ଗେଲ୍‌ଙ୍କ ୧୦୦୦ ଛକା

ଆବୁଧା : ମିଷ୍ଟର ୟୁନିଭର୍ସ ତଥା ୟୁନିଭର୍ସ ବସ୍ ଭାବେ ପରିଚିତ ଛକା ମାଷ୍ଟର କ୍ରିସ୍ ଗେଲ୍‌ ଶୁକ୍ରବାର ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ସମସ୍ତ ପ୍ରକାର ଟି-୨୦ କ୍ରିକେଟରେ ୧୦୦୦ ଛକା ପୂର୍ଣ୍ଣ କରିବାରେ ସେ ବିଶ୍ବର ପ୍ରଥମ ଖେଳାଳି ହୋଇଛନ୍ତି। ଚଳିତ ଆଇପିଏଲ୍‌ ପୂର୍ବରୁ ଏହି ୪୧ ବର୍ଷୀୟ‌ ୱେଷ୍ଟଇଣ୍ଡିଆନ୍‌ ୯୭୮ ଛକା ମାରି ୟୁଏଇ ପହଞ୍ଚିଥିଲେ। ଶୁକ୍ରବାର ୬୩ ବଲ୍‌ରୁ ୯୯ ରନ୍ କରିବା ଅବସରରେ‌ ସେ ୮ ଛକା ଓ ୬ ଚୌକା ମାରିଥିଲେ। ଏଥି ସହ ମାତ୍ର ୬ ମ୍ୟାଚ୍‌ରୁ ୨୩ ଛକା ମାରି ଚଳିତ ସଂସ୍କରଣରେ ତୃତୀୟ ସ୍ଥାନରେ ରହିଛନ୍ତି। ସଂଜୁ ସାମସନ (୨୬) ଏବଂ ନିକୋଲାସ ପୂରନ (୨୫) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ମୋଟ ଉପରେ ଆଇପିଏଲ୍‌ରେ ଗେଲ୍‌ ୩୪୯ ଛକା ମାରିସାରିଛନ୍ତି। ଟି-୨-୦ କ୍ରିକେଟ୍‌ର ରେକର୍ଡ ବହିରେ ନିଜ ନାମକୁ ଏକାଧିକ ଥର ଲେଖିଥିବା ଗେଲଙ୍କ ନାମରେ ସର୍ବାଧିକ ରନ୍‌ (୧୩, ୫୭୨), ସର୍ବୋଚ୍ଚ ବ୍ୟକ୍ତିଗତ (୧୭୫), ଗୋଟିଏ ପାଳିରେ ସର୍ବାଧିକ ଛକା (୧୮), ଦ୍ରୁତତମ ଶତକ (୩୦ ବଲ୍‌) ଏବଂ ସର୍ବାଧିକ ଚୌକା (୧୦୪୧) କୀର୍ତ୍ତିମାନ ମଧ୍ୟ ରହିଛି। ମୋଟ ଛକା ୧୦୦୧ରେ ପହଞ୍ଚିଛି। ଶେଷ ଓଭରରେ ଗେଲ୍‌ (୯୯, ୬୩ ବଲ୍‌, ୬ ଚୌକା, ୮ ଛକା) ଜୋଫ୍ରା ଆର୍ଚରଙ୍କ ବଲରେ ବୋଲ୍ଡ ହୋଇ ମାତ୍ର ୧ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ନିରାଶାରେ ମଧ୍ୟ ବ୍ୟାଟ୍‌ ଫିଙ୍ଗି ଫେରିଥିଲେ। ‘୯୯ ରନ୍‌ରେ ଆଉଟ୍ ହେବା ଦୁର୍ଭାଗ୍ୟଜନକ, ଏଭଳି ଘଟେ, ତଥାପି ବଲ୍‌ଟି ଭଲ ଥିଲା ଏବଂ ମୁଁ ଭଲ ଅନୁଭବ ପାଇଛି’ ବୋଲି କହିଥିଲେ ଗେଲ୍‌।

ସମ୍ବନ୍ଧିତ ଖବର