ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ରିଙ୍ଗ୍ରେ ଆଲ୍ଜେରୀୟ ବକ୍ସର୍ ଇମେନ୍ ଖଲିଫ୍ଙ୍କୁ ନେଇ ଦେଖାଦେଇଥିବା ବିବାଦକୁ ଓଡ଼ିଶା ଅଲମ୍ପିଆନ୍ ଦୂତି ଚାନ୍ଦ ସମର୍ଥନ କରିଛନ୍ତି। ମୁଷ୍ଟିଯୁଦ୍ଧର ମହିଳା ୬୦ କେଜି ବର୍ଗରେ ଇମେନ୍ଙ୍କ ବିପକ୍ଷ ବାଉଟ୍ ବେଳେ ଇଟାଲିର ଆଞ୍ଜେଲା କାରିନି ମାତ୍ର ୪୬ ସେକେଣ୍ଡରେ ଓହରି ଯାଇଥିଲେ। ଇମେନ୍ଙ୍କ ଲିଙ୍ଗକୁ ନେଇ ଗତବର୍ଷଠୁ ବିବାଦ ଦେଖାଦେଇଥିଲା ବେଳେ ତାଙ୍କୁ ମହିଳା ବର୍ଗରେ କିପରି ଖେଳାଇବାକୁ ଅନୁମତି ଦିଆଗଲା ବୋଲି କାରିନି ପ୍ରଶ୍ନ କରିଛନ୍ତି। ଇମେନ୍ଙ୍କ ପଞ୍ଚ୍ ଏତେ ଶକ୍ତ ଥିଲା ଯେ କାରିନିଙ୍କୁ ବଡ଼ କ୍ଷତ ଦେଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କେତେକ ଇମେନ୍ଙ୍କୁ ‘ପୁରୁଷ’ କହୁଥିଲା ବେଳେ ଆଉ କେତେକ ‘ତୃତୀୟଲିଙ୍ଗୀ’ କହୁଛନ୍ତି। କିନ୍ତୁ ତାଙ୍କର ଅଲିମ୍ପିକ୍ସରେ ଅଂଶଗ୍ରହଣକୁ ଆନ୍ତର୍ଜାତିକ ଅଲିମ୍ପିକ୍ସ ସମିତି (ଆଇଓସି) ସମର୍ଥନ କରିଛି।
ଦୂତି ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଛନ୍ତି। ତାଙ୍କ ଶରୀରରେ ପ୍ରାକୃତିକ ଭାବେ ଟେଷ୍ଟୋଷ୍ଟେରନ୍ର ମାତ୍ରା ଅଧିକ ଥିବାରୁ ସେ ଆଇଓସିକୁ ଚ୍ୟାଲେଞ୍ଜ କରିଥିଲେ ଓ ବିଜୟୀ ହୋଇଥିଲେ। ତାଙ୍କ ମତରେ ହରମୋନ୍ର ସ୍ତର ଜଣେ କ୍ରୀଡ଼ାବିତ୍ର ପ୍ରଦର୍ଶନରେ ଉନ୍ନତି ଆଣିପାରିବ ନାହିଁ। ଆଇଓସି ନିୟମ ଅନୁସାରେ ଟେଷ୍ଟୋଷ୍ଟେରନ୍ ମାତ୍ରା ଅଧିକ ରହିଥିବାରୁ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଥିଲା। ବାରମ୍ବାର ଏଭଳି ହେବାରୁ ଲିଙ୍ଗକୁ ନେଇ ସେ ଅନେକ ବିବାଦର ସମ୍ମୁଖୀନ ହୋଇଥିଲେ। ଏବେ ପ୍ୟାରିସ୍ରେ ଆଲଜେରୀୟ ବକ୍ସରଙ୍କ ଟେଷ୍ଟୋଷ୍ଟେରନ୍ ମାତ୍ରାକୁ ନେଇ ଆଲୋଚନା କରାଯାଉଛି। କିନ୍ତୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପୂର୍ବରୁ ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥାଏ। ସମସ୍ତ ପରୀକ୍ଷାରେ ସେ ସଫଳ ହୋଇଥିବାରୁ ରିଙ୍ଗ୍ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତେଣୁ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିବାଦ କରା ନଯାଉ ବୋଲି ଦୂତି ଏକ ଜାତୀୟ ଗଣମାଧ୍ୟମ ଏଜେନ୍ସିକୁ ସାକ୍ଷାତକାର ବେଳେ କହିଛନ୍ତି।