ଜର୍ମାନି କ୍ବାର୍ଟରରେ, ପାକିସ୍ତାନ ବର୍ତିଗଲା

ନେଦରଲାଣ୍ଡ୍-କାନାଡ଼ା ବିଜେତାଙ୍କ ସହ ଖେଳିବ ଭାରତ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ପୁଲ୍ ପର୍ଯ୍ୟାୟ ରବିବାର ‌ଶେଷ ହୋଇଛି। ପୂର୍ବରୁ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଓ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରି ସାରିଥିବା ବେଳେ ରବିବାର ୨ ଥର ବିଜେତା ଜର୍ମାନି ଏଥିରେ ସାମିଲ ହୋଇଛି। ଜର୍ମାନି ରବିବାର ପୁଲ୍ ‘ଡି’ ପ୍ରଥମ ମ୍ୟାଚ୍‌‌ରେ ୫-୩ ଗୋଲ୍‌ରେ ଲଢ଼ୁଆ ମାଲେସିଆକୁ ପରାସ୍ତ କରିଥିଲା। ରବିବାରର ଦ୍ବିତୀୟ ମ୍ୟାଚ୍‌ ତଥା ଶେଷ ଲିଗ୍‌ରେ ୩ ଥର ବିଜେତା ନେଦରଲାଣ୍ଡ୍ ୫-୧ ଗୋଲ୍‌ରେ ୪ ଥର ବିଜେତା ପାକିସ୍ତାନକୁ ପରାସ୍ତ କରିଥିଲା। ପରାଜୟ ସତ୍ତ୍ବେ ପାକିସ୍ତାନ ବର୍ତିଯାଇଛି ଏବଂ ମାଲେସିଆ ବିଶ୍ବକପ୍‌ରୁ ବାଦ୍ ପଡ଼ିଛି। ଗୋଲ୍ ବ୍ୟବଧାନ ଏହି ଦୁଇ ଦଳକୁ ଅଲଗା କରିଛି। ପାକିସ୍ତାନ (-୫) ଅନ୍ୟତମ ଏସୀୟ ଦେଶ ମାଲେସିଆ (-୯)କୁ ପଛରେ ପକାଇଥିଲା। ଉଭୟ ନେଦରଲାଣ୍ଡ୍ ଏବଂ ପାକିସ୍ତାନ କ୍ରସ୍ ଓଭର ଯୋଗ୍ୟତା ଅର୍ଜନ କରିନେଇଛନ୍ତି। ପୁଲ୍ ‘ଡି’ ସ୍ଥିତି ଚୂଡାନ୍ତ ହେବା ପରେ ପୁଲ୍ ‘ସି’ ବିଜେତା ହୋଇଥିବା ଭାରତ ଗୁରୁବାର ନିଜର କେଉଁ ପ୍ରତିଦ୍ବନ୍ଦ୍ବୀ ସହିତ ଖେଳିବ ତାହା ସ୍ପଷ୍ଟ ହୋଇଛି। ମଙ୍ଗଳବାର ଖେଳାଯିବାକୁ ଥିବା କାନାଡ଼ା ବନାମ ନେଦରଲାଣ୍ଡ୍ ବିଜେତା ସହିତ ଭାରତ ସେମିଫାଇନାଲ୍‌ ଆଶାରେ ଲଢ଼ିବ।

ରବିବାରର ମ୍ୟାଚ୍‌ରେ ଜର୍ମାନି ପ୍ରଥମରୁ ଆକ୍ରମଣାତ୍ମକ ହକି ଖେଳି ଆଗକୁ ବଢ଼ିଥିଲା। ପ୍ରଥମ କ୍ବାର୍ଟରରେ ୨ ଗୋଲ୍ ଲଦି ଆଗୁଆ ହୋଇଯାଇଥିଲା। ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ବି ଦଳ ଏହାକୁ ୩-୦ରେ ପରିଣତ କରି ଚାପ ବଢ଼ାଇଥିଲା। କିନ୍ତୁ ମାଲେସିଆ ହାର ମାନିବା ସ୍ଥିତିରେ ନଥିଲା। ଦ୍ବିତୀୟ କ୍ବାର୍ଟରରେ ୨ ମିନିଟ୍‌ ଭିତରେ ୨ ଗୋଲ୍‌ ଦେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଚତୁର୍ଥରେ ଜର୍ମାନି ଆଉ ଗୋଟିଏ ଗୋଲ୍‌ ସହିତ ଅଷ୍ଟ୍ରେଲିଆ ପରେ ଦ୍ବିତୀୟ ଦଳ ଭାବେ ହ୍ୟାଟ୍ରିକ୍ ବିଜୟ ଅର୍ଜନ କରି କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା। ଏହି ଦଳ ମଧ୍ୟ ପୁଲ୍‌ ପର୍ଯ୍ୟା‌ୟରେ ଅପରାଜିତ ରହିଥିଲା। ମ୍ୟାଚ୍‌ର ୮ ଗୋଲ୍‌ ମଧ୍ୟରୁ ୪ ଲେଖାଏଁ ଫିଲଡ୍ ଏବଂ ପେନାଲଟି କର୍ନରରୁ ଆସିଥିଲା। ଜର୍ମାନି ପକ୍ଷରୁ ୧୭ ନମ୍ବର କ୍ରିଷ୍ଟ୍ରୋଫର ରୁର୍ (୧୪, ୧୮) ଏବଂ ମାଲେସିଆ ପକ୍ଷରୁ ସମାନ ୧୭ ନମ୍ବର ରାଜି ରହିମ୍ (୨୬, ୪୨) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ରୁରଙ୍କ ଗୋଲ୍‌ ଫିଲ୍‌ଡରୁ ଏବଂ ରହିମଙ୍କ ଗୋଲ୍ ପେନାଲଟି କର୍ନରରୁ ଆସିଥିଲା। ଜର୍ମାନି ପାଇଁ ଟିମ୍ ହର୍ଜବ୍ରଜ୍‌ (୨, ୫୯ ମିନିଟ) ମଧ୍ୟ ଗୋଟିଏ ପେନାଲଟି କର୍ନରରୁ ଏବଂ ଅନ୍ୟଟି ଫିଲଡ୍ ଗୋଲ୍‌ ଦେଇଥିଲେ। ବିଜୟୀ ଦଳର ଅନ୍ୟ ଗୋଲ୍‌ଟି ମାର୍କୋ ମିଲଟକାଉ (୩୯ତମ ମିନିଟ) ଦେଇଥିଲେ। ସେହିଭଳି ମାଲେସିଆ ପାଇଁ ଅନ୍ୟ ଗୋଲ୍‌ଟି ଟିମ୍ ଗ୍ରାମ୍‌ବଶ୍ଚ (୨୮ ମିନିଟ) ଦେଇଥିଲେ। କ୍ରିଷ୍ଟ୍ରୋଫର ରୁର୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦେଇଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ। ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଖେଳାଳିଙ୍କ ସହ କରମର୍ଦନ କରି ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ର ନେଦରଲାଣ୍ଡ୍‌ ପ୍ରଧାନ୍ୟ ବିସ୍ତାର କରି ପାକିସ୍ତାନକୁ ଦ୍ବିତୀୟ ପରାଜୟ ମୁହଁକୁ ଠେଲି ଦେଇଥିଲା। ୪ ଥର ବିଜେତା ପାକିସ୍ତାନ ନିଜର ଦିଶାହୀନ ତଥା ଅଣଶାଣିତ ଖେଳ ଦେଖାଇ ପରାଜୟ ସ୍ବୀକାର କରିଥିଲା। ପ୍ରଥମ କ୍ବାର୍ଟର ଅବଶ୍ୟ ୧-୧ ଗୋଲ୍‌ରେ‌ ଶେଷ ହେବା କିଛିଟା ‌ରୋମାଞ୍ଚ ରଖିଥିଲା। ଦ୍ବିତୀୟାର୍ଧରେ ପାକିସ୍ତାନ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଥିଲା। ମ୍ୟାଚ୍‌ର ସପ୍ତମ ମିନିଟରେ ଥିଏରି ବ୍ରିଙ୍କ୍‌ମ୍ୟାନ୍‌ ଏକ ସୁନ୍ଦର ଫିଲଡ୍ ଗୋଲ୍‌ରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଦୁଇ ମିନିଟ୍ ପରେ ପାକିସ୍ତାନ ପେନାଲଟି କର୍ନରରୁ ଉମର ଭଟ୍ଟଙ୍କ ଗୋଲ୍ ବଳରେ ବରାବର କରି ଦେଇଥିଲା। ଏହା ପରେ ନେଦରଲାଣ୍ଡ୍ ପରବର୍ତୀ ୨ କ୍ବାର୍ଟରରେ ଦୁଇଟି ଏବଂ ଶେଷ କ୍ବାର୍ଟରରେ ଆଉ ଦୁଇଟି ଗୋଲ୍‌ ଦେଇ ସମ୍ପୂର୍ଣ୍ଣ ପଏଣ୍ଟ୍ ନେବା ବାଟ ଫିଟାଇଥିଲା। ଭାଲେଣ୍ଟିନ ଭର୍ଗା (୨୭ ମିନିଟ), ବବ୍ ଡି ଭୁଡ୍ (୩୭ ମିନିଟ), ଜୋରିଟ୍ କ୍ରୁନ୍ (୪୭ ମିନିଟ) ଏବଂ ମିଙ୍କ୍ ଭାନ୍ ଡେର ୱିର୍ଦେନ (୫୯ ମିନିଟ) ଗୋଟିଏ ‌ଲେଖାଏଁ ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍‌ରେ ନେଦରଲାଣ୍ଡ ୯ଟି ପେନାଲଟି କର୍ନରରରୁ ୨ଟି ଗୋଲ୍‌ ଦେଇଥିଲେ। ପାକିସ୍ତାନ ୩ଟି ପିସିରୁ ଗୋଟିକରେ ସଫଳ ରହିଥିଲା। ମ୍ୟାଚ୍‌ ପ୍ରାରମ୍ଭରେ ଭାରତୀୟ ହକି ଦଳର ପୂର୍ବତନ ଖୋଳାଳି ଯୁଗରାଜ ସିଂହ ଅତିଥି ଥିଲେ। ଶେଷରେ ଓଡ଼ିଶାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁଦାମ ମାର୍ଣ୍ଡି ଅତିଥି ଭାବେ ‌ଯୋଗ ଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସେଭେ ଭାନ୍ ଆସଙ୍କୁ ପୁରସ୍କୃତ କରିଥିଲେ।

ରୁର୍‌ଙ୍କ ନାମରେ ୧୦୦ତମ ଗୋଲ୍
ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ପୁଲ୍ ପର୍ଯ୍ୟାୟ ରବିବାର ‌ଶେଷ ହୋଇଛି। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୨୪ ମ୍ୟାଚରୁ ୪.୬୨୫ ହାରରେ ମୋଟ ୧୧୧ ଗୋଲ୍‌ ସ୍କୋର୍ ହୋଇଛି। ରବିବାର କିନ୍ତୁ ଶତକୀୟ ଗୋଲଟି ଯାଇଛି ଜର୍ମାନିର କ୍ରିଷ୍ଟ୍ରୋଫର ରୁର୍‌ଙ୍କ ନାମକୁ। ମାଲେସିଆ ବିପକ୍ଷ ଏହି ମ୍ୟାଚ୍‌ରେ ରୁର୍‌ ଏକା ବଲ୍ ସହିତ ବଳୟ ଭିତରେ ପ୍ରବେଶ କରି ଫିଲଡ୍ ଗୋଲ୍‌ ଦେଇଥିଲେ। ମୋଟ ୧୧୧ ଗୋଲରୁ ୬୯ ଫିଲଡ୍, ୪୦ ପେନାଲଟି କର୍ନର, ୩ ପେନାଲଟି ‌‌‌େଷ୍ଟ୍ରାକ। ବ୍ୟକ୍ତିଗତ ଗୋଲ୍ ତାଲିକାରେ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ (୫ ଗୋଲ୍), ଜର୍ମାନିର ମାର୍କୋ ମିଲଟକାଉ (୪ ଗୋଲ୍‌), ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ (୪ ଗୋଲ) ମିଳିତ ଶୀର୍ଷରେ ରହିଛନ୍ତି। ଶୃଙ୍ଖଳାଗତ ସଙ୍କେତ ଦେଖିଲେ ମୋଟ ୫୨ଟି କାର୍ଡ ପାଇଛନ୍ତି ଖେଳାଳି। ୪୨ ସବୁଜ, ୧୦ ହଳଦିଆ ଥିବାବେଳେ ଲାଲ୍ କାର୍ଡ କାହାରି ଦୁର୍ଭାଗ୍ୟ ଆଣିନି। ୫୦ତମ କାର୍ଡ ମାଲେସିଆର ମାରାହାନ୍ ଜଲିଲ୍ (୫୭ତମ ମିନିଟ୍ ହଳଦିଆ କାର୍ଡ)ଙ୍କ ନାମରେ ଯାଇଛି। ଅନ୍ୟ ଦଳଗତ ପରିସଂଖ୍ୟାନ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ସର୍ବାଧିକ ୧୬ ଗୋଲ୍, ନେଦରଲାଣ୍ଡ୍ ସର୍ବାଧିକ ୯୯ ଥର ବଳୟ ପ୍ରବେଶ ଏବଂ ମାଲେସିଆ ସର୍ବାଧିକ ୨୧ ଗୋଲ୍‌ ବଞ୍ଚାଇ ଶୀର୍ଷରେ ରହିଛନ୍ତି। ଗୋଟିଏ ମ୍ୟାଚ୍‌ରୁ ସର୍ବାଧିକ ୧୧ ଗୋଲ୍ ଅଷ୍ଟ୍ରେଲିଆ (୧୧)-ଚୀନ (୦) ମୁକାବିଲାରୁ ମିଳିଛି। ମୋଟ ୩୬ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏବେ ଦୁଇ ତୃତୀୟାଂଶ (୨୪) ଶେଷ ‌ହୋଇଛି। ପରବର୍ତୀ ୭ ଦିନ ଭିତରେ ଅବଶିଷ୍ଟ ୧୨ ମ୍ୟାଚ୍ ଖେଳାଯିବ।

ସମ୍ବନ୍ଧିତ ଖବର