ମୁମ୍ବାଇ: ଘରୋଇ କ୍ରିକେଟ୍‌ର ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତା ‘ରଣଜୀ ଟ୍ରଫି’କୁ ଅଧିକ ଆକର୍ଷଣୀୟ ଓ ଲୋଭନୀୟ କରିବାକୁ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଦେଇଛନ୍ତି ଗୁରୁମନ୍ତ୍ର। ଟେଷ୍ଟ୍ କ୍ରିକେଟ୍ ଭଳି ଘରୋଇ କ୍ରିକେଟ୍‌ରେ ମଧ୍ୟ ନୂଆ ଆର୍ଥିକ ପ୍ରୋତ୍ସାହନ ପଦ୍ଧତି ଲାଗୁ କରିବାକୁ ବିସିସିଆଇକୁ ଆହ୍ବାନ କରି ସେ କହିଛନ୍ତି, ଟେଷ୍ଟ୍‌ କ୍ରିକେଟ୍‌କୁ ପ୍ରାଥମିକତା ଦେଉଥିବା ଖେଳାଳିଙ୍କୁ ସେମାନେ ଖେଳୁଥିବା ମ୍ୟାଚ୍‌ ଅନୁପାତରେ ଆର୍ଥିକ ପୁରସ୍କାର ଦେବାକୁ ବିସିସିଆଇ ଯେଉଁ ନିଷ୍ପତ୍ତି ନେଇଛି, ତାହା ପ୍ରଶଂସନୀୟ। ହେଲେ ଟେଷ୍ଟ୍ କ୍ରିକେଟ୍‌କୁ ଖେଳାଳି ଯୋଗାଉଥିବା ‘ରଣଜୀ ଟ୍ରଫି’ର ମଧ୍ୟ ସମାନ୍ତରାଳ ଭାବେ ଯତ୍ନ ନେବାକୁ ମୁଁ ବିସିସିଆଇକୁ ଅନୁରୋଧ କରୁଛି। ଯଦି ପାଉଣା ୨ରୁ ୩ଗୁଣା ବଢ଼ାଇ ଦିଆଯାଏ, ତେବେ ରଣଜୀ ଟ୍ରଫି ଖେଳୁଥିବା‌ ଖେଳାଳିଙ୍କ ସଂଖ୍ୟା ନିଶ୍ଚିତ ଭାବେ ବଢ଼ିବ। ଖେଳାଳି ଓହରିବା ସମସ୍ୟା ମଧ୍ୟ ଅନେକାଂଶରେ ଦୂର ହୋଇଯିବ। ମ୍ୟାଚ୍ ଅନୁସାରେ ପାଉଣା ମିଳିଲେ, ଖେଳାଳିମାନେ ବି ଅଧିକରୁ ଅଧିକ ମ୍ୟାଚ୍ ଖେଳିବାକୁ ଉତ୍ସାହିତ ହେବେ। ଏହି ଦିଗକୁ ଗୁରୁତ୍ବର ସହ ବିଚାର କରିବାକୁ ମୁଁ ବିସିସିଆଇକୁ ଆହ୍ବାନ କରୁଛି। କାରଣ ଏମିତି ଖୁବ୍‌ କମ୍ ଖେଳାଳି ଅଛନ୍ତି, ଯେଉଁମାନେ ଘରୋଇ କ୍ରିକେଟ୍ ନ ଖେଳି ଜାତୀୟ ଦଳକୁ ଆସିଛନ୍ତି। ଘରୋଇ କ୍ରିକେଟ୍‌ ହେଉଛି ସବୁ ଖେଳାଳିଙ୍କ ପାଇଁ ମୂଳଦୁଆ ସଦୃଶ। ଦିନିକିଆ, ଟ୍ବେଣ୍ଟି-୨୦ କିମ୍ବା ଟେଷ୍ଟ୍‌‌ ହେଉ, ମୂଳଦୁଆ ଶକ୍ତିଶାଳୀ ନହେଲେ ଭାରତୀୟ ଦଳରୁ ଖେଳିବା ସଂପୂର୍ଣ୍ଣ ଅସମ୍ଭବ।

Advertisment

ଟେଷ୍ଟ୍ ଭଳି ପ୍ରୋତ୍ସାହନ ରାଶି ଦେବାକୁ ପରାମର୍ଶ
ମ୍ୟାଚ୍‌ ପାଉଣା ୨/୩ ଗୁଣ ବଢ଼ାଇବାକୁ ଅନୁରୋଧ
ସୂଚୀ ପରିବର୍ତ୍ତନ ନେଇ ଶାର୍ଦୁଳଙ୍କୁ ଦୃଢ଼ ସମର୍ଥନ
କହିଲେ ଅକ୍ଟୋବରରୁ ଡିସେମ୍ବର ମଧ୍ୟଭାଗ ଶ୍ରେଷ୍ଠ ସମୟ

ଏକଥା ସବୁ ଖେଳାଳି ମନେ ରଖିବା ଉଚିତ। ଏହି ଅବସରରେ ଗାଭାସ୍କର ମଧ୍ୟ ଦୁଇ ମାସରୁ ଅଧିକ ସମୟ ଧରି ଖେଳାଯାଉଥିବା ରଣଜୀ ଟ୍ରଫି ସୂଚୀରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ଦୁଇଟି ମ୍ୟାଚ୍ ମଧ୍ୟରେ ରହୁଥିବା ମାତ୍ର ୩ଦିନର ବ୍ୟବଧାନ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ମୁମ୍ବାଇ ଅଲରାଉଣ୍ଡର୍ ଶାର୍ଦୁଳ ଠାକୁର ଓ ତାମିଲନାଡ଼ୁ ଅଧିନାୟକ ସାଇ କିଶୋର ମଧ୍ୟ ରଣଜୀ ଟ୍ରଫିର ସୂଚୀକୁ ନେଇ ଆପତ୍ତି ଉଠାଇ ସାରିଛନ୍ତି। ସେମାନଙ୍କୁ ସମର୍ଥନ କରିବାକୁ ଗାଭାସ୍କର ମତ ଦେଇଛନ୍ତି, ବିସିସିଆଇକୁ ଏଥିରେ ବ୍ୟାପକ ଅଦଳ ବଦଳ କରିବାକୁ ହେବ। ୩ଦିନର ବିଶ୍ରାମ ଦିବସ ଆଦୌ ଯଥେଷ୍ଟ ନୁହେଁ। ଏହା ଦ୍ବାରା ଖେଳାଳିଙ୍କୁ ଆଘାତ ଜନିତ ସମସ୍ୟାରୁ ମୁକୁଳିବାକୁ ସମୟ ମିଳେନି। ସେମାନଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇଥାଏ। ଏହି ସମସ୍ୟାକୁ ଦୂର କରିବାକୁ ହେଲେ ମ୍ୟାଚ୍ ବ୍ୟବଧାନକୁ ବଢ଼ାଇବାକୁ ପଡ଼ିବ। ସେହିଭଳି ରଣଜୀ ଟ୍ରଫିକୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଆୟୋଜନ କରି ତା ପରେ ସୀମିତ ଓଭର କ୍ରିକେଟ୍ ଖେଳିବା ଠିକ୍ ହେବ। ଏହା ହେଲେ ଭାରତୀୟ ଦଳରୁ ଖେଳୁଥିବା ଖେଳାଳିଙ୍କ ଛଡ଼ା ଅନ୍ୟ ସମସ୍ତେ ରଣଜୀ ଖେଳିବାକୁ ଉପଲବ୍ଧ ହେବେ। ଓହରିବାର ଆଉ କୌଣସି ବାହାନା ବି ମିଳିବନି। ଜାନୁଆରିରେ ଘରୋଇ ଦିନିକିଆ କ୍ରିକେଟ୍ ଆରମ୍ଭ ହେବା ପୂର୍ବରୁ ଆଇପିଏଲ୍ ଖେଳି ଖେଳାଳିମାନେ ଏଥିଲାଗି ପ୍ରସ୍ତୁତି ବି କରିପାରିବେ। ଏହି ଅବସରରେ ଟେଷ୍ଟ୍ କ୍ରିକେଟ୍‌ର ଭବିଷ୍ୟତ ନେଇ ସୃଷ୍ଟି ହେଉଥିବା ସନ୍ଦେହ ଅମୂଳକ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସେ।

‘‘ଟେଷ୍ଟ୍ କ୍ରିକେଟ୍ କୁଆଡ଼େ ଯିବାର ନାହିଁ। ଏହା ରହିଛି ଓ ରହିବ। ହଁ, ଭବିଷ୍ୟତରେ ଆପଣ ସବୁ ଦଳ ଭିତରେ ୫ ମ୍ୟାଚ୍ ବିଶିଷ୍ଟ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ଦେଖି ନପାରନ୍ତି। କେବଳ ଦୁଇ, ତିନିଟି ଦଳ ଏଭଳି ଲମ୍ବା ଶୃଙ୍ଖଳା ଖେଳିପାରନ୍ତି। ଭବିଷ୍ୟତର ସମସ୍ତ ଗସ୍ତ ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ର ମିଶ୍ରଣ ହେବ ବୋଲି ଆପଣ କହିପାରନ୍ତି’’ ବୋଲି କହିଥିଲେ ଗାଭାସ୍କର।