ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭରତଙ୍କ ବଦଳରେ ରାହୁଲଙ୍କୁ ଚାହାନ୍ତି ଗାଭାସ୍କର

ଟର୍ଣ୍ଣିଂ ପିଚ୍‌ରେ ଭରତଙ୍କ ପାଖରେ ଆତ୍ମବିଶ୍ବାସର ଅଭାବ ଦେଖାଯାଉଥିଲା: କାର୍ତ୍ତିକ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡଠୁ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌ ହାରିଯିବା ପରେ ଭାରତକୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଯୋଗ୍ୟତା ମିଳିଥିଲା। ହେଲେ ଏବେ ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତ କିଭଳି ପ୍ରସ୍ତୁତ ହେବ ତାହା ବଡ଼ ପ୍ରସଙ୍ଗ ପାଲଟିଛି। କାରଣ ଦଳର ଦୁଇ ତାରକା ଖେଳାଳି ଯଶପ୍ରୀତ୍‌ ବୁମ୍‌ରା ଓ ଋଷଭ ପନ୍ତ୍‌ ଆହତ ଯୋଗୁଁ ଦୀର୍ଘ ସମୟ ପାଇଁ ଦଳଠୁ ଦୂ‌ରରେ ରହିବେ। ତଥାପି ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍‌ରାଙ୍କ ଅନୁପସ୍ଥିତି ସେତେଟା ଅନୁଭବ ହେଲା ନାହିଁ। କାରଣ ସବୁ ମ୍ୟାଚ୍‌ରେ ସ୍ପିନରମାନଙ୍କର ଦବ୍‌ଦବା ଅଧିକ ଥିଲା। କିନ୍ତୁ ଇଂଲଣ୍ଡ ପରିବେଶରେ ବୁମ୍‌ରାଙ୍କ ଅନୁପସ୍ଥିତିକୁ ଭରଣା କରିବା କଷ୍ଟକର ହୋଇପାରେ। ସେହିପରି ପନ୍ତ୍‌ଙ୍କ ସ୍ଥାନରେ କେଏସ୍‌ ଭରତ ଏହି ଶୃଙ୍ଖଳାରେ ୱିକେଟ୍‌ ପଛପଟ ଦାୟିତ୍ବ ସମ୍ଭାଳିଥିଲେ। କିନ୍ତୁ ବ୍ୟାଟିଂରେ ଆଖିଦୃଶିଆ ରନ୍‌ ବାହାର କରିପାରିନଥିଲା ବେଳେ କିପିଂ ଦକ୍ଷତା ମଧ୍ୟ ସନ୍ତୋଷଜନକ ନଥିଲା। ବିଦେଶୀ ମାଟିରେ ପନ୍ତ୍‌ ହିଁ ଏକମାତ୍ର ସଫଳ ୱିକେଟରକ୍ଷକ ବ୍ୟାଟର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ଏବେ ଡବ୍ଲୁଟିସି ଫାଇନାଲ୍‌ରେ ୱିକେଟରକ୍ଷକ ଭୂମିକାରେ କିଏ ରହିବ ‌ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା ବେଳେ କଂବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର ଏହି ସ୍ଥାନ ପାଇଁ କେଏଲ୍‌ ରାହୁଲଙ୍କୁ ବାଛିଛନ୍ତି।

ଏକ ସାକ୍ଷତକାର ଅବସରରେ ଗାଭାସ୍କର କହିଛନ୍ତି ଯେ ରାହୁଲ ଜଣେ ଦକ୍ଷ ୱିକେଟ୍‌ରକ୍ଷକ। ତେଣୁ ତାଙ୍କୁ ଯଦି ୫ କିମ୍ବା ୬ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଯାଏ, ତାହେଲେ ଭାରତର ବ୍ୟାଟିଂ କ୍ରମ ଅଧିକ ମଜବୁତ ହୋଇପାରିବ। କାରଣ ଗତବର୍ଷ ଇଂଲଣ୍ଡରେ ରାହୁଲ ଭଲ ପ୍ରଦର୍ଶନ ଦେଇଥିଲେ। ଲର୍ଡ୍ସରେ ରାହୁଲ ଶତକ ଜମାଇଥିଲେ। ତେଣୁ ରାହୁଲଙ୍କୁ ମନରେ ରଖି ଭାରତ ଡବ୍ଲୁଟିସି ଫାଇନାଲ୍‌ ପାଇଁ ଦଳ ଚୟନ କରିବା ଆବଶ୍ୟକ ବୋଲି ଗାଭାସ୍କର ମତ ଦେଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ଯୋଗୁଁ ରାହୁଲଙ୍କୁ ତୃତୀୟ ମ୍ୟାଚ୍‌ଠୁ ବିଶ୍ରାମ ଦିଆଯାଇଥିଲା। ଟେଷ୍ଟରେ ଗତ ୧୦ ପାଳିରୁ ସେ ଥରୁଟିଏ ବି ୩୦ ରନ୍‌ ପାର୍‌ କରିନାହାନ୍ତି। ତଥାପି ତାଙ୍କୁ ଦିନିକିଆରେ ପ୍ରଥମ ପସନ୍ଦ ୱିକେଟରକ୍ଷକ ଭାବେ ବିବେଚନା କରାଯାଉଛି। ବିଶେଷ କରି ଇଂଲଣ୍ଡ ପରିସ୍ଥିତିରେ ରାହୁଲ ଭଲ ଖେଳୁଥିବାରୁ ଗତବର୍ଷ ଭାରତର ଗସ୍ତ ସମୟରେ ‌ସେ ଚମତ୍କାର ଖେଳିଥିଲେ। ଯେଉଁଥିପାଇଁ ଟେଷ୍ଟ ଦଳରେ ସେ ସ୍ଥାନ ପକ୍କା କରିପାରିଥିଲେ।

ସେହିପରି ଭରତଙ୍କ ବଦଳରେ ରାହୁଲ କିମ୍ବା ଇଶାନ କିଶନଙ୍କୁ ଡବ୍ଲୁଟିସି ଫାଇନାଲ୍‌ ଦଳରେ ନିଆଯିବାକୁ ପୂର୍ବତନ ୱିକେଟରକ୍ଷକ ବ୍ୟାଟର ଦୀନେଶ କାର୍ତ୍ତିକ ଯୁକ୍ତି ବାଢିଛନ୍ତି। ସେ ଉଦାହରଣ ଦେବାକୁ ଯାଇ କହିଛନ୍ତି ଯେ ଟର୍ଣ୍ଣିଂ ପିଚ୍‌ରେ ଭରତଙ୍କ ପ୍ରଦର୍ଶନ ଆଶାନୁରୂପକ ନଥିଲା। କାରଣ ଯଦି ଟ୍ରାଭିସ୍‌ ହେଡ୍‌ଙ୍କ ୱିକେଟ୍‌କୁ ଦେଖିବା, ବଲ୍‌ ଟର୍ଣ୍ଣ ହୋଇ ଷ୍ଟମ୍ପ୍‌ରେ ବାଜିବା ବେଳକୁ ଭରତଙ୍କ ହାତ ଏହାଠୁ ଦୂରରେ ଥିଲା। ଯଦି ବଲ୍‌ ଷ୍ଟମ୍ପରେ ବାଜି ନଥାନ୍ତା, ତାହେଲେ ବାଏରେ ୪ ରନ୍‌ ମିଳିଯାଇଥା’ନ୍ତା। ଫଳରେ ଟର୍ଣ୍ଣିଂ ପିଚ୍‌ରେ ପ୍ରକୃତ ୱିକେଟରକ୍ଷକର ପରୀକ୍ଷା ହୋଇଥାଏ। ହେଲେ ଏଥିରେ ଭରତ ଆତ୍ମବିଶ୍ବାସ ଜୁଟାଇ ପାରିନାହାନ୍ତି। ଯଦିଓ ଇଂଲଣ୍ଡରେ ୱିକେଟ୍‌ ପାଖରେ ରହିବା ଅପେକ୍ଷା ପଛକୁ ବେଶି ସମୟ ରହିବାକୁ ପଡ଼ିବ, ତଥାପି ଭରତଙ୍କ ବଦଳରେ ରାହୁଲ କିମ୍ବା କିଶନଙ୍କ ମଧ୍ୟରୁ ଜଣଙ୍କୁ ୱିକେଟରକ୍ଷକ ଭାବେ ଦଳରେ ନିଆଯିବା ଉଚିତ୍‌ ହେବ ‌ବୋଲି କାର୍ତ୍ତିକ କହିଛନ୍ତି।

ସମ୍ବନ୍ଧିତ ଖବର