ଆଚରଣ ଆକ୍ରାମକ ଏବଂ ଅର୍ଥପୂର୍ଣ୍ଣ ଥାଏ। ଅନ୍ୟପକ୍ଷରେ ରାହାଣେ ଶାନ୍ତ ସ୍ବଭାବର।’ କିନ୍ତୁ ଭୁଲି ଯିବା ଉଚିତ୍ ନୁହେଁ ୨୦୧୮-୧୯‌ରେ କୋହଲିଙ୍କ ନେତୃତ୍ବରେ ଭାରତ ବିଜୟୀ ହୋଇଥିଲା। ଲମ୍ବା ସମୟ ପାଇଁ ତାଙ୍କ ନେତୃତ୍ବାଧୀନ ଦଳ ଏକ ନମ୍ବର ମାନ୍ୟତା ରଖିଥିଲା। ଦଳରେ ଏତେ ଲିଡର୍‌ ରହିବା ଭଲ ସଙ୍କେତ ବୋଲି ଦାସଗୁପ୍ତା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର