କୋହଲିଙ୍କୁ ଗାଭାସ୍କରଙ୍କ ପରାମର୍ଶ; ସଚିନ୍‌ଙ୍କ ସହାୟତା ନିଅ

ହେଡିଂଲେ: ଟେ‌ଷ୍ଟ୍‌ କ୍ରିକେଟ୍‌ରେ ବିରାଟ କୋହଲି ୭ ଥର ଇଂଲଣ୍ଡ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ଙ୍କ ଦ୍ବାରା ଆଉଟ୍‌ ହେଲେଣି। କୋହଲିଙ୍କୁ ଅଷ୍ଟ୍ରେଲୀୟ ସ୍ପିନର ନାଥନ୍‌ ଲାୟନ୍‌ ମଧ୍ୟ ୭ ଥର ଆଉଟ୍‌ କରିଛନ୍ତି। ନଟିଂହାମ୍‌ରେ ଖେଳାଯାଇଥିବା ଚଳିତ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ଅଧିନାୟକ କୋହଲିଙ୍କୁ ଗୋଲ୍‌ଡେନ୍‌ ଡକ୍‌ (ଶୁନ)ରେ ଆଉଟ୍‌ କରିଥିବା ଆଣ୍ଡରସନ୍‌ ଏଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ତାଙ୍କୁ ୭ ରନ୍‌ (୧୭ ବଲ୍‌)ରେ ପାଭିଲିୟନ୍‌ ପଠାଇ ଦେଇଥିଲେ। ଆତ୍ମବିଶ୍ବାସରେ ଭରପୁର ଆଣ୍ଡରସନ୍‌ ସଠିକ୍‌ ଲାଇନ୍‌ରେ କୋହଲିଙ୍କୁ ବଲ୍‌ ପକାଇଥିଲେ। କୋହଲି ବଡ଼ ସଟ୍‌ ଖେଳିବାକୁ ଚେଷ୍ଟା କରିନଥିଲେ ମଧ୍ୟ ତାଙ୍କ ବ୍ୟାଟ୍‌ର ବାହାର ଧାରରେ ବଲ୍‌ ବାଜି ୱିକେଟ୍‌ରକ୍ଷକ ଜୋସ୍‌ ବଟ୍‌ଲର୍‌ଙ୍କ ହାତକୁ ଚାଲି ଯାଇଥିଲା।

ଏପରିକି ଚଳିତ ଶୃଙ୍ଖଳାରେ କୋହଲିଙ୍କୁ ନିରବ ରଖିପାରିଥିବାରୁ ଆଣ୍ଡରସନ୍‌ ବି ଖୁବ୍‌ ଖୁସୀ ଅଛନ୍ତି। ଇଂଲଣ୍ଡରେ କୋହଲିଙ୍କ ବ୍ୟାଟିଂରେ ବୈଷୟିକ ସମସ୍ୟା ରହିଛି। ବିଶେଷକରି ଆଣ୍ଡରସନ୍‌ଙ୍କ ବିପକ୍ଷରେ ଏହି ସମସ୍ୟା ଦେଖାଦେଇଛି। ସେ ଅଫ୍‌ ଷ୍ଟମ୍ପ୍‌ ବାହାର ବଲ୍‌କୁ ଖେଳିବାରେ ସମସ୍ୟା ଭୋଗୁଛନ୍ତି। ଯାହାକି ୨୦୧୪ ଗସ୍ତରେ ମଧ୍ୟ ଭୋଗିଥିଲେ। ୨୦୧୪ ଗସ୍ତରେ ସେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିଥିଲା ବେଳେ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ସେହି ଶୃଙ୍ଖଳାରେ ମଧ୍ୟ ଏକାଧିକ ଥର ଆଣ୍ଡରସନ୍‌ ତାଙ୍କୁ ଆଉଟ୍‌ କରିଥିଲେ। ଅଫ୍‌ ଷ୍ଟମ୍ପ୍‌ ବାହାର ବଲ୍‌ରେ କୋହଲି ପରାସ୍ତ ହୋଇଥିଲେ। ବିଶେଷକରି କୋହଲି ପଞ୍ଚମ, ଷଷ୍ଠ ଓ ସପ୍ତମ ଷ୍ଟମ୍ପ୍‌ରେ ହିଁ ଆଉଟ୍‌ ହେବା ମୋତେ ଯଥେଷ୍ଟ ଚିନ୍ତିତ କରିଛି।

ଏଭଳି ସମସ୍ୟାକୁ ସୁଧାରିବା ପାଇଁ କୋହଲିଙ୍କୁ ମା‌ଷ୍ଟର ବ୍ଲା‌ଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ସହାୟତା ନେବା ଉଚିତ ବୋଲି ଭାରତୀୟ କିଂବଦନ୍ତି ସୁନିଲ ଗାଭାସ୍କର ପରାମର୍ଶ ଦେଇଛନ୍ତି। ସଚିନ୍‌ଙ୍କ ସହାୟତା ନେବାକୁ କୋହଲି ନିଶ୍ଚିତ ଚିନ୍ତା କରିବା କଥା ବୋଲି ଗାଭାସ୍କର କହିଛନ୍ତି। ସେ ଖୁବ୍‌ ଶୀଘ୍ର ସଚିନ୍‌ଙ୍କ ପରାମର୍ଶ ନେଇ କ’ଣ କରିବା ଉଚିତ ବୋଲି ପଚାରନ୍ତୁ। ଏକଥା ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ଭା‌ଷ୍ୟକାର ଦାୟିତ୍ବ ତୁଲାଉଥିବା ଗାଭାସ୍କର କହିଛନ୍ତି। ସଚିନ୍‌ ୨୦୦୩-୦୪ରେ ସିଡ୍‌ନି ଟେଷ୍ଟ୍‌ରେ ନକାରାତ୍ମକ ବୋଲିଂର ସାମ୍‌ନା କରିଥିଲେ ମଧ୍ୟ ଚତୁରତାର ସହ ବୋଲରଙ୍କୁ ନିରାଶ କରିଥିଲେ। ତାଙ୍କଠୁ ସେହି ପ୍ରଣାଳି ଅନୁସରଣ କରିବାକୁ ସଚିନ୍‌ଙ୍କୁ ଡାକି ପରାମର୍ଶ ନିଅନ୍ତୁ ବୋଲି କୋହଲିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଗାଭାସ୍କର। ସଚିନ୍‌ ଅଫ୍‌ ଷ୍ଟମ୍ପ୍‌ ବାହାର ବଲ୍‌କୁ ଖୁବ୍‌ ଦକ୍ଷତାର ସହ ଖେଳିପାରନ୍ତି। ତେଣୁ ତାଙ୍କଠୁ ପରାମର୍ଶ ନେଲେ ହୁଏତ କୋହଲିଙ୍କ ପାଇଁ ଚଳିତ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚ୍‌ରେ ସହାୟକ ହୋଇପାରିବ ବୋଲି ଗାଭାସ୍କର ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର