ଗାଭାସ୍କରଙ୍କ ଭାରତ-ପାକିସ୍ତାନ ଏକାଦଶ: ହନିଫ୍‌-ସେହବାଗ ଓପନର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ସୁନିଲ ଗାଭାସ୍କର ନିଜ ପସନ୍ଦରେ ଏକ ଭାରତ-ପାକିସ୍ତାନ ଏକାଦଶ ଗଠନ କରିଛନ୍ତି। ଯେଉଁଥିରେ ଗାଭାସ୍କର ସ୍ବୀକାର କରିଛନ୍ତି ଏହା ଶ୍ରେଷ୍ଠ ଏକାଦଶ ହୋଇନପାରନ୍ତି କିନ୍ତୁ ମୁଁ ଏମାନଙ୍କୁ ଏକାଠି ଖେଳିବାର ଦେଖିବାକୁ ଭଲ ପାଏ। ଏହି ଏକାଦଶ ଦଳରେ ପାକିସ୍ତାନର କିଂବଦନ୍ତି ବ୍ୟାଟ୍‌ସମ୍ୟାନ୍‌ ହନିଫ୍‌ ମହମ୍ମଦ ଏବଂ ‌ବୀରେନ୍ଦ୍ର ସେହବାଗଙ୍କୁ ଗାଭାସ୍କର ପ୍ରାରମ୍ଭିକ ଯୋଡ଼ି ଭାବେ ବାଛିଛନ୍ତି। ସୋନି ଟିଭିର ଏକ ସୋ’ରେ ପୂର୍ବତନ ପାକିସ୍ତାନ ଅଧିନାୟକ ରମିଜ ରାଜାଙ୍କ ସହ ଆଲୋଚନା ବେଳେ ଗାଭାସ୍କର ଏହି ଏକାଦଶ ବାଛିଛନ୍ତି। ଏହି ଦଳ ଏକାଠି ଖେଳନ୍ତୁ ନ ଖେଳନ୍ତୁ କିନ୍ତୁ ମୁଁ ସେମାନଙ୍କୁ ଡ୍ରେସିଂ ରୁମ୍‌ରେ ଏକତ୍ର ଦେଖିବାକୁ ପସନ୍ଦ କରିବି।

ପ୍ରାରମ୍ଭିକ ଯୋଡ଼ି ସେହବାଗ-ହନିଫ୍‌ ମହମ୍ମଦଙ୍କୁ ସନ୍ନି ଯଥାର୍ଥରେ ବାଛିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳିଙ୍କ ବାଦ୍‌ ପ୍ରଥମ ବ୍ୟାଟ୍‌ସମ୍ୟାନ୍ ଭାବେ ହନିଫ୍‌ ମହମ୍ମଦ ଟେଷ୍ଟ୍ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିଥିଲେ। ବାସ୍ତବରେ ହନିଫଙ୍କୁ ହିଁ ପ୍ରଥମେ ଲିଟିଲ୍ ମାଷ୍ଟର୍‌ ଆଖ୍ୟା ଦିଆଯାଇଥିଲା। ପରେ ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ଏହି ଉପାଧିରେ ପରିଚିତ ଥିଲେ। ଗାଭାସ୍କରଙ୍କ ମନୋନୀତ ଦଳରେ ଅନ୍ୟତମ ମହାନ ଜାହିର୍‌ ଆବାସ ଏବଂ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ବ୍ୟାଟିଂ କ୍ରମରେ ରହିଛନ୍ତି। ଅନ୍ୟ ୩ ଭାରତୀୟ ଗୁଣ୍ଡାପ୍ପା ବିଶ୍ବନାଥ, କପିଳ ଦେବ ଏବଂ ୱିକେଟରକ୍ଷକ ଭାବେ ସୟଦ କିର୍ମାନି ସ୍ଥାନ ପାଇଛନ୍ତି। ଇମ୍ରାନ୍‌ ଖାନ୍‌, ୱାସିମ୍ ଆକ୍ରମ, ଅବଦୁଲ କାଦିର, ପୂର୍ବତନ ଭାରତୀୟ ଲେଗ୍‌ସ୍ପିନର୍‌ ବିଏସ୍ ଚନ୍ଦ୍ର ଶେଖରଙ୍କୁ ନେଇ ଚୂଡାନ୍ତ ଏକାଦଶ ଗଠିତ ହୋଇଛି। ଗାଭାସ୍କରଙ୍କ ଭାରତ-ପାକିସ୍ତାନ ଏକାଦଶ: ହନିଫ୍ ମହମ୍ମଦ, ବୀରେନ୍ଦ୍ର ସେହବାଗ, ଜାହିର୍ ଆବାସ, ସଚିନ ତେନ୍ଦୁଲକର, ଗୁଣ୍ଡାପ୍ପା ବିଶ୍ବନାଥ, କପିଳ ଦେବ, ଇମ୍ରାନ୍ ଖାନ୍‌, ସୟଦ କିର୍ମାନି, ୱାସିମ୍ ଆକ୍ରମ, ଅବଦୁଲ କାଦିର, ବିଏସ୍‌ ଚନ୍ଦ୍ରଶେଖର।

ସମ୍ବନ୍ଧିତ ଖବର