ମୋ ପାଇଁ ଗେଲ୍‌ ‘ସର୍ବୋତ୍ତମ ଟି-୨୦’ ଖେଳାଳି: ପୂରନ

ଦୁବାଇ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ଗୁରୁବାର ମ୍ୟାଚ୍‌ରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରିଥିଲେ ଏବଂ ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା କ୍ରିସ ଗେଲ୍‌ ମଧ୍ୟ ଅର୍ଧଶତକ ହାସଲ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଗେଲ୍‌ ଓ ରାହୁଲ ମ୍ୟାଚ୍‌କୁ ଶେ‌ଷ ବଲ୍‌ ପର୍ଯ୍ୟନ୍ତ ନେଇଥିଲା ବେଳେ ପୂରନ ଛକା ମାରି ମୁଣ୍ଡି ମାରିଥିଲେ। ମ୍ୟାଚ୍‌ ପରେ କିନ୍ତୁ ପୂରନ ନିଜ ଦେଶର ସାଥୀ ଖେଳାଳି ଗେଲ୍‌ଙ୍କୁ ପ୍ରଶଂସା କରିବାକୁ ଭୁଲି ନଥିଲେ।

‘‘ମୋ ପାଇଁ ଗେଲ୍‌ ହେଉଛନ୍ତି ସର୍ବୋତ୍ତମ ଟି-୨୦ ଖେଳାଳି। କ୍ରିସ ବ୍ୟାଟିଂ କରୁଥିଲା ବେଳେ ଦଳର ବିଜୟ ସୁଯୋଗ ରହିଥାଏ। ସେ ‌ପିଚ୍‌ରେ ଥିଲା ବେଳେ ନିଶ୍ଚିତ ଡ୍ରେସିଂ ରୁମ୍‌ର ମାହୋଲ ଅଲଗା ଥାଏ। ବହୁ ଦିନ ହେବ ସେ କ୍ରିକେଟ୍‌ ଖେଳିନଥିବାରୁ ଆରମ୍ଭରୁ ଧିମା ଖେଳିଥିଲେ। ହେଲେ ପରେ ବଡ଼ ସଟ୍‌ ଖେଳି ଟି-୨୦ କ୍ରିକେଟର୍‌ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ରମାଣିତ କରିଦେଲେ’’ ବୋଲି ପୂରନ କହିଛନ୍ତି। ଯେତେବେଳେ ଶେଷ ଓଭର ଆରମ୍ଭ ହେଲା ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଶେଷ ୩ ବଲ୍‌ ୧ ରନ୍‌ର କଥା ମନେପକାଇ ଦେଲା। ଗେଲ୍‌ ଆଉଟ୍‌ ପରେ ବ୍ୟାଟିଂକୁ ଗଲାବେଳେ ମୋ ମନରେ ବହୁ କଥା ଆସୁଥାଏ। ମୁଁ ଶେଷ କରିପାରିବି କି ନାହିଁ ଏହିପରି ବହୁ କଥା। କେବେ ଭାବି ନଥିଲି ଯେ ଏଭଳି ସମୟରେ ବ୍ୟାଟିଂ କରିବି। ଯାହା ବି ହେଉ ଶେଷ ବଲ୍‌ରେ ବ୍ୟାଟିଂ କଲି ଏବଂ ଦଳକୁ ଜିତାଇ ପାରିଲି ବୋଲି କହିଛନ୍ତି ‌ପୂରନ।

ସମ୍ବନ୍ଧିତ ଖବର