କ୍ରିସ୍ ଗେଲ୍‌ଙ୍କ ୪୧ତମ ଜନ୍ମ ଦିବସ

ଗେଲ୍‌ଙ୍କ ୧୦ ‘ଟ୍ବେଣ୍ଟି-୨୦’ କୀର୍ତ୍ତିମାନ

ଦୁବାଇ: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ସୋମବାର ତାଙ୍କ ୪୧ତମ ଜନ୍ମଦିବସ ପାଳନ କରିଛନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଆଇପିଏଲ୍ ଖେଳିବା ପାଇଁ ସଂପ୍ରତି ସେ ୟୁଏଇରେ ଅଛନ୍ତି। କୋଭିଡ୍-୧୯ କଟକଣା ଜନିତ ଜୈବ ସୁରକ୍ଷା ବଳୟ ଭିତରେ ରହୁଥିବାରୁ ରସିକିଆ ମିଜାଜ ପାଇଁ ପରିଚିତ ଗେଲ୍ ଚଳିତ ବର୍ଷ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରି ପାରି ନାହାନ୍ତି। ତେବେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ‌ ଛୁଟିଛି। ସୂଚନାଯୋଗ୍ୟ ଯେ ଗେଲ୍ ୧୯୭୯ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜାମାଇକାର କିଙ୍ଗଷ୍ଟନ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ସାରା ବିଶ୍ବରେ ନିଜ ଟ୍ବେଣ୍ଟି-୨୦ ଦକ୍ଷତାର ଯାଦୁ ଦେଖାଇବା ସହ ଗେଲ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୧୦୩ ଟେଷ୍ଟ୍, ୩୦୧ ଦିନିକିଆ ଓ ୫୮ ଟ୍ବେଣ୍ଟିରେ ପ୍ରତିନିଧିତ୍ବ କରିଛନ୍ତି। ମଙ୍ଗଳବାର ସୁଦ୍ଧା ସେ ମଧ୍ୟ ମୋଟ ୪୦୪ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସଂପ୍ରତି ଆଇପିଏଲ୍ ଋତୁ ଚାଲିଥିବାରୁ ଟ୍ବେଣ୍ଟି-୨୦ରେ ଗେଲ୍‌ କରିଥିବା ୧୦ଟି କୀର୍ତ୍ତିମାନ ଉପରେ ନଜର ପକାଇବା ଲାଗି ତାଙ୍କ ଜନ୍ମଦିନଠାରୁ ଭଲ ଓ ସ୍ମରଣୀୟ ଦିବସ ଆ‌ଉ କିଛି ହୋଇନପା‌ରେ।

ଗେଲ୍‌ଙ୍କ ୧୦ ‘ଟ୍ବେଣ୍ଟି-୨୦’ କୀର୍ତ୍ତିମାନ
।ସର୍ବାଧିକ ରନ୍ ସଂଗ୍ରହକାରୀ
ଦୁର୍ଦ୍ଧର୍ଷ ବ୍ୟାଟିଂ ପାଇଁ ପରିଚିତ ଗେଲ୍ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ସର୍ବାଧିକ ୧୩୨୯୬ (୩୯୬ ପାଳି) ରନ୍ କରିଛନ୍ତି। ସେଥିମଧ୍ୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୬.୯୪ ଥିଲା ବେଳେ ରନ୍ ସଂଗ୍ରହ ହାର ହେଉଛି ୩୮.୨୦
।୧୦,୦୦୦ ରନ୍ ପୂରଣରେ ପ୍ରଥମ କ୍ରିକେଟର୍‌
୨୦୧୭ ଏପ୍ରିଲ ୧୮ ତାରିଖରେ ଗେଲ୍ ଗୁଜରାଟ ଲାୟନ୍ସ ବିପକ୍ଷରେ ମାତ୍ର ୩୮ ବଲ୍‌ରୁ ୭୭ ରନ୍ କରିଥିଲେ। ଏହା କରି ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ୧୦,୦୦୦ ରନ୍ ପୂରଣ କରିବାରେ ସେ ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।
।ସର୍ବାଧିକ ଶତକ
ଗେଲ୍ ଟ୍ବେଣ୍ଟି-୨୦ରେ ସର୍ବାଧିକ ୨୨ ଶତକ ଅର୍ଜନ କରିଛନ୍ତି। ଏକମାତ୍ର ଖେଳାଳି ଭାବେ ସେ ୮ଟି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଶତକ ଅର୍ଜନ କରିଛନ୍ତି।
।ସର୍ବୋଚ୍ଚ ବ୍ୟାକ୍ତିଗତ ରନ୍
୨୦୧୩ ମସିହାରେ ପୁଣେ ୱାରିୟର୍ସ ବିପକ୍ଷରେ ଗେଲ୍ ମାତ୍ର ୬୬ ବଲ୍‌ରୁ ୧୭୫ ରନ୍ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହୋଇରହିଛି।
।ଦ୍ରୁତତମ ଶତକ
ପୁଣେ ୱାରିୟର୍ସ ବିପକ୍ଷ ଏହି ମ୍ୟାଚ୍‌ରେ ଗେଲ୍ ଆଇପିଏଲ୍‌ରେ ତ୍ରୁତତମ ଶତକ ହାସଲ କରିଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପ୍ରତିନିଧିତ୍ବ କରି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶତକ ହାସଲ କରିବା ଲାଗି ଗେଲ୍ ମାତ୍ର ୩୦ ବଲ୍ ନେଇଥିଲେ।
।ବାଉଣ୍ଡରିରେ ସର୍ବାଧିକ ପ୍ରତିଶତ ରନ୍
ଗେଲ୍ କରିଥିବା ଟ୍ବେଣ୍ଟି-୨୦ ରନ୍‌ର ପାଖାପାଖି ୭୪.୮ ପ୍ରତିଶତ ଛକା, ଚୌକାରୁ ହାସଲ କରିଛନ୍ତି। ସେଥିମଧ୍ୟରେ ରହିଛି ୭୬୯ ଚୌକା ଓ ୭୪୩ ଛକା।
।ଗୋଟିଏ ପାଳିରେ ସର୍ବାଧିକ ଛକା
ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ମଧ୍ୟ ଗେଲ୍‌ଙ୍କ ନାଁରେ ରହିଛି। ୨୦୧୭-୧୮ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଗୋଟିଏ ପାଳିରେ ୧୮ ଛକା ମାରିଥିଲେ।
।ଦ୍ରୁତତମ ଅର୍ଧଶତକ
ଟ୍ବେଣ୍ଟି-୨୦ରେ ଦ୍ରୁତତମ ଅର୍ଧଶତକ କୀର୍ତ୍ତିମାନ ଗେଲ୍, ଭାରତୀୟ ତାରକା ଯୁବରାଜ ସିଂହ ଏବଂ ଆଫଗାନିସ୍ତାନର ହଜମତୁଲ୍ଲା ଜଜାଇଙ୍କ ନାମରେ ରହିଛି। ଏହି ତିନି ଜଣ ମାତ୍ର ୧୨ ବଲ୍‌ରୁ ଅର୍ଧଶତକ ଅର୍ଜନ କରିବାର ଗୌରବ ହାସଲ କରିଛନ୍ତି।
।ବିଶ୍ବକପ୍‌ରେ ସର୍ବୋଚ୍ଚ ପ୍ରାରମ୍ଭିକ ଭାଗୀଦାରି
ଗେଲ୍ ଓ ଡେଭନ୍ ସ୍ମିଥ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ପାଳି ଆରମ୍ଭ କରି ୧୪୫ ରନ୍ ସଂଗ୍ରହ କରିଥିଲେ। କୌଣସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏହା ସର୍ବୋଚ୍ଚ ପ୍ରଥମ ୱିକେଟ୍ ଭାଗୀଦାରି ହୋଇ ରହିଛି।
।ପରାଜୟରେ ସର୍ବୋଚ୍ଚ ବ୍ୟାକ୍ତିଗତ ରନ୍
ଗେଲ୍ ମଧ୍ୟ ପରାଜୟରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହାସଲ କରିବାର ଆଲୋଡ଼ା କୀର୍ତ୍ତିମାନ କରିଛନ୍ତି। ଏହି ପାଳି ସେ ସମରସେଟ୍ ପକ୍ଷରୁ ୨୦୧୫ ମସିହାରେ ଖେଳିଥିଲେ। କେଣ୍ଟ ବିପକ୍ଷ ଏହି ମୁକାବିଲାରେ ଗେଲ୍ ୧୫୧ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତଥାପି ତାଙ୍କ ଦଳ ସମରସେଟ୍ ପରାଜୟର ସମ୍ମୁଖୀନ ହୋଇଥିଲା।

ସମ୍ବନ୍ଧିତ ଖବର