ମୁମ୍ବାଇ: ଟ୍ବେଣ୍ଟି-୨୦ କ୍ରିକେଟ୍ରେ ବଲ୍ ଓ ବ୍ୟାଟ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲାଗି କିଂବଦନ୍ତି ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ଏକ ବିତର୍କିତ ପରାମର୍ଶ ଦେଇଛନ୍ତି। ଛକା, ଚୌକାର ବର୍ଷା ହେଉଥିବା ଫଟାଫଟ୍ କ୍ରିକେଟ୍ର ଗୋଟିଏ ଓଭରରେ ଦୁଇଟି ବାଉନ୍ସର ପକାଇବାର ଅନୁମତି ବୋଲରଙ୍କୁ ଦେବାକୁ ସେ ଦାବି କରିଛନ୍ତି। ଛୋଟ ସୀମା ରେଖା ଓ ସମତଳ ପିଚ୍ ପାଇଁ ବୋଲରମାନେ ଅନେକ ସମୟରେ ଅସହାୟତା ଅନୁଭବ କରୁଛନ୍ତି। ଏଣୁ ଗୋଟିଏ ପରିବର୍ତ୍ତେ ଦୁଇଟି ବାଉନ୍ସର ପକାଇବାର ଅନୁମତି ମିଳିଲେ, ସେମାନଙ୍କ ପାଖରେ ମଧ୍ୟ ବ୍ୟାଟର୍ଙ୍କୁ ଘାଇଲା କରିବା ଲାଗି ଅଧିକ ବିକଳ୍ପ ରହିବ ବୋଲି ଗାଭାସ୍କର ମତ ଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ କ୍ରିକେଟ୍ ଏବେ ବ୍ୟାଟ୍ସମ୍ୟାନଙ୍କ ଆଡ଼କୁ ସଂପୂର୍ଣ୍ଣ ଢଳିକି ରହିଛି। ଏଣୁ ବୋଲରଙ୍କୁ ଗୋଟିଏ ଓଭରରେ ଦୁଇଟି ବାଉନ୍ସର ଦିଆଯାଉ। ଅଧିକାରୀମାନେ ଚାହିଁଲେ ସୀମା ରେଖାକୁ ମଧ୍ୟ ବଡ଼ କରିପାରିବେ। ସେହିଭଳି ନିଜ ପ୍ରଥମ ତିନି ଓଭରରେ ଅନ୍ୟୁନ ଗୋଟିଏ ୱିକେଟ୍ ନେଉଥିବା ବୋଲରଙ୍କୁ ଏକ ଅତିରିକ୍ତ ଓଭର ବୋଲିଂ କରିବାର ଅନୁମତି ମିଳୁ। ନନ୍ଷ୍ଟ୍ରାଇକରମାନେ ବଲ୍ ପଡ଼ିବା ପୂର୍ବରୁ ଆଗକୁ ଚାଲି ଯାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାର ଅଧିକାର ତୃତୀୟ ଅମ୍ପାୟାରଙ୍କୁ ମିଳୁ। ନନ୍ଷ୍ଟ୍ରାଇକର ଯଦି ବଲ୍ ପଡ଼ିବା ପୂର୍ବରୁ ଆଗକୁ ଚାଲି ଯାଉଛନ୍ତି, ତାହାଲେ ଏଭଳି ସ୍ଥିତିରେ ପେନାଲ୍ଟି ରନ୍ ଦେବାର ଅଧିକାର ତୃତୀୟ ଅମ୍ପାୟାରଙ୍କୁ ମିଳୁ। ଗାଭାସ୍କର ଏହା କରି ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ସମର୍ଥନ କରିଛନ୍ତି। ଅଶ୍ବିନ ମଧ୍ୟ ନନ୍ଷ୍ଟ୍ରାଇକର ବଲ୍ ପଡ଼ିବା ପୂର୍ବରୁ ଆଗକୁ ଚାଲିଗଲେ ପେନାଲ୍ଟି ରନ୍ ଦେବାକୁ ଦାବି କରି ଆସୁଛନ୍ତି। ଏଭଳି ସ୍ଥିତିରେ ବୋଲରଙ୍କୁ ଏକ ଫ୍ରି ବଲ୍ ଦେବାକୁ ମଧ୍ୟ ଅଶ୍ବିନ ପରାମର୍ଶ ଦେଇଛନ୍ତି।
‘ମଙ୍କଡ଼ିଂ’ ଶବ୍ଦକୁ ବିରୋଧ
ଆଇପିଏଲ୍ର ଗତ ଋତୁ ଭଳି ଚଳିତ ଋତୁରେ ବି ‘ମଙ୍କଡ଼ିଂ’ ଅନ୍ୟତମ ମୁଖ୍ୟ ଚର୍ଚାର ବିଷୟ ହୋଇଛି। ହେଲେ ଏହି ‘ମଙ୍କଡ଼ିଂ’ ଶବ୍ଦକୁ ହିଁ ଗାଭାସ୍କର ତୀବ୍ର ବିରୋଧ କରିଛନ୍ତି। ‘‘ଏହା ଭାରତୀୟ କିବଂଦନ୍ତି କ୍ରିକେଟର ଭିନୁ ମଙ୍କଡ଼ଙ୍କ ପ୍ରତି ଅପମାନ। ମଙ୍କଡ଼ିଂ ପରିବର୍ତ୍ତେ ନନ୍ଷ୍ଟ୍ରାଇକରଙ୍କୁ ଯଦି ବଲ୍ ପଡ଼ିବା ପୂର୍ବରୁ କୌଣସି ବୋଲର ରନ୍ ଆଉଟ୍ କରନ୍ତି, ତାହାଲେ ଏହାକୁ ବ୍ରାଉନିଂ କୁହାଯାଉ ବୋଲି ସେ ଦାବି କରିଛନ୍ତି। କାରଣ ୧୯୪୭-୪୮ ମସିହାରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଲା ବେଳେ ମଙ୍କଡ଼ କୌଣସି ଦୋଷ କରିନଥିଲେ ବରଂ ଅଷ୍ଟ୍ରେଲିଆର ବିଲ୍ ବ୍ରାଉନ୍ ଦୋଷ କରିଥିଲେ। ଏପରିକି ମଙ୍କଡ଼ଙ୍କ ସେହି ରନ୍ଆଉଟ୍ ସଂପୂର୍ଣ୍ଣ କ୍ରିକେଟ୍ ନିୟମର ପରିସରଭୁକ୍ତ ଥିଲା ବୋଲି ଏକଦା ସାର୍ ଡନ୍ ବ୍ରାଡ୍ମ୍ୟାନ୍ କହିଥିଲେ। ମୁଁ ଏହି ଶବ୍ଦକୁ ଆଦୌ ପସନ୍ଦ କରେନି, ଯଦି କ୍ରିକେଟ୍ ନିୟମରେ ଏଭଳି ଆଉଟକୁ ଅନୁମତି ଅଛି, ତାହାଲେ ଏହାକୁ ଅଣ ଖେଳୁଆଡ଼ କହି କାହିଁକି ଆମ ଦେଶର ଜଣେ ମହାନ ଖେଳାଳିଙ୍କୁ ବଦନାମ କରାଯାଉଛି’’ ବୋଲି ଗାଭାସ୍କର ମତ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୧୯୪୭-୪୮ ମସିହରେ ଭାରତୀୟ କ୍ରିକେଟ୍ ଦଳର ଅଷ୍ଟ୍ରେଲିଆ ଗସ୍ତରେ ଭିନୁ ମଙ୍କଡ଼ ଥରେ ନୁହଁ ଦୁଇଥର ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ଚାଲିଯାଉଥିବାରୁ ବ୍ରାଉନଙ୍କୁ ନନ୍ଷ୍ଟ୍ରାଇକର ପଟରେ ରନ୍ ଆଉଟ୍ କରି ଦେଇଥିଲେ। କ୍ରିକେଟ୍ ନିୟମରେ ଏଭଳି ଅଉଟ୍କୁ ଅନୁମତି ଥିଲେ ମଧ୍ୟ କିଛି ଅଷ୍ଟ୍ରେଲୀୟ ସାମ୍ବାଦିକ ଏହାକୁ ମଙ୍କଡ଼ଙ୍କ ନାଁ ଅନୁସାରେ ମଙ୍କଡ଼ିଂର ଆଖ୍ୟା ଦେଇଥିଲେ। ସେବେଠାରୁ ଏଭଳି ଆଉଟକୁ ମଙ୍କଡ଼ିଂ କୁହାଯାଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/gavaskar-1.jpg)