ଶତକରେ ସନ୍ୟାସ, ଲିଷ୍ଟ-ଏ’ରୁ ଗେଲ୍‌ଙ୍କ ଅବସର

କିଙ୍ଗଷ୍ଟନ: ଲିଷ୍ଟ ଏ’ କ୍ରି‌େକଟ୍‌ରୁ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ରବିବାର ସନ୍ୟାସ ନେଇଛନ୍ତି। ନିଜ ଶେଷ ମ୍ୟାଚ୍‌ରେ କିନ୍ତୁ ସେ ଧମାକାଦାର ଶତକ ଅର୍ଜନ କରିଛନ୍ତି। କିଙ୍ଗଷ୍ଟନ୍ ଓଭାଲଠାରେ ଖେଳା ଯାଇଥିବା ବାର୍ବାଡସ୍ ବିପକ୍ଷ ଆଞ୍ଚଳିକ ସୁପର-୫୦ ମ୍ୟାଚ୍ ତାଙ୍କର ଶେଷ ଘରୋଇ ୫୦ ଓଭରିଆ ମ୍ୟାଚ୍ ହେବ ବୋଲି ଗେଲ୍ ପୂର୍ବରୁ ଘୋଷଣା କରିସାରିଥିଲେ। ସେଥିପାଇଁ ସାଥୀ ଖେଳାଳିଙ୍କ ସହ ପ୍ରତିପକ୍ଷ ଦଳ ମଧ୍ୟ ତାଙ୍କୁ ଆଜି ଗାର୍ଡ ଅଫ୍ ଅନର ବା ସାମରିକ ସମ୍ମାନ ପ୍ରଦାନ କରିଥିଲା। ଗେଲ୍ ପଡ଼ିଆକୁ ପ୍ରବେଶ କଲା ବେଳେ ଉଭୟ ଦଳର ଖେଳାଳିମାନେ ଧାଡ଼ି‌େର ଠିଆ ହୋଇ ତାଙ୍କୁ ସ୍ବାଗତ କରିଥିଲେ। ୫୦ ଓଭରିଆ ମ୍ୟାଚ୍‌ ଛାଡ଼ିଥିଲେ ମଧ୍ୟ ଜାମାଇକା ପାଇଁ ସେ ୪ ଦିନିଆ କ୍ରିକେଟ୍ ଖେଳିବା ଜାରି ରଖିବେ ବୋଲି ମ୍ୟାଚ୍ ପରେ ଗେଲ୍ କହିଥିଲେ। ଗେଲ୍‌ଙ୍କ ଅବସରକୁ ସମ୍ମାନ ଜଣାଇ ଜାମାଇକା ଦଳ ତାଙ୍କୁ ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ନିକିତା ମିଲରଙ୍କ ବଦଳରେ ଅଧିନାୟକ ନିଯୁକ୍ତ କରିଥିଲା। ଗେଲ୍ ପାଳି ଆରମ୍ଭ କରି ୧୧୪ ବଲ୍‌ରୁ ୧୨୨ ରନ୍‌ର ଦ୍ରୁତ ପାଳି ଖେଳିଥିଲେ। ସେଥିମଧ୍ୟରେ ଥିଲା ୧୦ ଚୌକା ଓ ୮ ଛକା। ତାଙ୍କ ଶତକ ବଳରେ ଜାମାଇକା ୨୨୬ ରନ୍ କରିଥିଲା। ଏହାର ଜବାବରେ ବାର୍ବାଡସ୍ ୧୯୩ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ଗେଲ୍ ନିଜ ଶେଷ ଲିଷ୍ଟ-ଏ ମ୍ୟାଚ୍‌ରେ ବିଜୟ ଉପହାର ପାଇଥି‌ଲେ।

ସମ୍ବନ୍ଧିତ ଖବର