ନୂଆଦିଲ୍ଲୀ: ୨୦୦୫ ମସିହାର ବାଙ୍ଗାଲୋର୍ ଟେଷ୍ଟ୍ ବେଳେ ମୁଁ ପାକିସ୍ତାନର ପାଳିକୁ ଆଗୁଆ ଘୋଷଣା କରିଦେଇଥିବାରୁ ତତ୍କାଳୀନ ପ୍ରଶିକ୍ଷକ ବବ୍ ଉଲ୍ମର ମୋ ନିଷ୍ପତ୍ତି ଭୁଲ ଥିଲା ବୋଲି ଭାବିଥିଲେ। ପରେ କିନ୍ତୁ ମୁଁ ତାଙ୍କୁ ଭୁଲ ପ୍ରମାଣିତ କରିଥିଲି ଏବଂ ପାକିସ୍ତାନ ଏହି ଟେଷ୍ଟ୍ ମ୍ୟାଚ୍କୁ ୧୬୮ ରନ୍ରେ ଜିତି ନେଇଥିଲା। ଏଭଳି କଥା କହିଛନ୍ତି ତତ୍କାଳୀନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍। ନିଜର ପୁରୁଣା ଦିନର ସ୍ମୃତି ମନେ ପକାଇ ଇଞ୍ଜାମାମ୍ କହିଥିଲେ ପାକିସ୍ତାନ ଯେତେବେଳେ ଦ୍ବିତୀୟ ପାଳିରେ ୨୬୧/୨ରେ ଥିଲା ମୁଁ ପାଳି ଘୋଷଣା କରି ଦେଇଥିଲି। ଉଲ୍ମର ଏହାକୁ ଭୁଲ କହିଥିଲେ। ମୁଁ କିନ୍ତୁ ତାଙ୍କୁ ଭୁଲ ପ୍ରମାଣିତ କରି ଦେଇଥିଲି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ପାକିସ୍ତାନ ପ୍ରଥମ ପାଳିରେ ୫୭୦ ରନ୍ର ବଡ଼ ପାଳି ଖେଳିଥିଲା। ଜବାବରେ ଭାରତ କିନ୍ତୁ ପ୍ରଥମ ପାଳିରେ ୪୪୯ ରନ୍ କରି ବହୁ ପଛରେ ରହିଯାଇଥିଲା। ପାକିସ୍ତାନ ଏହା ପରେ ଦ୍ବିତୀୟ ପାଳି ଖେଳୁଥିବା ବେଳେ ଇଞ୍ଜାମାମ୍ ପାଳି ଘୋଷଣା ପାଇଁ ଉଲମରଙ୍କୁ ବାର୍ତା ପଠାଇଥିଲେ। କିନ୍ତୁ ଅଧିନାୟକ ଏବଂ ଉପଅଧିନାୟକ ମିଳିତ ଭାବେ ଏହି ନିଷ୍ପତ୍ତି ନିଅ ବୋଲି ଉଲ୍ମର ଚାହିଁଥିଲେ। ଏହା ପରେ ମୁଁ ୟୁନିସ୍ ଖାନ୍ଙ୍କୁ ପଚାରିଥିଲି, ସେ ଏକମତ ହୋଇଥିଲେ। ଚତୁର୍ଥ ଦିନ ଭାରତକୁ କିଛି ଓଭର ଖେଳାଇ ସୁଯୋଗ ନେବାକୁ ଯାଇ ମୁଁ ଏହି ଘୋଷଣା କରିଥିଲି। ପରଦିନ ମୁଁ ଖେଳାଳିମାନଙ୍କୁ କହିଥିଲି ଆମେ ଯଦି ବୀରେନ୍ଦ୍ର ସେହବାଗଙ୍କୁ ଶୀଘ୍ର ଆଉଟ୍ କରିଦେବା ତେବେ ଭାରତ ପଶ୍ଚାତଧାବନ କରିପାରିବ ନାହିଁ। ସେ ହିଁ ଏକମାତ୍ର ଖେଳାଳି ଯିଏ ଆମଠାରୁ ମ୍ୟାଚ୍ ଛଡ଼ାଇ ନେଇପାରନ୍ତି। ରଜାକ ସେହବାଗଙ୍କ ୱିକେଟ୍ ନେବା ପରେ ମୁଁ ଧରି ନେଇଥିଲି ଏହା ଆମର ଦିନ ହେବ। ଭାରତ ରକ୍ଷଣାତ୍ମକ ଆଚରଣ ଆପଣାଇଥିଲା। ମୁଁ ଆକ୍ରମଣାତ୍ମକ ପଡିଆ ସଜାଇଥିଲି। ସଚିନଙ୍କ ଭଳି ଖେଳାଳି ବି ରନ୍ କରି ପାରିନଥିଲେ। ଆମେ ଯେତେବେଳେ ମ୍ୟାଚ୍ର ଶେଷ ଭାଗକୁ ଗଲୁ ମୁଁ ଭାବି ନେଇଥିଲି ମୋ ଘୋଷଣା ଠିକ୍ ହେବାକୁ ଯାଉଛି। ଆମେ କିନ୍ତୁ ଏହି ଟେଷ୍ଟ୍ ଜିତି ଯାଇଥିଲୁ। ପଡିଆରୁ ଫେରିବା ପରେ ୫୦ ବର୍ଷୀୟ ଉଲମର୍ କହିଥିଲେ ତୁମ ନିଷ୍ପତ୍ତି ସଠିକ୍ ରହିଲା।
ଏହା ମୋର ୧୦୦ତମ ଟେଷ୍ଟ୍ ଥିବାରୁ ମୋ ପାଇଁ ବ୍ୟକ୍ତିଗତ ଖୁସି ବି ସ୍ବତନ୍ତ୍ର ଥିଲା। ସମ୍ପୂର୍ଣ୍ଣ ଗସ୍ତ ବି ସଫଳ ରହିଥିଲା। ଆମେ ୨୦୦୫ରେ ଭାରତ ଗସ୍ତ ସମୟରେ ବହୁ ସମୀକ୍ଷକ ଏବଂ କ୍ରିକେଟ୍ ବିଶାରଦ କହିଥିଲେ ‘ଭାରତ ଗସ୍ତ କରୁଥିବା ଏହା ସବୁଠାରୁ ଦୁର୍ବଳ ପାକିସ୍ତାନ ଦଳ’। କିଛି ବରିଷ୍ଠ ଖେଳାଳି ବି ଏହି ଗସ୍ତରେ ଆସିବାକୁ ମନା କରି ଦେଇଥିଲେ। ଏକ ଦୃଢ଼ ଶକ୍ତିସମ୍ପନ୍ନ ବ୍ୟାଟିଂ ଦଳ ବିପକ୍ଷରେ ଆମ ବୋଲିଂ ବି ଦୁର୍ବଳ ଥିଲା। ମୁଁ ବି କିଭଳି ଭାରତୀୟ ୱିକେଟ୍ ପାଇବୁ ବୋଲି ଦ୍ବନ୍ଦ୍ବରେ ପଡିଯାଉଥିଲି ବୋଲି ଇଞ୍ଜାମାମ୍ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୨୦୦୫ରେ ଭାରତ ଗସ୍ତ କରିଥିବା ଇଞ୍ଜାମାମ୍ଙ୍କ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା। ମୋହାଲି ଟେଷ୍ଟ୍ ଅମୀମାଂସିତ ରହିବା ପରେ କୋଲକାତାରେ ଭାରତ ୧୯୫ ରନ୍ରେ ଜିତିଥିଲା। ବାଙ୍ଗାଲୋର୍ରେ କିନ୍ତୁ ୧୬୮ ରନ୍ରେ ଦଳ ହାରିଯାଇଥିଲା। ଇଞ୍ଜାମାମ୍ ନିଜର ୧୦୦ତମ ଟେଷ୍ଟ୍ ମ୍ୟାଚ୍ରେ ଶତକୀୟ ପାଳି (୧୮୪) ପାଳି ଖେଳିଥିଲେ ଏବଂ ଉପଅଧିନାୟକ ୟୁନିସ୍ ଖାନ୍ (୨୬୭) ଦ୍ବିଶତକ ପାଳି ଖେଳିଥିଲେ। ପାକିସ୍ତାନ ୫୭୦ ରନ୍ ପରେ ୨୬୧/୨ରେ ଘୋଷଣା କରିଥିଲା। ଭାରତ ୪୪୯ ରନ୍ ପରେ ୨୧୪ ରନ୍ କରି ସମସ୍ତ ୱିକେଟ୍ ହରାଇ ଶୃଙ୍ଖଳା ବିଜୟର ସୁଯୋଗ ହାତଛଡ଼ା କରିଥିଲା।