ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଜନ୍ମଦିନରେ ଗାଭାସ୍କରଙ୍କ ସଂକଳ୍ପ

ସିଏଚ୍‌ଡି ପୀଡ଼ିତ ୧୬୦୦୦ ପିଲାଙ୍କ ଅସ୍ତ୍ରୋପଚାର କରାଇ ସାରିଲେଣି

ମୁମ୍ବାଇ: ଶନିବାର ଥିଲା ମହାନ କ୍ରିକେଟ୍ ତାରକା ସୁନିଲ ଗାଭାସ୍କରଙ୍କ ୭୨ତମ ଜନ୍ମଦିବସ। ଜୀବନର ଏହି ସ୍ବତନ୍ତ୍ର ଦିନରେ ଲିଟିଲ ମାଷ୍ଟର ଭାବେ ପରିଚିତ ଗାଭାସ୍କର ବହୁତ ବଡ଼ କାମ ହାତକୁ ନେଇଛନ୍ତି। କଞ୍ଜିନିଆଲ ହାର୍ଟ ଡିଜିଜ୍ ବା ସିଏଚ୍‌ଡି ନାମକ ଏକ ହୃଦରୋଗରେ ପୀଡ଼ିତ କୁନି କୁନି ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି ସେ। ତେବେ ଏମିତି ନୁହେଁ ଯେ ଗାଭାସ୍କର ପ୍ରଥମ ଥର ଏଭଳି ଶିଶୁଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ବରଂ ଗତ କିଛି ବର୍ଷ ହେବ ନିଜ ଦାତବ୍ୟ ଅନୁଷ୍ଠାନ ‘ହାର୍ଟ ଟୁ ହାର୍ଟ’ ମାଧ୍ୟମରେ ଏବଂ ଶ୍ରୀ ସତ୍ୟସାଇ ସଂଜିବନୀ ହସ୍ପିଟାଲ ସହଯୋଗରେ ମାଗଣାରେ ୧୬,୦୦୦ ପିଲାଙ୍କର ଅସ୍ତ୍ରୋପଚାର କରାଇ ସାରିଲେଣି ଭାରତୀୟ କ୍ରିକେଟ୍‌ ଦଳର ଏହି କିଂବଦନ୍ତି ଅଧିନାୟକ।

ସେଥିମଧ୍ୟରୁ ୯୯ ପ୍ରତିଶତ ପିଲା ଏବେ ସ୍ବାଭାବିକ ଜୀବନ ବିତାଉଛନ୍ତି। ତେବେ ଆଗାମୀ ସମୟରେ ଏହି ଧାରାକୁ ଆହୁରି ବ୍ୟାପକ କରିବେ ବୋଲି ‌ଘୋଷଣା କରିଛନ୍ତି ଗାଭାସ୍କର। ଏହି ରୋଗ ବିରୋଧରେ ସଚେତନତା ସୃଷ୍ଟି ଏବଂ ପାଣ୍ଠି ସଂଗ୍ରହ କରିବା କାର୍ଯ୍ୟକୁ ଖୁବଶୀଘ୍ର ଆହୁରି ତ୍ବରାନ୍ବିତ କରାଯିବ ବୋଲି କହିଛନ୍ତି ସେ। ‘‘ ଭାରତରେ ୩୦୦୦୦୦ ପିଲା ସିଏଚ୍‌ଡି ରୋଗାକ୍ରାନ୍ତ ହୋଇ ଜନ୍ମ ଗ୍ରହଣ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ପରବର୍ତ୍ତୀ ଜନ୍ମଦିନ ଦେଖିପାରନ୍ତିନି। ଆମ ଅନୁଷ୍ଠାନ ଛତିଶଗଡ଼ର ରାଏପୁର, ହରିୟାଣାର ପାଲୱାଲ, ପଶ୍ଚିମବଙ୍ଗର ଖଡଗପୁର ଏବଂ ନ୍ୟୁ ମୁମ୍ବାଇରେ ମାଗଣାରେ ଏଭଳି ପିଲାଙ୍କ ଅସ୍ତ୍ରୋପଚାର କରାଉଛି। ପ୍ରତିମାସରେ ଆମେ ପାଖାପାଖି ୪୦୦ ଅସ୍ତ୍ରୋ‌ପଚାର କରୁଛୁ। ଏହି ମହତ କାର୍ଯ୍ୟରେ ଅଧିକରୁ ଅଧିକ ଲୋକ ଜଡ଼ିତ ହେବାକୁ ଆହ୍ବାନ କରୁଛି। ଏଭଳି ଶିଶୁଙ୍କ ସହାୟତା ମୋ ଜନ୍ମଦିନର ପ୍ରକୃତ ଉପହାର ହେବ’’ ବୋଲି କହିଛନ୍ତି ଗାଭାସ୍କର। ଅନ୍ୟପକ୍ଷରେ ଭିଭିଏସ୍ ଲକ୍ଷ୍ମଣ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ବିସିସିଆଇ ସଭାପତି ଜୟ ସାହ, ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍ ଦଳ ପ୍ରମୁଖ ଗାଭାସ୍କରଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର