ବର୍ଣ୍ଣବୈଷମ୍ୟ ବିରୋଧରେ ଗର୍ଜିଲେ ଗେଲ୍, ସାମି

ମୁଁ ବି ଭେଦଭାବର ଶିକାର ହୋଇଛି: ଡୋଡା ଗଣେଶ

ବାର୍ବାଡସ୍ : ପୁଲିସ ମାଡ଼ରେ ଆମେରିକାର ୪୬ ବର୍ଷୀୟ ନାଗରିକ ଜର୍ଜ ଫ୍ଲଏଡ୍‌ ଅକାଳରେ ମୃତ୍ୟୁ ବରଣ କରିବା ଉପରେ ସମଗ୍ର ବିଶ୍ବରେ କୃଷ୍ଣକାୟମାନେ ସମ୍ମୁଖୀନ ହେଉଥିବା ବୈର୍ଣ୍ଣବୈଷମ୍ୟ ଓ ଜାତିଆଣ ଭେଦଭାବ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ୱେଷ୍ଟଇଣ୍ଡିର ଦୁଇ ଚର୍ଚିତ କ୍ରିକେଟର୍‌ ଡାରେନ ସାମି ଓ କ୍ରିସ୍ ଗେଲ୍। ସାଧାରଣ ଜୀବନ ସହ କୃଷ୍ଣକାୟ ଖେଳାଳିମାନେ ‌ନିଜ ଖେଳ ଜୀବନରେ ମଧ୍ୟ ଭେଦଭାବର ଶିକାର ହେଉଛନ୍ତି। ଏହି କୁତ୍ସିତ କାର୍ଯ୍ୟ କେବଳ ଫୁଟବଲ୍ ନୁ‌ହେଁ କ୍ରିକେଟ୍ ଭଳି ଖେଳରେ ମଧ୍ୟ ପ୍ରଚଳିତ ଅଛି ବୋଲି ଗେଲ୍ ଓ ସାମି ଅଭିଯୋଗ କରିଛନ୍ତି। ଏଥିନେଇ ଚୁପ୍ ନରହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଯାଇଛି ବୋଲି ଉଭୟ ଆଇସିସିକୁ ଆହ୍ବାନ କରିଛନ୍ତି। ସେହିଭଳି କ୍ରିକେଟର ଓ କ୍ରିକେଟ୍ ଜଗତ ମଧ୍ୟ ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଉଭୟ ଅନୁରୋଧ କରିଛନ୍ତି। ଏଥିନେଇ ସାମି ଏକାଧିକ ଟ୍ବିଟ୍ କରିଥିଲେ। ସେ ଲେଖିଥିଲେ ଯେ ଭିଡିଓ (ଫ୍ଲଏଡଙ୍କୁ ପୁଲିସ୍ ମାଡ଼ି ବସିଥିବାର) ଦେଖିବା ପରେ ଯଦି କ୍ରିକେଟ୍ ଜଗତ ଏହି ଅନ୍ୟାୟ ବିରୋଧରେ ଛିଡ଼ା ହଉନି, ତାହାଲେ ମୋ ଭାଇ ଆପଣ ବି ସେହି ସମସ୍ୟା ସହ ସଂପୃକ୍ତ ଅଛନ୍ତି। ଆଉ ଏକ ଟ୍ବିଟ୍‌ରେ ସାମି ଲେଖିଛନ୍ତି ଯେ ଆଇସିସି ଓ ଅନ୍ୟ କ୍ରିକେଟ୍ ବୋର୍ଡମାନେ, ଆପଣ କ’ଣ ଦେଖି ପାରୁ ନାହାନ୍ତି, ମୋ ଭଳି ଲୋକଙ୍କ ଉପରେ କିଭଳି ଅତ୍ୟାଚାର ହେଉଛି। ଏହି ସାମାଜିକ ଅନ୍ୟାୟ ବିରୋଧରେ କ’ଣ ଆପଣମାନେ କିଛି କହିବେନି? ଏହା କେବଳ ଆମେରିକା କଥା ନୁହେଁ, ଏହା ପ୍ରତ୍ୟେକ ଦିନ ଘଟୁଛି। ଏବେ ଚୁପ୍ ରହିବାର ସମୟ ନୁହେଁ। ମୁଁ ଆପଣଙ୍କୁ ଶୁଣିବାକୁ ଚାହେଁ। ଗେଲ୍ ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ଆମେରିକା ପୁଲିସର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

ମୁଁ ବି ଭେଦଭାବର ଶିକାର ହୋଇଛି: ଡୋଡା ଗଣେଶ
ନିଜ ଖେଳ ଜୀବନରେ ଅନେକ ଥର ଜାଣିଆଣ ମନ୍ତବ୍ୟ ଓ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଭାରତୀୟ କ୍ରିକେଟର୍‌ ଡୋଡା ଗଣେଶ ବୁଧବାର କହିଛନ୍ତି। ଭାରତ ପକ୍ଷରୁ ୪ ଟେଷ୍ଟ୍ ଓ ଗୋଟିଏ ଦିନିକିଆ ଖେଳିଥିବା କର୍ଣ୍ଣାଟକୀ କ୍ରିକେଟର ଗଣେଶଙ୍କ ପୂର୍ବରୁ ତାମିଲନାଡୁର ଅନ୍ତର୍ଜାତୀୟ କ୍ରିକେଟର୍‌ ଅଭିନବ ମୁକୁନ୍ଦ ମଧ୍ୟ ସମାନ ଅଭିଯୋଗ ଆଣି ସାରିଛନ୍ତି। ଦୁଇ ବର୍ଷ ପୂର୍ବେ ମୁଁ ନିୟମିତ ଭାବେ ଅପମାନିତ ହେଉଥିଲି। ମୋ ଜାତି ଓ ବର୍ଣ୍ଣକୁ ନେଇ ନାନା କଥା କୁହାଯାଉଥିଲା ବୋଲି ମୁକୁନ୍ଦ ପ୍ରକାଶ କରିଥିଲେ। ତାଙ୍କ କରୁଣ କାହାଣୀ ଉପରେ ମତ ପ୍ରକାଶ କରିବାକୁ ଯାଇ ୧୦୦ରୁ ଅଧିକ ରଣଜୀ ମ୍ୟାଚ୍ ଖେଳିଥିବା ଗଣେଶ କହିଛନ୍ତି ଯେ ଅଭିନବ ମୁକୁନ୍ଦ ମୋତେ ମୋ ଖେଳ ବେଳରେ ସମ୍ମୁଖୀନ ହୋଇଥିବା ବର୍ଣ୍ଣବୈଷମ୍ୟକୁ ମନେ ପକାଇ ଦେଇଛି। ଜଣେ ଭାରତୀୟ କିଂବଦନ୍ତି ମଧ୍ୟ ଏହାର ସାକ୍ଷୀ ଥିଲେ। ତେବେ ଏହା ମୋର ଆତ୍ମବିଶ୍ବାସକୁ ଆହୁରି ସୁଦୃଢ଼ କରିଥିଲା। ସେ‌ତେବେଳେ ଏହା ଜାତିଆଣ ଭେଦଭାବ ବୋଲି ମୁଁ ବୁଝି ପାରୁ ନଥିଲି। ଆଶାକରୁଛି ଭାରତୀୟମାନେ ଭବିଷ୍ୟତରେ ଏଭଳି ସମସ୍ୟାର ସମ୍ମୁଖୀନ ହେ‌ବେନି।

ସମ୍ବନ୍ଧିତ ଖବର