୨୦୧୪ ମସିହାର ଫିଫା ବିଶ୍ୱକପ୍ ହୋଇଥିଲା ବ୍ରାଜିଲ୍ରେ ଜିତିଥିଲା ଜର୍ମାନି। ୧୯୫୦ ମସିହା ପରେ ପ୍ରଥମ ଥର ଆୟୋଜକ ସାଜିଥିଲା ବ୍ରାଜିଲ୍। ପଞ୍ଚମ ଥର ପାଇଁ ଏକ ଦକ୍ଷିଣ ଆମେରିକୀୟ ଦେଶରେ ସମ୍ପନ୍ନ ହୋଇଥିଲା ଏହି ୪ ବର୍ଷିଆ ଫୁଟ୍ବଲ୍ ମହୋତ୍ସବ। ଏହି ବିଂଶତମ ସଂସ୍କରଣ ଜୁନ ୧୨ରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ବ୍ରାଜିଲ୍ର ୧୨ ସହର ଓ ୧୨ ଷ୍ଟାଡିୟମ୍ରେ। ୫ ମହାଦେଶରୁ ଭାଗ ନେଇଥିଲେ ୩୨ ଦେଶ। ମୋଟ ୬୪ ମ୍ୟାଚ୍ରୁ ୨.୬୭ ହାରରେ ସ୍କୋର୍ ହୋଇଥିଲା ୧୭୧ ଗୋଲ୍। ବୋସନିଆ ଏବଂ ହର୍ଜନଗୋଭିନାସ୍ ପ୍ରଥମ ପଦାର୍ପଣ କରିଥିଲେ ଏହି ବିଶ୍ୱକପ୍ରେ। ପ୍ରଥମ ଥର ପାଇଁ ମଧ୍ୟ ଗୋଲଲାଇନ୍ ଟେକ୍ନୋଲଜି ବ୍ୟବହୃତ ହୋଇଥିଲା। ବିଶ୍ୱକପ୍ ଅବସରରେ ଫିଫାର ପ୍ରଶଂସକ ମହୋତ୍ସବରେ ମୋଟ ୫୦ ଲକ୍ଷ ଲୋକ ସମାିଲ ହେବା ଏବଂ ୨୦୨ ଦେଶରୁ ୧୦ ଲକ୍ଷ ଲୋକ ବ୍ରାଜିଲ୍ ବୁଲି ଆସିବା ସବୁଠାରୁ ଉଲ୍ଲେଖନୀୟ ବିଷୟ ଥିଲା।
୧୯୩୦ ମସିହାରୁ ବିଶ୍ୱକପ୍ ଜିତି ଆସିଥିବା ସମସ୍ତ ଦେଶ ଆର୍ଜେଣ୍ଟିନା, ବ୍ରାଜିଲ୍, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନି, ଇଟାଲି, ସ୍ପେନ୍ ଏବଂ ୟୁରୁଗୁଏ ଯୋଗ୍ୟତା ଅର୍ଜନ କରିବାର ବିରଳ ଅବସର ଆଣିଥିଲା ବ୍ରାଜିଲ୍ ସଂସ୍କରଣ। ବିଜେତା ସ୍ପେନ୍ ପ୍ରଥମ ରାଉଣ୍ଡରୁ ଏବଂ ଇଂଲଣ୍ଡ ଓ ଇଟାଲି ପ୍ରି-କ୍ୱାର୍ଟରରୁ ବିଦାୟ ନେବା ପ୍ରଶଂସକକୁ ନିରାଶ କରିଥିଲା। ଫ୍ରାନ୍ସ କ୍ୱାର୍ଟରଫାଇନାଲ୍ରୁ ବିଦା ହୋଇଥିବାବେଳେ ଆୟୋଜକ ବ୍ରାଜିଲ୍ ପୂର୍ବ ବର୍ଷ (୨୦୧୩) କନଫେଡେରେସନ୍ କପ୍ ଜିତିବା ସତ୍ତ୍ୱେ ସେମିଫାଇନାଲ୍ରେ ଜର୍ମାନି ନିକଟରୁ ୧-୭ ଗୋଲ୍ରେ ଶୋଚନୀୟ ପରାଜୟ ବରଣ କରି ଶେଷକୁ ଚତୁର୍ଥ ସ୍ଥାନରେ ସୀମିତ ରହିଥିଲା। ଫାଇନାଲ୍ରେ ଜର୍ମାନି ୧-୦ ଗୋଲ୍ରେ ଆର୍ଜେଣ୍ଟିନାକୁ ହରାଇ ଚତୁର୍ଥ ଥର ବିଶ୍ୱବିଜେତା ହୋଇଥିଲା। ଜର୍ମାନିର ଏକତ୍ରିକରଣ ପରଠାରୁ (୧୯୯୦) ପ୍ରଥମ ଥର ବିଶ୍ୱକପ୍ ହାସଲ କରିଥିଲା। ଏଥି ସହିତ ଜର୍ମାନି ମଧ୍ୟ ପ୍ରଥମ ୟୁରୋପୀୟ ଦେଶ ଭାବେ ଆମେରିକା ମାଟିରେ ବିଶ୍ୱକପ୍ ଜିତିବାର ବିରଳ ସଫଳତା ପାଇଥିଲା। ସେହିଭଳି ଗୋଟିଏ ମହାଦେଶରୁ ଏକ ଦେଶ ଲଗାତାର ୩ ଥର ଜୁଲ୍ସ ରିମେଟ୍ ଟ୍ରଫି ଜିତିବାର ହ୍ୟାଟ୍ରିକ୍ କୀର୍ତିମାନ ହୋଇଥିଲା। ୨୦୦୬ରେ ଇଟାଲି ଏବଂ ୨୦୧୦ରେ ସ୍ପେନ୍ ମଧ୍ୟ ୟୁରୋପୀୟ ଦେଶ ଥିଲେ।
ସର୍ବାଧିକ ୬ ଗୋଲ୍ ଦେଇ ଜେମ୍ସ ରଡ୍ରିଗେ୍ଵଜ୍ ଅଗ୍ରଣୀ ସ୍କୋରର୍ ଭାବେ ସୁନା ଜୋତା ଜିତିଥିବାବେଳେ ନିଜ ଦେଶକୁ ଫାଇନାଲ୍ ନେଇଥିବା ତାରକା ଲିଓନେଲ୍ ମେସି ଶ୍ରେଷ୍ଠ ଖେଳାଳି ଭାବେ ସୁନା ବଲ୍ ସମ୍ମାନ ହାତେଇଥିଲେ। ପଲ୍ ପଗ୍ବା ଶ୍ରେଷ୍ଠ ଯୁବ ଖେଳାଳି, ମାନୁଏଲ୍ ନୁଏର୍ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଥିଲେ। ଏସୀୟ ସଂଘରୁ ଏକାଥରକେ ୪ ଦେଶ ଅଷ୍ଟ୍ରେଲିଆ, ଇରାନ୍, ଜାପାନ ଓ ଦକ୍ଷିଣ କୋରିଆ ଖେଳିବା ବଡ଼ କଥା ଥିଲା।
ଜର୍ମାନିକୁ ଚତୁର୍ଥ ମୁକୁଟ
/sambad/media/post_attachments/wp-content/uploads/2018/06/france-1.jpg)