ବିଶ୍ବକପ୍ ବିନିମୟ ପାଇଁ ଗାଭାସ୍କରଙ୍କ ପରାମର୍ଶ: ଭାରତ ୨୦୨୦, ଅଷ୍ଟ୍ରେଲିଆ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ କରୁ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଆୟୋଜନ କରିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତ ଆୟୋଜନ କରୁ। ଭାରତରେ ହେବାକୁ ଥିବା ୨୦୨୧ ‌ମସିହା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଅଷ୍ଟ୍ରେଲିଆ ନେଉ। କରୋନା ସଙ୍କଟ ଭିତରେ ଏଭଳି ଏକ ନିଆରା ପରାମର୍ଶ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଜଗତର କିଂବଦନ୍ତି ପୁରୁଷ ତଥା ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର। ଗାଭାସ୍କରଙ୍କ କହିବା କଥା ହେଲା କରେନା ଆତଙ୍କ ପାଇଁ ଅଷ୍ଟ୍ରେଲିଆ ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନିଜ ସୀମାକୁ ସିଲ୍ କରି ଦେଇଛି। ଏହି ସମୟ ମଧ୍ୟରେ ବିଦେଶୀ ନାଗରିକଙ୍କୁ ଦେଶଭିତରକୁ ଛଡ଼ା ଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ଏଭଳି ସ୍ଥିତିରେ ଭାରତ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଆୟୋଜନ କରି ପାରିବ। ତେବେ ସବୁ କିଛି ପରିସ୍ଥିତି ଉପରେ ନିର୍ଭର କରିବ। କରୋନା ଆତଙ୍କ ଟଳି ସାରିଥିଲେ ଏବଂ ସ୍ଥିତି ସ୍ବାଭାବିକ ହୋଇଥିଲେ, ଯାଇ ଏହି ବିକଳ୍ପକୁ ବିଚାରକୁ ନିଆଯାଇପାରେ। ତେବେ ଏଥିନେଇ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ସହମତି ହେବା ଦରକାର। ଚଳିତ ବର୍ଷର ଆଇପିଏଲ୍‌କୁ ନେଇ ମଧ୍ୟ ଗାଭାସ୍କର ଏକ ସ୍ବାଗତ ଯୋଗ୍ୟ ପରାମର୍ଶ ‌ଦେଇଛନ୍ତି। ‘‘ ଚଳିତ ବର୍ଷର ଆଇପିଏଲ୍ କରୋନା ଭୟ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଏହାକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପୂର୍ବରୁ ସେପ୍ଟେମ୍ବର ମାସରେ ଆୟୋଜନ କରିହେବ। ଏହା ହେଲେ ଘରୋଇ ଓ ବିଦେଶୀ ଖେଳାଳିଙ୍କୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଧ୍ୟ ପର୍ଯ୍ୟାପ୍ତ ଅଭ୍ୟାସ ମିଳି ପାରିବ। ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ହେବା ପରେ ଡିସେମ୍ବରରେ ୟୁଏଇରେ ଏସିଆ କପ୍ ମଧ୍ୟ ଖେଳ ହୋଇ ପାରିବ। ୟୁଏଇରେ ଡିସେମ୍ବର ମାସରେ କ୍ରିକେଟ୍ ଖେଳିବା ବହୁତ ଭଲ ହେବ।’’ ସୂଚନାଯୋଗ୍ୟ ଯେ ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପର ସପ୍ତମ ସଂସ୍କରଣ ଅଷ୍ଟ୍ରେଲିଆରେ ହେବାକୁ ଥିଲା ବେଳେ ଅଷ୍ଟମ ସଂସ୍କରଣର ଆୟୋଜନ ଅଧିକାର ଭାରତ ପାଇଛି। ଏହି ବିଶ୍ବକପ୍ ସପ୍ତମ ସଂସ୍କରଣର ମାତ୍ର ଗୋଟିଏ ବର୍ଷ ପରେ ଖେଳାଯିବାର ଥିଲା।

ସମ୍ବନ୍ଧିତ ଖବର