ମୁମ୍ବାଇ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲିଙ୍କୁ ଲିଟିଲ ମାଷ୍ଟର୍ ସୁନୀଲ ଗାଭାସ୍କର ମାସିକ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ‘ଚାମ୍ପ୍ସ ଫାଉଣ୍ଡେସନ୍’ ନାମକ ନିଜ ଦାତବ୍ୟ ଅନୁଷ୍ଠାନ ମାଧ୍ୟମରେ କାମ୍ବଲିଙ୍କ ଔଷଧ ଓ ଡାକ୍ତରଖାନା ଖର୍ଚ୍ଚ ବାବଦରେ ଗାଭାସ୍କର ଏହି ଅର୍ଥ ପ୍ରଦାନ କରିବେ। ଏପ୍ରିଲ ପହିଲାରେ ଯାହାର ପ୍ରଥମ କିସ୍ତି କାମ୍ବଲିଙ୍କ ଆକାଉଣ୍ଟରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଭାରତ ପକ୍ଷରୁ ୧୭ ଟେଷ୍ଟ୍ ଏବଂ ୧୦୪ ଦିନିକିଆ ମ୍ୟାଚ୍ ଖେଳିଥିବା କାମ୍ବଲି ନିକଟ ଅତୀତରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି। 

Advertisment

ପାରିବାରିକ ଅଶାନ୍ତି ସହ ସ୍ଥିର ରୋଜଗାରର ଅଭାବ ସାଙ୍ଗକୁ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥା ତାଙ୍କୁ ଏକ ପ୍ରକାର ଭାଙ୍ଗି ପକାଇଛି। ଦୁଇ ଥର ହୃଦ୍‌ଘାତ ମଧ୍ୟ ହୋଇ ସାରିଛି। ଖରାପ ସ୍ବାସ୍ଥ୍ୟ ପାଇଁ ଏକଦା ଚଲା ବୁଲା କରିବା ତାଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ଅତ୍ୟନ୍ତ ଦୁର୍ବଳ କାମ୍ବଲି ବହୁ କଷ୍ଟରେ କଥା କହୁଥିବାର ଭିଡିଓ ପଦାକୁ ଆସିବା ପରେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗାଭାସ୍କର ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ସେ ଚଳିତ ମାସରେ ପୂରଣ କରିଛନ୍ତି। ଏଥିପାଇଁ ଗାଭାସ୍କରଙ୍କୁ ଚାରିଆଡ଼ୁ ସାଧୁବାଦ ମିଳୁଛି।