କୋଲକାତା: ଉଭୟ ଫୁଟ୍‌ବଲ୍ ଏବଂ କ୍ରିକେଟ୍ ‌ଖେଳି ଖ୍ୟାତି ଅର୍ଜନ କରିଥିବା ସ୍ବର୍ଗତ ଚୁନି ଗୋସ୍ବାମୀଙ୍କ ସ୍ମୃତିଚାରଣ କରିବା ଅବସରରେ ଏକ ଅନାଲୋଚିତ ଦିଗ ଉପରୁ ପରଦା ହଟାଇଛନ୍ତି କିଂବଦନ୍ତି କ୍ରିକେଟର୍‌ ସୁନିଲ ଗାଭାସ୍କର। ‘କ୍ରିକେଟରେ ବ୍ରାଡ୍‌ମାନ ଯେଭଳି, ଭାରତୀୟ ଫୁଟ୍‌ବଲ୍‌ ପାଇଁ ଚୁନି ଦା ସେଭଳି’ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ବେଙ୍ଗଲ ନୂଆ ବର୍ଷ ଅବସରରେ ମୋହନ ବାଗାନ କ୍ଲବ୍‌ର ‘ଚୁନି ‌ଗୋସ୍ବାମୀ ଗେଟ୍‌’ ଉନ୍ମୋଚନ କରି ଏଭଳି କହିଛନ୍ତି ଗାଭାସ୍କର। ଏହି ଅବସରରେ ଗାଭାସ୍କର ମଧ୍ୟ ଏକ ପୁରୁଣା ଭୁଲକୁ ସ୍ବୀକାର କରିଥିଲେ। ମୋର ଏକ ଫେକ୍‌ କ୍ୟାଚ୍‌ କାରଣରୁ ଚୁନି ଗୋସ୍ବାମୀ ମୁମ୍ବାଇ ବିପକ୍ଷରେ ଶତକରୁ ବଞ୍ଚିତ ହୋଇଥିଲେ। ୧୯୬୮-୬୯ ଋତୁ ରଣଜୀ ଟ୍ରଫିର ‌ମୁମ୍ବାଇ-ବେଙ୍ଗଲ ମୁକାବିଲା ବେଳେ ମୁଁ ସ୍ଲିପ୍‌ରେ ଏକ କ୍ୟାଚ୍‌ ନେଇଥିଲି। ଏହା ହାପ୍‌ ଭଲି ଆସିଥିଲା। ମୁଁ ସତ କହିଦେବା ପୂର୍ବରୁ ଦଳର ଜଣେ ବରିଷ୍ଠ ଖେଳାଳି ମୋତେ ଆଲିଙ୍ଗନ କରି ଅନୁରୋଧ କରିଥିଲେ-ସନ୍ନି ସେଭଳି କରନି...‌ସେ ଆମ ବିପକ୍ଷରେ ଭଲ ବ୍ୟାଟିଂ କରୁଛନ୍ତି। ଫଳରେ ଚୁନି ଦା ୯୬ ରନ୍‌ରେ ଆଉଟ୍ ‌ହୋଇ‌ ଫେରିଯାଇଥିଲେ। ମୁଁ ସେଦିନ ଏହି ଭୁଲ କରିନଥିଲେ ଚୁନି ଦା ନିଶ୍ଚିତ ଶତକ ମାରିଥା’ନ୍ତେ। ଅନେକ ବର୍ଷ ପରେ ମୁଁ ତାଙ୍କୁ ଏହି କଥା ଜଣାଇଥିଲି। ସେ କିନ୍ତୁ କହିଥିଲେ ‘ତୁମ ବିପକ୍ଷରେ ଶତକ ହାସଲ କରିବା ମୋ ଭାଗ୍ୟରେ ନଥିଲା’। ଚୁନି ଦା ସେଭଳି ମଣିଷ ଥିଲେ। ତାଙ୍କ ସହ ଖେଳିବା ମୋ ପାଇଁ ସୌଭାଗ୍ୟ ଥିଲା ବୋଲି ଗାଭାସ୍କର ପ୍ରକାଶ କରିଥିଲେ।

Advertisment

ସୂଚନାଯୋଗ୍ୟ, ଭାରତକୁ ୧୯୬୨ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଦେଇଥିବା ଚୁନି ଗୋସ୍ବାମୀ ଦେଶ ପାଇଁ ୧୯୫୬ରୁ ୧୯୬୪ ମସିହା ମଧ୍ୟରେ ୫୦ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ମ୍ୟାଚ୍‌ ଖେଳିଥିଲେ। ୧୯୬୨ରୁ ୧୯୭୩ ମସିହା ମଧ୍ୟରେ ବେଙ୍ଗଲ ପାଇଁ ମଧ୍ୟ ୪୬ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ବେଙ୍ଗଲକୁ ରଣଜୀ ଟ୍ରଫି ଫାଇନାଲ୍‌ ମଧ୍ୟ ନେଇଥିଲେ ଅଧିନାୟକ ଭାବେ। ଅନେକ ପ୍ରଲୋଭନ ସତ୍ତ୍ବେ ଦୀର୍ଘ ୧୮ ବର୍ଷ (୧୯୪୬-୧୯୬୪) ଧରି ଗୋଟିଏ କ୍ଲବ୍‌ (ମୋହନ ବାଗାନ)ରୁ ଖେଳିଥିଲେ। ୨୦୨୦ ଏପ୍ରିଲ୍‌ ୩୦ ତାରିଖରେ ୮୨ ବର୍ଷ ବୟସରେ ଚୁନି ଦା’ଙ୍କର ଦେହାନ୍ତ ଘଟିଥିଲା।